Odiapua.com

କଳାହାଣ୍ଡି କୃଷି ବିଭାଗ ସ୍ଥାଣୁ: ଜଣେ ଅଧିକାରୀଙ୍କୁ ଛଅଟି ଦାୟିତ୍ୱ

କଳାହାଣ୍ଡି-୨୯/୦୮/୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶା ସରକାର କୃଷି ବିଭାଗକୁ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରି ସ୍ୱତନ୍ତ୍ର ଯୋଜନା ମାନ ଗ୍ରହଣ କରାଯାଉଥିବା ବେଳେ କଳାହାଣ୍ଡିରେ କୃଷି ବିଭାଗ ପ୍ରାୟତଃ ସ୍ଥାଣୁ ପାଳଟି ଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନେକ ସରକାରୀ ଯୋଜନା ତୃନମୂଳ ସ୍ତରରେ ଥିବା ଚାଷୀ ମାନଙ୍କ ପାଖରେ ପହଂଚି ପାରୁନଥିବା ଅଭିଯୋଗ ହେଉଛି। ଏପରିକି ଆତ୍ମା ଯୋଜନା କେବଳ ନାମକୁ ମାତ୍ର ହିଁ ରହିଯାଇଛି। କେବଳ ଦାୟୀତ୍ୱରେ ଥିବା କିଛି ହାତ ଗଣତି ଚାଷୀ ହିଁ ବିଭାଗୀୟ ପଦାଧିକାରୀ ମାନଙ୍କ ସହ ମଧୂଚନ୍ଦ୍ରିକା କରି ସବୁପ୍ରକାର ଫାଇଦା ଉଠାଇ ନେଉଥିବା ଏବଂ ଅନ୍ୟମାନେ କିଛି ଜାଣିପାରୁନଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲାରେ କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଲୟ ଥିବା ସହିତ ଭବାନୀପାଟଣା ବ୍ଲକ ତଥା ମ୍ୟୁନିସିପାଲିଟି, କେସିଙ୍ଗା ବ୍ଲକ, ଥୁ-ରାମପୁର ବ୍ଲକ, କର୍ଲାମୁଣ୍ଡା ବ୍ଲକ କୁ ନେଇ ଭବାନୀପାଟଣା କୃଷି ଜିଲ୍ଲା, ନର୍ଲା ବ୍ଲକ, ଲାଂଜିଗଡ ବ୍ଲକ, ମ.ରାମପୁର ବ୍ଲକ କୁ ନେଇ ନର୍ଲା କୃଷି ଜିଲ୍ଲା, ଜୁନାଗଡ ବ୍ଲକ, କଲମପୁର ବ୍ଲକ, ଜୟପାଟଣା ବ୍ଲକ କୁ ନେଇ ଜୁନାଗଡ କୃଷି ଜିଲ୍ଲା ଏବଂ ଧର୍ମଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ କୋକସରା ବ୍ଲକ କୁ ନେଇ ଧର୍ମଗଡ କୃଷି ଜିଲ୍ଲା କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ କୃଷି ଜିଲ୍ଲା ପାଇଁ ଜିଲ୍ଲା କୃଷି ଅଧିକାରୀ ଏବଂ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଦୁଇଜଣ ଅତିରିକ୍ତ କୃଷି ଅଧିକାରୀ ପଦବୀ ଏବଂ ପ୍ରତ୍ୟେକ ଗ୍ରାମପଂଚାୟତରେ ଜଣେ ଲେଖାଏଁ ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବହୁ ପଦବୀ ଖାଲି ପଡିଥିବା ଜଣାପଡିଛି। ପ୍ରାୟ ଅଧିକାଂଶ ଗ୍ରାମ୍ୟ କୃଷି କର୍ମଚାରୀ ଦୁ ତିନିଟି ଗ୍ରାମପଂଚାୟତ ଦାୟୀତ୍ୱରେ ରହିଥିବା ଜଣାପଡିଛି। ଫଳତଃ କୃଷି ବିଭାଗର ସମସ୍ତ ଯୋଜନା ତଳ ସ୍ତରରେ ଚାଷୀ ମାନଙ୍କ ପାଖକୁ ପହଂଚି ପାରୁନଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ କୃଷି ଅଧିକାରୀ ପଦବୀ ଖାଲିଥିବା ହେତୁ ଅନେକ କର୍ମଚାରୀ ମାସ ମାସ ଧରି ଫିଲଡ କୁ ଯାଉନଥିବା ମଧ୍ୟ ଅଭିଯୋଗ ହେଉଛି। ଏପରିକି ଜଣେ ଅତିରିକ୍ତ କୃଷି ଅଧିକାରୀଙ୍କୁ ଛଅ ଟି ପଦବୀର ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ରହିଛି ହେଲେ କୌଣସି କେନ୍ଦ୍ର ଠିକ ଭାବେ ଚାଲୁନଥିବାର ଅଭିଯୋଗ ହେଉଛି। କୃଷି ବିଭାଗ ପ୍ରାୟତଃ ସ୍ଥାଣୁ ପାଳଟି ଯାଇଥିବା ଅଭିଯୋଗ ହେଉଛି। ଏପରିକି କୃଷିବିଭାଗ ପାଖରେ ଚାଷୀ ମାନଙ୍କ କୌଣସି ପ୍ରକାର ତଥ୍ୟ ମଧ୍ୟ ନାହିଁ। ଚାଷୀ ମାନଙ୍କୁ କୌଣସି ପ୍ରକାର ସହେଯାଗ କରିବା ତ ଦୂରର କଥା ପ୍ରକୃତ ଚାଷୀ ମାନଙ୍କୁ ସମ୍ମାନିତ କରାଯିବା ବଦଳରେ ଦାୟୀତ୍ୱରେ ଥିବା କିଛି ପଦାଧିକାରୀ ପ୍ରୀୟାପ୍ରୀତି ତୋଷଣ କାରବାର କରି ନାମକୁ ମାତ୍ର ଅଣଚାଷୀ ମାନଙ୍କୁ ମଧ୍ୟ ଚାଷୀଙ୍କ ମାନ୍ୟତା ଦେଇ ପୁରସ୍କୃତ କରାଇଦେଇଥିବାର ଅନେକ ଉଦାହରଣ ରହିଛି। ଏଭଲି ଭାବେ ଚଉଦ ପୁରୁଷ ଧରି ଚାଷକୁ ନିଜର କୌଳିକ ବୃତି ବୋଲି ଧରିନେଇ ନିଜ ଜୀବିକା ନିର୍ବାହ କରୁଥିବା ଚାଷୀ ଆଜି କୃଷି ବିଭାଗ ଠାରୁ ଦୂରେଇ ଯାଉଥିଭା ବେଳେ ଅଳ୍ପ କିଛି ଦିନ ହେବ ଚାଷକୁ ସଉକ ଭାବେ ନେଇଥିବା ଲୋକେ ହିଁ କୃଷି ବିଭାଗ ନଜରରେ ରହୁଥିବା ହେତୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୃଷି ବିଭାଗ ପ୍ରାୟତଃ ଚାଷୀ ମାନଙ୍କ ଠାରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।