Odiapua.com

କଳାହାଣ୍ଡି ପୋଲିସର ବଡ ସଫଳତା, ଡିଜିଟାଲ ଲୁଟେରା ଗିରଫ

କଳାହାଣ୍ଡି – ତା.୧୧.୧୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ପୋଲିସ ଦ୍ୱାରା ଡିଜିଟାଲ ଲୁଟେରା କୁ ଗିରଫ କରିବା ସହିତ ଦାମୀ ମୋବାଇଲ,ଲାପଟପ,ଡେସ୍କ ଟପ, ହୋମ ଥିଏଟର ଇତ୍ୟାଦି ସହିତ ଲୁଟେରା ନିଜେ ଚଢୁଥିବା ବାଇକ ଜବତ କରିଥିବା ଜଣାପଡିଛି । ଗତ କେତେ ମାସ ହେବ କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ଥାନା ଅଂଚଳର ବିଭିନ୍ନ ଗ୍ରାମରେ ଥିବା କମ୍ପୁ୍ୟଟର ଦୋକାନ ମାନଙ୍କରେ ଲଗାତାର ଚୋରୀ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିଦେ୍ର୍ଦଶରେ ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ଚୋରୀ ଘଟଣା ସବୁର ଅନୁସଂଧାନ କରାଯାଇଥିଲା । ଜୟପାଟଣା ଥାନା ଅନ୍ତର୍ଗତ ବଡକୁଟ୍ରୁ ଫାଣ୍ଡି ଏଏସଆଇ କୃତିବାସ ପୁଝାରୀ, କଲମପୁର ଏଏସଆଇ ମନୋରଂଜନ ଆଚାର୍ଯ୍ୟ, କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଏସଆଇ ଶେଖର ଜେନା ଏବଂ ଅନ୍ୟାନ୍ୟ ପୋଲିସ ଙ୍କୁ ନେଇ ଗଠିତ ଏହି ସ୍ୱତନ୍ତ୍ର ସ୍କାର୍ଡ ଉକ୍ତ ଚୋରୀ ଘଟନା ସବୁର ତଦନ୍ତ କରି ଜୟପାଟନା ଥାନା ମୀନଗୁର ସ୍ଥିତ ଡେରଲାପଡା ଗ୍ରାମର ଯଶୋବନ୍ତ ଶବର (୨୪) ଏବଂ ଜଣେ ନାବାଳକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲେ । ଦୀର୍ଘ ଏକ ବର୍ଷ ହେବ ଏହି ଚୋର ଦ୍ୱୟ ଯୋଜନା କରି ବିଭିନ୍ନ କମ୍ପୁ୍ୟଟର ଦୋକାନ ଗୁଡିକ ମଧ୍ୟକୁ ନାବାଳକ ପଶି ଚୋରୀ କରୁଥିବା ଏବଂ ଦୁହେଁ ମିଶି ଚୋରୀ ସାମଗ୍ରୀକୁ ଅନ୍ୟତ୍ର ବିକୁଥିବାର ପୋଲିସ ଆଗରେ ସ୍ୱୀକାର କରିଥିବା ଧର୍ମଗଡ ଏସଡିପିଓ ଶ୍ରୀ ପଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ମଧ୍ୟରୁ ୪୦ଟି ଦାମୀ ମୋବାଇଲ, ୪ ଲାପଟପ, ୨ ପ୍ରିଂଟର, ୧ ଏଲସିଡି, ୩ କି ବୋର୍ଡ ସମଏତ ୧ ଟର୍ଚ୍ଚ ଲାଇଟ ଜବତ କରାଯାଇଥିବା ପ୍ରକାଶ । ପୋଲିସର ଏଭଲି ଏକ ସଫଳତା ସ୍ଥାନୀ ଅଂଚଳରେ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ବଢିବାରେ ଲାଗିଛି ।