Odiapua.com

କଳାହାଣ୍ଡିରେ ବେଆଇନ ବାଲି କାରବାର, ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ

କଳାହାଣ୍ଡି ତା.୨୪.୦୩.୨୦୨୧  (ଓଡିଆପୁଅ)  କଳାହାଣ୍ଡି ଜିଲ୍ଲାରେ ବେଆଇନ ବାଲି କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି । ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି । ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି । ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି । ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି । ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି । ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ ଦେଇପାରୁନଥିବା ହେତୁ ସରକାରୀ ରାଜସ୍ୱ ହାନି ହେଉଥିବା କୁହାଯାଉଛି । ବାଲିଘାଟ ନିଲାମଧାରୀଙ୍କ ନାମରେ ଏଗ୍ରିମେଂଟ ହୋଇଛି ି କି ନାହିଁ ସେହି ତଥ୍ୟ ମଧ୍ୟ ସଂପୃକ୍ତ ଆରଆଇଙ୍କ ପାଖରେ ନାହିଁ ।
ଅନ୍ୟ ପକ୍ଷରେ ନିଲାମ କରିସାରିବା ପରେ ତହସିଲ ପକ୍ଷରୁ ପରିବେଶ ମଂଜୁରୀ ପାଇଁ  ଆବେଦନ କରାଯାଉଥିବା ହେତୁ ଏଗ୍ରିମେଂଟ ପାଇଁ ବିଲମ୍ବ ହେଉଥିବା ଏବଂ ଓଏମଏମସି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି । ହେଲେ ନିଲାମ କରିବା ପୂର୍ବରୁ ପରିବେଶ ମଂଜୁରୀ ଅଣାଯାଇ ନିଲାମ କରାଗଲେ ନିଲାମଧାରୀ ତୁରନ୍ତ ଏଗ୍ରିମେଂଟ କରିବାରେ ସୁବିଧା ହୋଇପାରନ୍ତା ଓ ଓଏମଏମସି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଏଗ୍ରିମେଂଟ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତହସିଲ ଗୁଡିକ ପକ୍ଷରୁ ଗତ ମଇ ଜୁନ ମାସରେ ନିଲାମ କରାଯାଇଥିବା ବେଳେ  ଯେଉଁମାନେ ସର୍ବାଧିକ ମୂଲ୍ୟ ଦେବାକୁ ଦର୍ଶାଇ ନିଲାମ ପାଇଥିଲେ ସେମାନେ ମଧ୍ୟ ଆବଶ୍ୟକୀୟ କାଗଜାତ ସହିତ ପରିବେଶ ମଂଜୁରୀ  ମିଳିନଥିବା ହେତୁ ଏଗ୍ରିମେଂଟ କରିପାରିନଥିଲେ । ନିଲାମ ହୋଇଥିବା ସଂପୃକ୍ତ ବାଲିଘାଟ ଗୁଡିକର ନିୟମିତ ଭାବେ  ବାଲି ଉଠାଣ କରାଯାଉଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗମାନ ହେଉଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ  କ୍ଷତି ହେଉଥିବା ଜଣାପଡିଛି  । ତହସିଲ ଅଫିସ ହିଁ ଓଏମଏମସି ଅଧିନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି ।
କଳାହାଣ୍ଡିରେ ହୋଇଥିବା ବାଲିଘାଟ ନିଲାମ, ପରିବେଶ ମଂଜୁରୀ ଇତ୍ୟାଦିର ଏକ ଉଚ୍ଚସ୍ତରୀୟ ତଦନ୍ତ
କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।