Odiapua.com

କଳାହାଣ୍ଡିରେ ଜଙ୍ଗଲ ଜଳୁଛି, ସାଟେଲାଇଟ ତଥ୍ୟ ଭରସାରେ ବନ ବିଭାଗ

କଳାହାଣ୍ଡି – ୧୬/୦୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡୁଥିବା ବେଳେ ମାନବ ସମାଜ ଭରସା କରୁଥିବା ଜଙ୍ଗଲ ମଧ୍ୟ ଗ୍ରୀଷ୍ମ ଜନିତ ନିଆଁରେ ପୋଡିବାକୁ ଲାଗିଛି। କର୍ଲାପାଟ ଅଭୟାରଣ୍ୟ ଗତ ମଇ ଓ ଜୁନ ମାସର ପ୍ରବଳ ତାତିରେ ନିଆଁ କବଳରେ ପଡିଥିବା ସହିତ ସିଂଘାରୀ ଜଙ୍ଗଲ, କେଗାଁ ଜଙ୍ଗଲ, ଚୁରାପାହାଡ ଜଙ୍ଗଲ, ପରିଆ ଘନା ଜଙ୍ଗଲ, ଉର୍ଲାଦାନୀ ଜଙ୍ଗଲ, ନିୟମଗିରି ଜଙ୍ଗଲର କିଛି ଅଂଶ, ଥୁଆମୂଳ ରାମପୁର ଜଙ୍ଗଲର କେତେକ ଅଂଶରେ ନିଆଁ ଲାଗି ଅନେକ ମୂଲ୍ୟବାନ ବୃକ୍ଷରାଜି କ୍ଷତିଗ୍ରସ୍ତ ହୋଇଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି। ଅନେକ ସମୟରେ କେବଳ କାଳ ବୈଶାଖିର ବର୍ଷା ହିଁ ସେହି ନିଆଁକୁ ଆୟତ କରିବାରେ ସକ୍ଷମ ହେଉଥିବା ଜଣାପଡିଛି। ଜଙ୍ଗଲ ମାନଙ୍କରେ ନିଆଁ ଲାଗିବା ଯୋଗୁଁ ବୃକ୍ଷରାଜି ନଷ୍ଟ ହେବା ସହିତ ବନ୍ୟ ଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି। ଜଙ୍ଗଲ ବିଭାଗ ଠୋସ ପଦକ୍ଷେପ ନେଇପାରୁନଥିବା ହେତୁ ନିଆଁ ଜନିତ କ୍ଷତି ପରିମାଣ ବଢୁଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ବନ ବିଭାଗ ନିଜସ୍ୱ ସୂତ୍ରରୁ ନିଆଁ ଲାଗିବା ଖବର ସଂଗ୍ରହ କରି ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେବା ବଦଳରେ ଡେରାଡୁନ ଠାରୁ ସାଟେଲାଇଟ ତଥ୍ୟ ଆଧାରରେ ନିଆଁ ଲିଭାଇବା ପଦକ୍ଷେପ ନେଉଥିବା ହେତୁ ବିଲମ୍ବ ଜନିତ କ୍ଷତି ପରିମାଣ ବଢିଯାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ବନ ବିଭାଗ ପାଖରେ ପ୍ରତି ରେଞ୍ଜର ସହିତ ଫାୟାର ସ୍କ୍ୱାର୍ଡ, ଫାୟାର ୱାଚର ଓ ଆଧୁନିକ ଯନ୍ତ୍ରପାତି ଥିବା କୁହାଯାଉଥିବା ବେଳେ ଘଟଣା ସ୍ଥଳକୁ ବିଲମ୍ବରେ ପହଂଚୁଥିବା ହେତୁ ନିଆଁରେ ଅନେକ ବୃକ୍ଷରାଜି ପୋଡି ନଷ୍ଟ ହେବାକୁ ଲାଗିଛି। ଏହାର ସୁଯୋଗ ନେଇ ଜଙ୍ଗଲ ମାଫିଆମାନେ ମଧ୍ୟ ସକ୍ରୀୟ ଥିବା କୁହାଯାଉଛି। ସେହିପରି ପୋଡୁଚାଷ ପାଇଁ କେତେକାଂଶରେ ଜଙ୍ଗଲ ପୋଡାଯାଉଥିବା ମଧ୍ୟ କୁହାଯାଉଛି। ଏହା ବ୍ୟତୀତ କେତେକ ଅଂଚଳକୁ ମାଓବାଦୀ ଭୟରେ ଜଙ୍ଗଲ ବିଭାଗ କର୍ମଚାରୀ ଯାଇପାରୁନଥିବା ବେଳେ ସେସବୁ ଅଂଚଳରେ ଅନେକ କ୍ଷୟକ୍ଷତି ହେବାରେ ଲାଗିଛି। ନିଆଁ ଲିଭାଇବାକୁ କର୍ମଚାରୀମାନେ ସର୍ବଦା ସଜାଗ ରହିଥିବା ବିଭାଗୀୟ ପଦାଧିକାରୀ କହୁଥିବା ବେଳେ କାଳ ବୈଶାଖୀ ବର୍ଷା ହିଁ ନିଆଁ ଲିଭାଇବାର ମୁଖ୍ୟ ଭୂମିକା ଲିଭାଉଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ବ୍ୟାପକ ଅନିୟମିତତା କରାଯାଇଥିବା ବିଷୟକୁ ସବୁ ଏଭଲି ଭାବେ ଜଙ୍ଗଲ ପୋଡି ଘଟଣା ଘୋଡାଇ ଦେଉଥିବା ବିଷୟ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ବିଭାଗୀୟ ପଦାଧିକାରୀମାନେ ଜଙ୍ଗଲ ପୋଡି ଘଟଣା ସବୁର ଉଚିତ ପଦକ୍ଷେପ ନିଆଯାଉଥିବା ବିଷୟ ପ୍ରକାଶ କରିଛନ୍ତି।