Odiapua.com

କଳାହାଣ୍ଡିରେ ମାଓ ତାଣ୍ଡବ,ଦୁଇଦିନରେ ଦୁଇଜଣଙ୍କୁ ଗୁଳିକରି ହତ୍ୟା,କମ୍ବିଂ ବେଳେ ଜଣେ ମାଓ ନିହତ

କଳାହାଣ୍ଡି – ୨୫/୦୭/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମାଓ ପ୍ରବଣ ଲାଂଜିଗଡ ଅଂଚଳରେ ମାଓ ଉପଦ୍ରବ ଲାଗିରହିଛି । ଗତ ୨୧ତାରିଖ ବିଜେପୁର ଥାନା ଅନ୍ତର୍ଗତ ପାହାଡପଦର ରବିବାର ସାପ୍ତାହିକ ବଜାରରେ ନିକଟସ୍ଥ ବୋରପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ୨ ଜଣ ମହିଳା ସମେତ ୪ ଜଣ ସଶସ୍ତ୍ର ମାଓବାଦୀ ଦିନ ଦ୍ୱିପ୍ରହରରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ପୋଲିସ ଇନଫର୍ମର ଭାବେ କାମ କରୁଥିବା ଏବଂ ବେଦାନ୍ତ ସପକ୍ଷରେ ଜନମତ ସୃଷ୍ଟି କରୁଥିବା ଅଭିଯୋଗରେ ତାକୁ ମୃତୁ୍ୟ ଦଣ୍ଡ ଦେଇଥିବା ମାଓବାଦୀ ମାନେ ଛାଡିଯାଇଥିବା ପୋଷ୍ଟରରୁ ଜଣାପଡିଥିଲା । ସେହିଦିନ ବିଲମ୍ବିତ ରାତିରେ ବିଜେପୁର ଥାନା ଅନ୍ତର୍ଗତ ବାବୁପଦର ଗ୍ରାମର ଭୀମ ଦୋରାକୁ ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଥିବା ପ୍ରକାଶ । ପୋଲିସ ଇନଫର୍ମର ସନେ୍ଦହରେ ଭୀମକୁ ମୃତୁ୍ୟ ଦଣ୍ଡ ଦିଆଯାଇଥିବା ମୃତ ଦେହ ପାଖରେ ଏକ ସାଧା କାଗଜରେ ଲେଖା ଛାଡି ଯାଇଥିବା ଜଣାପଡିଛି । ଦିନକ ମଧ୍ୟରେ ଏଭଲି ଭାବେ ଲାଂଜିଗଡ ଅଂଚଲରେ ମାଉବାଦୀଙ୍କ ନୃଶଂସ କାଣ୍ଡ ସମଗ୍ର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ଏହି ଘଟଣା ପରେ ପୋଲିସ ତଥା ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ଲାଂଜିଗଡ ଥାନା କୋଟବଣ୍ଡେଲ ନିକଟରେ କମ୍ବିଂ ସମୟରେ ମାଓବାଦୀ ମାନଙ୍କ ପକ୍ଷରୁ ଗୁଳି ଚାଲନା କରାଯିବା ପରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଳଟା ଗୁଳି କରାଯିବା ପରେ ଜଣେ ମାଓବାଦୀ ସୁରେଶ ର ମୃତୁ୍ୟ ହୋଇଯାଇଥିବା ଦକ୍ଷିଣପଶ୍ଚିମାଂଚଳ ଡିଆଇଜି ହିମାଂଶୁଲାଲ କଳାହାଣ୍ଡି ଏସପି ଙ୍କ ଉପସ୍ଥିତିରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହି କମ୍ବିଂ ସମୟରେ ଉକ୍ତ ମାଓ ବାଦୀର ମୃତ ଦେହ ସହିତ ୩୦୩ ରାଇଫଲ ସମେତ ଅନେକ ସାମଗ୍ରୀ ଜବତ ହୋଇଥିବା ବେଳେ ଛଅରୁ ସାତ ଜଣ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସଫଳ ହୋଇଥିବା ପ୍ରକାଶ । ଜନସାଧାରଣ କୌଣସିପ୍ରକାରେ ଭୟଭୀତ ନହୋଇ ପୋଲିସକୁ ସହଯୋଗ କରିବା ପାଇଁ ଡିଆଇଜି ଏବଂ ଏସପି ଆହ୍ୱାନ ଜଣାଇଛନ୍ତି ।