Odiapua.com

କଳାହାଣ୍ଡି ଜିଲ୍ଲା ପୋଲିସ ମୂଖ୍ୟାଳୟରେ ରକ୍ତ ଦାନ ଶିବିର ଆୟୋଜିତ,୧୨୪ ୟୁନିଟ ରକ୍ତ ସଂଗୃହିତ

କଳାହାଣ୍ଡି, ତା ୨୪.୧୨.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ସମାଜସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଥିବା ଦେଖାଯାଇଛି । କଳାହାଣ୍ଡି ଜିଲ୍ଲା ପୋଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ଉଦ୍ୟମରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋ ସରକାର ଯୋଜନାରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଉଦଘାଟନ କରିଥିବା ବେଳେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ, ଅତିରିକ୍ତ ସିଡିଏମଓ ଜଗୁଲାଲ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିଲେ । ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଦୈନିକ ୩୦ ୟୁନିଟ ରକ୍ତର ଆବଶ୍ୟକତା ଥିବା ବେଳେ ମାତ୍ର ୧୦ ୟୁନିଟ ରକ୍ତ ସଂଗୃହିତ ହେଉଥିବା ଜଣାପଡିଛି । ଏଣୁ ରକ୍ତଦାନ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହିତ ଆଗାମୀଦିନରେ ରକ୍ତଦାନ ଶିବିର ମାନ ଅନୁଷ୍ଠିତ କରାଯିବ ବୋଲି ଏସପି ଗଙ୍ଗାଧର ପ୍ରକାଶ କରିଛନ୍ତି । ଜିଲ୍ଲା ରେଡକ୍ରସ ସଂପାଦିକା ପପଲ୍ଲୀଶ୍ରୀ ପଟ୍ଟନାୟକ ଙ୍କ ସମେତ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ପରିଚାଲନାରେ ସହେଯାଗ କରିଥିଲେ । ଏହି ଶିବିରରେ ପୋଲିସ କର୍ମଚାରୀ ମାନଙ୍କ ସହିତ ୬୪ ବାଟାଲିୟନ ସିଆରପିଏଫ, ଯୁବ ରେଡକ୍ରସ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।