Odiapua.com

 କଳାହାଣ୍ଡି ଜିଲ୍ଲାର କରୋନା ପଜେଟିଭ୍ ସଂକ୍ରମିତ ଯୁବକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି

କଳାହାଣ୍ଡି ୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଳାହାଣ୍ଡି ଜିଲ୍ଲାରେ ଗତ କାଲି ଗୋଳାମୁଣ୍ଡା ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ସଂକ୍ରମିତ ଯୁବକ ଜଣକ ଙ୍କୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ସଂକ୍ରମିତ ଯୁବକଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଛି।

ଗତକାଲି ରାତିଠାରୁ ଧର୍ମଗଡ଼ ପୋଲିସ ଏସ୍ ଡ଼ି ପି ଓ ଓ ଉପ ଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରି ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ କରି ଦିଆଯାଇଛି। ଫଳରେ ବାହାର ଲୋକେ ପଞ୍ଚାୟତ ଭିତରକୁ ଯାଇ ପାରିବେ ନାହିଁ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ବାପା, ମା, ଭଉଣୀ, ଜେଜେମା, ଦୁଇ କାକା ପୁଅ, ଭଉଣୀଙ୍କ ସମ୍ପର୍କୀୟ ଓ ୧୪ଜଣ କ୍ରିକେଟ ଖେଳାଳି, ବୋଲେରୋ ଡ୍ରାଇଭର ସମେତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କୁ ଭବାନୀପାଟଣା ଅଣାଯାଇ ରକ୍ତ ସ୍ୱାବ ସଂଗ୍ରହ କରାଯାଇଥିଲା। ପରେ ସେମାନଙ୍କ ସ୍ୱାବକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ସମସ୍ତ ୩୧ ଜଣଙ୍କୁ ବାନ୍ଦପଲା ସ୍ଥିତ ଇଂଜିନିୟରିଂ କଲେଜ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଛି। ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ ବୋଲି ଜଣା ପଡ଼ିଛି।

କଳାହାଣ୍ଡି ଜିଲ୍ଲାପାଳ ହର୍ଷଦ ପରାଗଙ୍କ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି, ୩୧ ଜଣଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ହେଇଥିବା ବେଳେ ସେମାନଙ୍କ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂପୃକ୍ତ ପଞ୍ଚାୟତରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରି ସିଲ କରି ଦିଆଯାଇଛି ବୋଲି କହିଛନ୍ତି। ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ ଜଣକ ବାହାରିନ ଦେଶରୁ ଗତ ୨ବର୍ଷ ଧରି ପାୱାରମେକ୍ କମ୍ପାନିରେ ଫିଟର ଭାବରେ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ୧୭ ତାରିଖ ଦିନ ବିମାନ ଯୋଗେ ନୂଆଦିଲ୍ଲୀ ଠାରେ ପହଞ୍ଚିଥିଲେ।