Odiapua.com

କଳାହାଣ୍ଡିରେ ବରିଷ୍ଠ ସୁରକ୍ଷା ଉପଦେଷ୍ଠାଙ୍କ ମାଓ ଦମନ ସମୀକ୍ଷା ବୈଠକ

କଳାହାଣ୍ଡି, ତା. ୦୫.୦୩.୨୦୨୦ ( ଓଡିଆପୁଅ ) କେନ୍ଦ୍ର ସରକାରଙ୍କ ବରିଷ୍ଠ ସୁରକ୍ଷା ଉପଦେଷ୍ଠା କେ. ବିଜୟ କୁମାର ଦିନିକିଆ କଳାହାଣ୍ଡି ଗସ୍ତ କରି ମାଓ ଦମନ ପ୍ରକ୍ରୀୟା ସଂପର୍କରେ ସମୀକ୍ଷା କରିଛନ୍ତି । ଓଡିଶା ଓ ପଡୋଶୀ ଛତିଶଗଡ ରାଜ୍ୟର ଛଅ ଗୋଟି ପୋଲିସ ଜିଲ୍ଲାର ଏସପି ମାନଙ୍କୁ ନେଇ ଏହି ସମୀକ୍ଷା ବୈଠକରେ ମାଓ ଦମନ, ମାଓ ଅପରେସନ, ଗୁଇନ୍ଦା ରିପୋର୍ଟ ସଂଗ୍ରହ, ଋଚ୍ଚନୀତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ବିଷୟ ବିଜୟ କୁମାର ଗଣମାଧ୍ୟମକୁ କହିଛନ୍ତି ।

କଳାହାଣ୍ଡି ଜିଲ୍ଲା ପୋଲିସ ମୂଖ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଦକ୍ଷିଣ ପଶ୍ଚିମ ଡିଆଇଜି ସଫିନ ଅହମ୍ମଦ, ୬୫ ବାଟାଲିଆନ ସିଆରପିଏଫ କମାଣ୍ଡାଂଟ ଡିଏନ ଯାଦବ, ୨୧୧ ବାଟାଲିଆନ ସିଆରପିଏଫ କମାଣ୍ଡାଂଟ ଏ ଏଚ ଆଚାରୀ, କଳାହାଣ୍ଡି ଏସପି ଦାୟୀତ୍ୱରେ ଥିବା ରାୟଗଡା ଏସପି ଶବଚ୍ଚ ବିବେକ, ବଲାଙ୍ଗୀର ଏସପି ମଡକର ସନ୍ଦିପ ସମ୍ପତ, ନୂଆପଡା ଏସପି ବିନୀତ ଅଗ୍ରୱାଲ ଙ୍କ ସମେତ ଛତିଶଗଡ ରାଜ୍ୟ ଗରିଆବନ୍ଧ ଏସପି ଏମଆର ଅହିରେ, ଧନତରୀ ଏସପି ଭାନୁପ୍ରତାପ, ମହାସମୁନ୍ଦ ଏସପି ଜିତେନ୍ଦ୍ର ଶୁକ୍ଲା ପ୍ରମୂଖ ଯୋଗ ଦେଇଥିଲେ । ମାଓ ରନନୀତିରେ ଉଭୟ ରାଜ୍ୟର ମିଳିତ ଅପରେସନ ଓ ସୀମାନ୍ତରେ ଦୁଇ ରାଜ୍ୟର ସମନ୍ୱୟ ରକ୍ଷା ଓ ଅପରେସନ ଉପରେ ଆଲୋଚନା ହୋଇଥିଲା ।

ମାଓ ଅଂଚଳରେ ଅସଂପୂର୍ଣ୍ଣ ଥିବା ଉନ୍ନୟନ ମୂଲକ କାର୍ଯ୍ୟ ସବୁ ସଂପୂର୍ଣ୍ଣ କରାଯିବା ସହିତ ମାଓ ମୁକାବିଲା ପାଇଁ ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ କରାଯିବା ଭଲି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ମାଓ ଦମନରେ ଓଡିଶା ଓ ଛତିଶଗଡ ଫୋକସରେ ଥିବାରୁ ଦୁଇରାଜ୍ୟର ରଣନୀତି ସଂପର୍କରେ ପ୍ରଶଂସା କରିବା ସହିତ ସୀମାନ୍ତ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନିଆଯିବ ବୋଲି ବିଜୟ କୁମାର କହିଛନ୍ତି ।