Odiapua.com

କଳାହାଣ୍ଡିରେ ସ୍ୱଚ୍ଛ ଧାନ କିଣା ବ୍ୟବସ୍ଥା ଘୋଷଣା ଧୂଆଁବାଣ । ଚାଷୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ।

କଳାହାଣ୍ଡି-୧୦/୧୧/୨୦୧୮ (ଓଡିଆପୁଅ) ସ୍ୱଚ୍ଛତାର ସହ ଧାନ କିଣା ବ୍ୟବସ୍ଥା ପରିଚାଳନା କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଉଥିଲେହେଁ କଳାହାଣ୍ଡି ଜିଲ୍ଲାରେ ତୃଣମୂଳ ସ୍ତରରେ ବ୍ୟାପକ ଜାଲିଆତି ହେଉଥିବା ଘଟଣା କ୍ରମଶଃ ଲୋକଲୋଚନକୁ ଆସିବାରେ ଲାଗିଛି । ଏ ସଂପର୍କରେ ଅଭିଯୋଗ ହେଲେ ମଧ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ନାମକୁ ମାତ୍ର ତଦନ୍ତ କରି ଦେଇ ଚପାଇଦେଉଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ତୃଣମୂଳ ସ୍ତରରେ ଚାଷୀ ପଂଜୀକରଣ ଠାରୁ ଆରମ୍ଭ କରି ମଣ୍ଡି ନିର୍ଣ୍ଣୟ ଏବଂ ରାଇସ ମିଲ ଗୁଡିକର ମଣ୍ଡି ଟେଗିଂ ଇତ୍ୟାଦିରେ ବ୍ୟାପକ ପ୍ରୀୟାପ୍ରିତି ତୋଷଣ କାରବାର କରାଯାଇ ଚାଷୀଙ୍କୁ ଏକ ପ୍ରକାର ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ଚାଷୀଙ୍କୁ ସୁହାଇବା ଭଲି ଧାନ କିଣା ବ୍ୟବସ୍ଥା କେବଳ କାଗଜ ପତ୍ରରେ ପରିଦର୍ଶିତ ହେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସେସବୁ ସଂପୂର୍ଣ୍ଣ ଓଲଟା ହେଉଥିବା ଚାଷୀ ମହଲରେ ପ୍ରକାଶ । ବିଗତ ବର୍ଷ ମାନଙ୍କର ଧାନ କିଣା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସିପାରିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଘଟଣାରୁ ପ୍ରକାଶ ଯେ, କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ପ୍ରାୟତଃ ପରିବାର ଚଳାଇବା ପାଇଁ ଅଭାବୀ ହୋଇଥାଏ ଏବଂ ଧାନ ଚାଷ ପ୍ରାରମ୍ଭରୁ ହିଁ ତାକୁ ଋଣ ଉପରେ ନିର୍ଭର କରିବାକୁ ପଡିଥାଏ ଏବଂ ବେଙ୍କରୁ ଋଣ ଆଣିବାକୁ ଦୌଡାଦୌଡି କରି ନିରାଶ ହେଉଥିବା ଚାଷୀ ପ୍ରାୟତଃ ମହାଜନ ଉପରେ ହିଁ ନିର୍ଭର କରିଥାଏ । ଏହାର ସୁଯୋଗ ନେଇ କିଛି ସ୍ୱାର୍ଥନ୍ୱେଷୀ ମିଲର୍ସ ନିଜ ଅଂଚଳର ଚାଷୀଙ୍କୁ ଆଗତୁରା ଜମି ପ୍ରସ୍ତୃତି ପାଇଁ ଚଢାସୁଧରେ ଟଙ୍କା ଋଣ, ଧାନ ବିହନ, ଔଷଧପତ୍ର, ଖତସାର ଇତ୍ୟାଦି ଚଢାଦରରେ ଯୋଗାଇ ଦେଇ ସେମାନଙ୍କ ଜମି ସଂକ୍ରାନ୍ତୀୟ କାଗଜାତ ଏବଂ ପାଶବୁକ/ଏଟିଏମ ଇତ୍ୟାଦି ନେଇଥାନ୍ତି । ଧାନ ଚାଷ ହେଲେ ସେହି ଚାଷୀର ଧାନକୁ କମ ମୂଲ୍ୟରେ କିଣିବା ପରେ ଚାଷୀ ନେଇଥିବା ସମୁଯାକ ଋଣକୁ କାଟଛାଟ କରିଦେଇ ବଳକା ଟଙ୍କା ମଣ୍ଡି ସରିବା ପରେ ଫେରାଇଦେବାକୁ ପ୍ରତିଶୃତି ଦେଉଥିବା ଅନେକ ଚାଷୀ କୋହଭରା ସ୍ୱରରେ ପ୍ରକାଶ କରନ୍ତି । ଏହାପରେ ସଂପୃକ୍ତ ମିଲର୍ସ ନିଜ ଅଂଚଲର ପାକ୍ସ କର୍ମଚାରୀ ଓ ଆରଆଇ ଅଫିସ କର୍ମଚାରୀ ମାନଙ୍କୁ ହାତ କରି ଚାଷୀ ମାନଙ୍କର ଭୂରାଜସ୍ୱ ତଥା ଧାନ ବିକିବା ପାଇଁ ନାମ ପଂଜୀକରଣ କରାଇଥାନ୍ତି । ମଣ୍ଡି ବ୍ୟବସ୍ଥା ଆରମ୍ଭ ହେଲେ ସଂପୃକ୍ତ ମିଲର୍ସ ପକ୍ଷରୁ ଯୋଗାଣ ବିଭାଗ ପଦାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ଅଂଚଳରେ ଥିବା ମଣ୍ଡି ମାନଙ୍କରେ ହିଁ ଟେଗିଂ କରାଇ ନେଇ ଚାଷୀ ମାନଙ୍କ ଠାରୁ ନିଜେ ପୂର୍ବରୁ ସଂଗ୍ରହ କରିଥିବା ଧାନକୁ ଅତି ସହଜରେ ନିଜେ କିଣୀଥିବା ଦର୍ଶାଇ ଦେବାରେ ସକ୍ଷମ ହୋଇଥାନ୍ତି ଏବଂ ଏଥି ପାଇଁ ସଂପୃକ୍ତ ଆରଏମସି କର୍ମଚାରୀ ମଧ୍ୟ ସାମିଲ ହୋଇଯାଆନ୍ତି । ମଣ୍ଡିରେ ଆରଏମସି ପକ୍ଷରୁ ଲାଗିଥିବା    ୱେ ବ୍ରିଜ ଓ ସିସିଟିଭି କ୍ୟାମେରା କେବଳ ନାମକୁ ମାତ୍ର ଓ ବୋଧହୁଏ ଏସବୁ କେବଳ ମଣ୍ଡିର ଶୋଭା ବଢାଇବା ପାଇଁ ଲଗାଯାଇଥିବ ବୋଲି ଚାଷୀମାନେ ପ୍ରକାଶ କରନ୍ତି । ଏସଂପର୍କରେ ବିଭାଗୀୟ ପଦାଧିକାରୀ ମାନେ କେବଳ ସାପ ମରିବ ନାହିଁକି ବାଡି ଭାଙ୍ଗିବ ନାହିଁ ଭଲି ସାନ୍ତ୍ୱନା ମୂଲକ ଉତର ଦେଇ ସମସ୍ତଙ୍କୁ ଚୁପ କରାଇ ଦେଇଥାନ୍ତି । ମଣ୍ଡିରେ ପାକ୍ସ ଧାନ କିଣିବା ପରେ ମିଲର୍ସକୁ ଦେବାର ନିୟମ କେବଳ କାଗଜ ପତ୍ରରେ ଚାଲିଥିବା ବେଳେ ଏହାକୁ କେହି ମଧ୍ୟ ବଦଳାଇ ପାରିନାହାନ୍ତି । ଯେଉଁ ଚାଷୀ ଏହାର ପ୍ରତିବାଦ କରେ ତାର ଧାନ ଉଠାଇବାରେ ଜାଣିଶୁଣି ବିଲମ୍ବ କରିଦିଆଯାଇଥାଏ । ଫଳତଃ ଧାନ ଉଠିବା ବିଲମ୍ବ ହେବରେ ଅଧୈର୍ଯ୍ୟ ହୋଇଯାଇ ଚାଷୀ ବାଧ୍ୟ ହୋଇ କଟଣୀ କରି ଧାନ ଦେଇଦେବାକୁ ବାଧ୍ୟ ହୋଇଯାଇଥାଏ କାରଣ ପରବର୍ତୀ ଚାଷ କରିବାକୁ ଚାଷୀକୁ ପୁଣି ପ୍ରସ୍ତୃତ ହେବାକୁ ପଡିଥାଏ । ନିଜ ଅଂଚଳର ମିଲର୍ସ ଟେଗିଂ ହେଲେ ନିଜ ମନଇଚ୍ଛା ଧାନ ଉଠାଣ କରିବାକୁ ମିଲର୍ସମାନେ ଯୋଜନା କରି ବାହାର ଅଂଚଳର ମିଲର୍ସଙ୍କୁ ବିଭିନ୍ନ ପ୍ରକାରେ ମିଛ ସତ କହି ମଣ୍ଡିକୁ ନିଜ କବଜାରେ ରଖି ନିଜ ମନଇଚ୍ଛା କରିବାରେ ସକ୍ଷମ ହୋଇଥାନ୍ତି । ଏପରିକି ଟ୍ରାକ୍ଟର,ପାୱାର ଟିଲର ସାହାଯ୍ୟରେ ମଣ୍ଡିରୁ ଧାନ ଉଠାଣ କରିବାର ଏବଂ ଅନେକ କ୍ଷେତ୍ରରେ ଟ୍ରାକ୍ଟର/ଟ୍ରକରେ ଧାନ ଆଣି ସିସି ଟିଭି କେମେରା ସାମନାରେ ବୁଲାଇ ଦେଇ ତାକୁ ପୁଣି ମିଲକୁ ନେଇଯାଉଥିବାର ଅନେକ ଉଦାହରଣ ରହିଥିବା ଚାଷୀମାନେ ପ୍ରକାଶ କରନ୍ତି । ଏପରିକି ଅତୀତରେ ଶିଘ୍ର ଧାନ ଉଠାଣ କରିବାକୁ ଦାବୀ କରିବାରୁ ହାବସପୁର, ବିଜମରା,କାଙ୍କେରୀ,ଧର୍ମଗଡ,କଲମପୁର ଭଲି ମଣ୍ଡି ମାନଙ୍କର ଚାଷୀ ମାନଙ୍କୁ ମିଲର୍ସ ମାନେ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅତୀତରେ ଏସବୁ ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ମାନଙ୍କୁ ଟେଗିଂ କରାନଯିବାକୁ ଚାଷୀ ମହଲରେ ଦାବୀ କରାଯାଇଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ ଧାନ ଲିଫ୍ଟିଂ ମୂଲ୍ୟ ହ୍ରାସ ବାହାନା କରି ସଂପୃକ୍ତ ମିଲର୍ସ ମାନଙ୍କୁ ସୁହାଇବା ପାଇଁ ସେସବୁ ଦାବୀକୁ ଫାଇଲ ତଳେ ଚାପି ଦେଇଥିବା ଅଭିଯୋଗ ହୋଇଥିଲା । ସରକାର କଳାହାଣ୍ଡି ଜିଲ୍ଲା ଦେଶରେ ଧାନ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ହୋଇଥିବା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କେଉଁଥିପାଇଁ ପ୍ରଥମ ତାହା ଘୋଷଣା କରାଯାଉନାହିଁ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଆଗାମୀ ଖରିଫ ଧାନ କିଣା ବ୍ୟବସ୍ଥାରେ ପ୍ରଶାସନ ପୂର୍ବ ଅନିୟମିତତାକୁ ଆଧାର କରି ସଂଶୋଧନ କରିବାକୁ ପ୍ରଚେଷ୍ଟା କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।