Odiapua.com

କଳାହାଣ୍ଡିରେ ହାଇକୋର୍ଟ ବେଂଚ ଦାବୀ ନେଇ ସମଗ୍ର ଜିଲ୍ଲାରେ ଆଂଦୋଳନ

କଳାହାଣ୍ଡି – ୨୮/୧୦/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଂଚ ଦାବୀ କରି ଜିଲ୍ଲା ଓକିଲ ସଂଘ ଡାକରାରେ ସମଗ୍ର ଜିଲ୍ଲାରେ ଆଂଦୋଳନ ଜାରି ରହିଛି । ପ୍ରତ୍ୟେକ ମାସ ଶେଷ ସୋମବାର ଦିନ ଓକିଲ ମାନେ କୋର୍ଟ ବର୍ଜନ କରିଆସି ଆଂଦୋଳନ କରିଆସୁଥିବା ବେଳେ ୨୮/୧୦ ସୋମବାର ଦିନ ସମସ୍ତ ଅଫିସ, ବେଙ୍କ ତଥା ଶିକ୍ଷାନୁଷ୍ଠାନ ଆଦି ସମସ୍ତ ପ୍ରତିଷ୍ଠାନ ବନ୍ଦ କରି ଆଂଦୋଳନକୁ ତୀବ୍ରତର କରିଛନ୍ତି । ଗତ ସପ୍ତାହେ ହେବ କଳାହାଣ୍ଡି ଜିଲ୍ଲା ବାର ଏସୋସିଏସନ ସଭାପତି ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତା ଜିଲ୍ଲା ସାରା ସମସ୍ତ ବାର ଏସୋସୋଏସନ କୁ ଗସ୍ତ କରି ଆନେ୍ଦାଳନ ସଂପର୍କରେ ବିଶଦ ଆଲୋଚନା କରିଥିବା ପ୍ରକାଶ । କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଂଚ ସ୍ଥାପନ ହେବାର ଯଥେଷ୍ଟ ଭିତିଭୂମି ଥିବା ବେଳେ ସରକାର ସେଥିପ୍ରତି ପଦକ୍ଷେପ ନେଉନଥିବାରୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଆସୁଥିଲା । କଳାହାଣ୍ଡିରେ ହାଇକୋର୍ଟ ବେଂଚ ଜିଲ୍ଲା ବାସୀଙ୍କ ସ୍ୱାଭିମାନ ଓ ହକର ଆଂଦୋଳନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଥିବା ଜଣାପଡିଛି । ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର କଲାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ କରିବାରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଏହି ଆନେ୍ଦାଳନକୁ ଜିଲ୍ଲାସାରା ବ୍ୟାପକ କରାଯିବ ଏବଂ ସମସ୍ତ କୋର୍ଟ କଚେରୀ, କାର୍ଯ୍ୟାଳୟ, ବେଙ୍କ ଆଦି ବିଭିନ୍ନ ପ୍ରତିଷ୍ଠାନ ସବୁକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ଓ ମିଳିତ ଓକିଲ ସଂଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆଂଦୋଳନକୁ ସମର୍ଥନ କରି ଜୁନାଗଡ, ଧର୍ମଗଡ. ଜୟପାଟଣା,ମ.ରାମପୁର, କେସିଙ୍ଗାସ୍ଥିତ ବାର ଏସୋସିଏସନ ଗୁଡିକ ପକ୍ଷରୁ ମଧ୍ୟ ଆନେ୍ଦାଳନ କରାଯାଇଛି । ଏହି ଆଂଦୋଳନ ଫଳରେ ସମଗ୍ର ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟ ପ୍ରାୟତଃ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଆଂଦୋଳନ କୁ ବ୍ୟାପକ କରିବା ପାଇଁ ଜିଲ୍ଲା ବାସୀଙ୍କୁ ଓକିଲ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ହାଇକୋର୍ଟ ବେଂଚ ସ୍ଥାପନ ଦାବୀ କଳାହାଣ୍ଡି ବାସୀଙ୍କ ପାଇଁ ଆବଶ୍ୟକତା ଥିବା ଦୃଷ୍ଟି କୋଣରୁ ସାମୁହିକ ସ୍ୱାର୍ଥ ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ସମର୍ଥନ ଦେବେ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି ।