Odiapua.com

କଳାହାଣ୍ଡି ଜିଲ୍ଲାରେ ଶବ ବାହକ ଗାଡି ନମିଳିବାରୁ କାନ୍ଧରେ ବୁହାହେଲା ଶବ

କଳାହାଣ୍ଡି, ୦୩.୦୧.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହେବାପରେ ଶବ ବାହକ ଗାଡି ନମିଳିବାରୁ ପରିବାର ଲୋକେ ଶବକୁ ଦୀର୍ଘ ଆଠ କି.ମି. କାନ୍ଧରେ ବୋହିନେବା ଘଟଣା ସମଗ୍ର ଜିଲ୍ଲାରେ ମୂଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସରକାରଙ୍କ ଠାରୁ ବିଭିନ୍ନ ସଫଳତା ପାଇଁ ଏହି ଡାକ୍ତରଖାନା ଅତୀତରେ ପୁରସ୍କୃତ ହୋଇଥିବା ବେଳେ ଏବଂ ସଂପ୍ରତି ରାଜ୍ୟରେ ୫ଟି ଭଲି ଗୁରୁତ୍ୱପୂର୍ଣ୍ଣ ଯୋଜନା ମାନ କାର୍ଯ୍ୟକାରୀ କରାଯାଇଥିବା ବେଳେ ଶବବାହକ ଗାଡି ନ ମିଳିବା ଘଟଣା ସହଜରେ ଗ୍ରହଣୀୟ ହୋଇପାରୁନାହିଁ । ଘଟଣାରୁ ପ୍ରକାଶ ଯେ, ଲାଂଜିଗଡ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଂଚାୟତ ବାରପାଲି ଗ୍ରାମର ରସାନନ୍ଦ ନାଏକର ସ୍ତ୍ରୀ କୁନି ନାଏକ(୨୦)ର ଅସୁସ୍ଥତା ହେତୁ ଗତ ୧ ତାରିଖ ଅପରାହ୍ନ ୩.୧୫ ରେ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ଚିକିତ୍ସାଧିନ ଅବସ୍ଥାରେ କୁନି ନାଏକର ସେହିଦିନ ସଂଧ୍ୟା ୭.୪୫ ରେ ହିଁ ମୃତୁ୍ୟ ହୋଇଯାଇଥିବା ପ୍ରକାଶ । ରସାନନ୍ଦ ଓ ପରିବାର ଲୋକେ ମୃତ କୁନିର ଶବକୁ ସଂସ୍କାର ପାଇଁ ୨୯ କି.ମି. ଦୂର ବାରପାଲି ଗ୍ରାମକୁ ନେବାପାଇଁ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଡାକ୍ତରଖାନାକୁ ଜଣାଇ ବିଫଳ ହେବାରୁ ରାତ୍ରି ୧୦ଟା ସମୟରେ ପରିବାର ଲୋକେ ବାଧ୍ୟ ହୋଇ ଶବକୁ କାନ୍ଧରେ ବୋହି ନେଇ ଘରକୁ ଯିବାକୁ ବାହାରିଥିଲେ । ମୃତକର ସ୍ୱାମୀ ଓ ପରିବାର ଲୋକେ ଶବ ବୋହି ନିଜ ଗ୍ରାମ ଅଭିମୁଖେ ଡାକ୍ତରଖାନାରୁ ବାହାରି ସହର ଅତିକ୍ରମ କରି ଲକ୍ଷ୍ମୀପୁର ପର୍ଯ୍ୟନ୍ତ ଯାଇଥିବା ବେଳେ ଖବର ପାଇ ଭବାନୀପାଟଣା ଉପଜିଲ୍ଲାପାଳ, ଟାଉନ ଥାନାଧିକାରୀ ଓ ଡାକ୍ତରଖାନା ମେନେଜର ଯାଇ ସେମାନଙ୍କୁ ବୁଝାଶୁଝା କରିବା ପରେ ସେଠାରୁ ଏକ ଭଡା ଗାଡିରେ ନିଜ ଗ୍ରାମକୁ ଶବ ନେଇଥିବା ଜଣାପଡିଛି । ଡାକ୍ତରଖାନା ହେଲ୍ପ ଡେସ୍କ ପକ୍ଷରୁ ଦୁଇଜଣ ଶବ ବାହକ ଗାଡି ଡ୍ରାଇଭରଙ୍କ ମଧ୍ୟରୁ ଜଣକ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ମୂଷାନାଳ ନିକିଟସ୍ଥ ବାରପାଲି ମାଓପ୍ରବଣ ଅଂଚଳ ହୋଇଥିବାରୁ ସେଠାକୁ ରାତିରେ ଯିବାକୁ ଆରଜଣକ ମନାକରିଦେଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ସେହିପରି ରାତି ୯.୩୦ ରେ ଏସଂପର୍କରେ ଖବର ପାଇଁ ଶବବାହକ ଗାଡି ବଦଳରେ ଏକ ଆମ୍ବୁଲାନ୍ସ କରି ଶବକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲେହେଁ ପରିବାର ଲୋକେ ଆମ୍ବୁଲାନ୍ସରେ ଶବ ନେବାକୁ ମନା କରିଦେଇଥିବା ସିଡିଏମଓ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଉଚିତ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କଳହାଣ୍ଡି ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ ।