Odiapua.com

କଳାହାଣ୍ଡିରେ ତୁରନ୍ତ ମେଡିକାଲ କଲେଜ ନିର୍ମାଣ ସ୍ପଷ୍ଟ କରିବାକୁ ଦାବି: ସରକାରୀ ଉଦାସୀନତାର ପ୍ରତିବାଦ

କଳାହାଣ୍ଡି- ୧୦-୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଭଙ୍ଗାବାରୀ ଠାରେ ଶିଳାନ୍ୟାସ ହୋଇଥିବା ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ପଷ୍ଟ କରିବାକୁ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ଦାବି ଜଣାଇଛି। ଅନ୍ୟଥା ଦଳମତ ନିର୍ବିଶେଷରେ ଶିକ୍ଷାବିକାଶ ପରିଷଦ ତରଫରୁ କଳାହାଣ୍ଡି ଜିଲ୍ଲା ସାରା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମୀଳନୀରେ ପରିଷଦର ଅଧ୍ୟକ୍ଷ ପ୍ରଫେସର ଗୋପବନ୍ଧୁ ବେହେରା ଘୋଷଣା କରିଛନ୍ତି। ରବିବାର ଦିନ ଭବାନୀପାଟଣା ସ୍ଥିତ ହୋଟେଲ ମିଡଟାଉନ ସମ୍ମୀଳନୀ କକ୍ଷରେ ପରିଷଦର ସଭାପତି ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ସମେତ ଉପସଭାପତି ଆଇନଜୀବୀ ଜଗନ୍ନାଥ ମୁଣ୍ଡ ଓ ଶିକ୍ଷାବିତ ପ୍ରଫେସର ଅକ୍ଷୟ ନନ୍ଦ, ସଂପାଦକ କୃଷ୍ଣାବତାର ଦେଓ ମିଳିତ ଭାବେ ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଚନ୍ତି। ସୂଚନା ଯୋଗ୍ୟ ଯେ, ଗତ ପଂଚାୟତ ନିର୍ବାଚନ ସମୟରେ ରାଜ୍ୟ ସରକାର ତରବରିଆ ଭାବେ କଳାହାଣ୍ଡି ଜିଲ୍ଲାରେ ରେଡିକାଲ କଲେଜ ନିର୍ମାଣ କରିବାର ଘୋଷଣା କରିଥିଲେ। ତଦନୁସାରେ ଭବାନୀପାଟନା ନିକଟବର୍ତ୍ତୀ ଭଙ୍ଗାବାରୀ ଠାରେ ଗତ ଜାନୁଆରୀ ୧୭ ରେ ମୁଖ୍ୟମନ୍ତ୍ରୀ ଶିଳନ୍ୟାସ ମଧ୍ୟ କରିସାରିଛନ୍ତି। ଏହି ମେଡିକାଲ କଲେଜର ଭିତିଭୂମି ବିକାଶ ପାଇଁ ବେଦାନ୍ତ କମ୍ପାନୀ ପକ୍ଷରୁ ଶହେ କୋଟି ଟଙ୍କା ଯୋଗାଇ ଦେବାର ସ୍ଥିର ହୋଇଥିଲା। ଏହି ଶିଳନ୍ୟାସ ସଭାରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଧର୍ମଗଡ ବିଧାୟକ ଏହି ମେଡିକାଲ କଲେଜ ଆଗାମୀ ୨୦୧୮-୧୯ ଶିକ୍ଷାବର୍ଷ ଠାରୁ ଆରମ୍ଭ ହେବ ବୋଲି ଘୋଷଣା ମଧ୍ୟ କରିଥିଲେ। ଅଥଚ ଶିଳନ୍ୟାସ ଦିଆଯିବାର ଦେଢବର୍ଷରୁ ଅଧିକ ସମୟ ଅତିବାହିତ ହୋଇଯାଇଥିଲେହେଁ ସେଠାରେ ଇଟାଖଣ୍ଡେ ମଧ୍ୟ ଉଠିନଥିବାର ଜଣାପଡିଛି। ଫଳତଃ ଏହି ମେଡିକାଲ କଲେଜ ଅନ ପ୍ରକଳ୍ପ ମାନଙ୍କ ପରି ଜିଲ୍ଲାରୁ ଅନ୍ୟତ୍ର ଚାଲିଯିବାର ସମ୍ଭାବନା କରି ଏବଂ ଜାରିଙ୍ଗ ମେଡିକାଲ ଅବସ୍ଥା ପରି ହେବାର ଆଶଙ୍କା କରି ଜିଲ୍ଲା ବାସୀଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଯଦିଓ ରାଜ୍ୟ ସରକାର କଳାହାଣ୍ଡି ବାସୀଙ୍କ ଉନ୍ନତି ପ୍ରତି ଆନ୍ତରିକତାର ସହ ଚାହୁଁଛନ୍ତି ତେବେ ତୁରନ୍ତ ମେଡିକାଲ କଲେଜ ନିର୍ମାଣ ଓ ପାଠପଢା ସଂପର୍କରେ ସ୍ପଷ୍ଟ କରନ୍ତୁ ବୋଲି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ଦୃଢ ଦାବି କରାଯାଇଛି। ଅନ୍ୟଥା ଆଗାମୀ ଅକ୍ଟୋବର ମାସଠାରୁ ଗ୍ରାମାଂଚଳ ଠାରୁ ଆରମ୍ କରି ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଖରେ ଏସଂପର୍କରେ ସବିଶେହ ତଥ୍ୟ ଶିକ୍ଷାବିକାଶ ପରିଷଦ ପକ୍ଷରୁ ପହଂଚାଇ ଦିଆଯିବ ଏବଂ କଳାହାଣ୍ଡି ବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଜନଜାଗରଣ ସୃଷ୍ଠି କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏତଦ ବ୍ୟତୀତ ନିକଟ ଅତୀତରେ ବଲାଙ୍ଗୀର, କୋରାପୁଟ ତଥା ବାଲେଶ୍ୱର ଠାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ସବୁଥି ପରି ଏଥର ମଧ୍ୟ ପଛରେ ରହିଯାଇଥିବା ଏବଂ ଅବହେଲିତ ହେଉଥିବା ସଂପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ଆଲୋଚନା କରିଥିଲେ।