Odiapua.com

କଳାହାଣ୍ଡିରେ ଜାତୀୟ ସାମ୍ବାଦିକତା ଦିବସ ପାଳିତ

କଳାହାଣ୍ଡି – ୧୨.୧୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପ୍ରଶାସନ ଓ ସାମ୍ବାଦିକ ସମୂହ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଳି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏସପି ବାତୁଳା ଗଙ୍ଗାଧର, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତି୍ୟକ ରାସବିହାରୀ ବେହେରା, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ପ୍ରମୂୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରାଙ୍କୁ ଜିଲ୍ଲାର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ଆଜି ଉନ୍ନତି ପଥରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଚାଲିଛି । ଏଣୁ କଳାହାଣ୍ଡିର ନକରାତ୍ମକ ସମ୍ବାଦ ପରିବେଷଣ କରାନଯାଇ ସକରାତ୍ମକ ସମ୍ବାଦ ପରିବେଷଣ କରିବା ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ସେହିପରି ଓୟୁଜେ ପକ୍ଷରୁ ଜୁନାଗଡ ଟାଉନ ହଲ ଠାରେ ଜୋନାଲ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଓୟୁଜେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯୟକ୍ରମରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପାଦକ ଅଶୋକ ନନ୍ଦ ମୂଖ୍ୟ ବକ୍ତା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପଷ୍ପେନ୍ଦ୍ର ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାମ୍ବାଦିକ ପ୍ରତିଭା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରାଙ୍କୁ ଏବଂ ଯୁବ ସାମ୍ବାଦିକ ପ୍ରତିଭା ଭାବେ ଇଙ୍ଗିତ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ପାଇଁ ଦାବୀ କରାଯାଇଥିଲା ।
ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ଜୁନାଗଡ କଲ୍ୟାଣ ମଣ୍ଡପ ଠାରେ ପ୍ରେସ ଦିବସ ପାଳିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ରଜନୀ ବୈଠାରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସାମ୍ବାଦିକ ଏକତା ଉପରେ ଆଲୋକପାତ କରାଯାଇଥିଲା । ଓଜେୟୁ ପକ୍ଷରୁ ଭବାନୀପାଟଣା ଠାରେ ଜିଲ୍ଲା ସଭାପତି ନୀରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଥିଲା । ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଲନା କରିଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ସଂଘ ଗୁରୁତ୍ୱ ଦେବା ଆବଶ୍ୟକ ରହିଥିବା ମତ ପ୍ରକାଶ ପାଇଥିଲା । ଜିଲ୍ଲା ୱେବ ମିଡିଆ ସଂଘ ପକ୍ଷରୁ ଧର୍ମଗଡ ଠାରେ ଜିଲ୍ଲା ସଭାପତି ଆଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇ ୱେବ ମିଡିଆ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କଳାହାଣ୍ଡି ସାମ୍ବାଦିକ ୟୂନିଅନ ପକ୍ଷରୁ ଭବାନୀପାଟଣା ଠାରେ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଥିଲା । ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ କାର୍ଯୟକ୍ରମ ପରିଚାଲନା କରିଥିବା ବେଳେ ଥବିରାମ ବୁଦ୍ଧିଆ କାର୍ଯୟକ୍ରମ ପରିଚାଲନା କରିଥିଲେ । ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସେସବୁର ସମାଧାନ ପାଇଁ ସମସ୍ତ ସାମ୍ବାଦିକ ଐକ୍ୟ ବଦ୍ଧ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ବର୍ତମାନ ବିଧାନସଭାର ଶୀତ ଅଧିବେସନ ଚାଲିଥିବା ହେତୁ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଉପରେ ବିଚାର କରିବା ଆବଶ୍ୟକ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତପୋଷଣ କରିଥିଲେ ।