Odiapua.com

  କଳାହାଣ୍ଡି- ଛତିଶଗଡ ସୀମା ସିଲ, କଳାବଜାରୀ ମାଳେମାଳ, ଖାଉଟୀ ହନ୍ତସନ୍ତ  

କଳାହାଣ୍ଡି ୧୭.୦୪.୨୦୨୧ ( ଓଡିଆପୁଅ ) ସଂପ୍ରତି କରୋନା ଭୟାଭୟତାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଛତିଶଗଡ ସୀମାକୁ ସିଲ କରିଦେଇଥିବା ବେଳେ ସେପଟେ ଛତିଶଗଡ ଗରିଆବନ୍ଦ ଜିଲ୍ଲା ପ୍ରଶାସନ ମଧ୍ୟ ସିଲ କରିଦେଇଥିବା ଜଣାପଡିଛି । ସୀମା ସିଲ ହେବା ଫଳରେ ଛତିଶଗଡ ର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି । ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ବିଶେଷ କରି ନାଗପୁର ରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ  ଆସୁଥିବା ବେଳେ ଚାଉଲ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଲ ସମେତ ସମସ୍ତ ସୀମାନ୍ତବର୍ତୀ ଅଂଚଳକୁ ଯୋଗାଣ ହୋଇଥାଏ । ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳ ର କାଉଟୀ ନିର୍ଭର କରିଥାନ୍ତି । ସୀମା ସିଲ ହେବା ପରେ ବର୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ ଠାରେ ମୂଖ୍ୟ ରାସ୍ତାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଛତିଶଗଡର ଗରିଆବନ୍ଧ ର ଜିଲ୍ଲା ପ୍ରଶାସନ ସିଲ କରିଦେଇ ଗାଡି ଚଳାଚଳ ଉପରେ କଟକଣା କରିଦେବା ଫଳରେ ଚୋରା ବେପାରୀ ଓ ଅସାଧୂ ବ୍ୟବସାୟୀମାନେ ଗଳାବାଟ ଖୋଜି କଳାବଜାର କରୁଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡିର ସୀମାନ୍ତ ଧର୍ମଗଡ ଓ ଜୁନାଗଡ ସହରରେ ଏହାର ଯଥେଷ୍ଟ ପ୍ରଭାବ ପଡିଥିବା ବେଳେ ଚିନି. ଡାଲି, ଖାଇବା ତେଲ ଭଲି ଅତ୍ୟାବଶ୍ୟକୀୟ ଖାଇବା ସାମଗ୍ରୀ ଗୁଡିକର ପାଇକାରୀ ଦରରେ କୋଡିଏ ରୁ ତିରିଶ ଟଙ୍କା ଅଧିକ ମୂଲ୍ୟ ବଢିଯାଇଥିବା ବେଳେ ଖୁଚୁରା ଦରରେ ଦଶରୁ ପଚାଶ ଟଙ୍କା ମୂଲ୍ୟ ବଢିଯାଇଥିବା ଜଣାପଡିଛି । ଯାହାଫଳରେ ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପଡୁଛି । ସେହିପରି ଜୁନାଗଡ, ଭବାନୀପାଟଣା ଆଦି ଅଂଚଳରୁ ଭାଙ୍ଗ, ଖଇନି, ଗୁଡାଖୂ ଭଲି ସାମଗ୍ରୀ ସଂପୃକ୍ତ ଅଂଚଳରେ ଉପଲବ୍ଧ ହେଉନଥିବା ଖାଉଟି ମହଲରେ ଆଲୋଚନା ହେଉଛି । ଏସବୁ ସାମଗ୍ରୀ ଅସାଧୁ ବେପାରୀ ମାନଙ୍କ ଦ୍ୱାରା ଛତିଶଗଡ ତଥା ଅନ୍ୟାନ୍ୟ ଅଂଚଳକୁ ଗଳାବାଟ ଦେଇ ଚୋରାଚାଲାଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଏସବୁ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।