Odiapua.com

କଳାକାର କଲ୍ୟାଣ ପାଣ୍ଠିକୁ ଧନ୍ୟବାଦ ଦେଲେ ବୈକୁଣ୍ଠ 

ଯାଜପୁର୨-୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାର କେବଳ କଳାକାରଙ୍କୁ ଭତା ଦେଇ ସହଯୋଗ କରନ୍ତି ନାହିଁ, ଦୁରାରୋଗ୍ୟ ଓ କଠିନ ରୋଗରେ ପୀଡିତ କଳାକାର ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇ ଜୀବନ ରକ୍ଷା କରନ୍ତି ବୋଲି କୃତଜ୍ଞତା ସ୍ୱରରେ କୁହନ୍ତି ବରିଷ୍ଠ କଳାକାର ତଥା ଓଡିଶୀ ନୃତ୍ୟଗୁରୁ ବୈକୁଣ୍ଠ ନନ୍ଦ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାଧକପୁର ପଂଚାୟତ ଖରଜାବଟିରା ଗ୍ରାମର ବୈକୁଣ୍ଠ ଜଣେ ଓଡିଶୀ ନୃତ୍ୟଗୁରୁ ଭାବେ ବେଶ୍ ପରିଚିତ। ବର୍ତମାନ ବୟସ ୭୫ ଛୁଇଁଲାଣି। ତଥାପି କଳାରୁ ସେ ଦୁରେଇ ପାରି ନାହାନ୍ତି। ଶହ ଶହ କଳାକାର ସୃଷ୍ଟି କରିଛନ୍ତି ଜୀବନ କାଳରେ। ପତ୍ନୀ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ମୁତ୍ରାଶୟ (ପ୍ରୋଷ୍ଟ୍ରେଟ୍‌) ଓ ଆଣ୍ଠୁଗଣ୍ଠି ଜନୀତ ରୋଗରେ ଆକ୍ରାନ୍ତ ହେଲେ ବୈକୁଣ୍ଠ। କଳାକାରର ସୀକୃତି ସ୍ୱରୁପ ରାଜ୍ୟ ଓ କେନ୍ଦ୍ର କଳାକାର ଭତା ପାଉଥିବା ବୈକୁଣ୍ଠ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗର ସହାୟତା ଲୋଡିଲେ ଚିକିତ୍ସା ପାଇଁ। ନିଜର ଅସୁସ୍ଥତା, ଡାକ୍ତରଙ୍କ ପରାମର୍ଶ ସହ ଆବଶ୍ୟକ ଚିକିତ୍ସା ପାଇଁ ଅନୁରୋଧ କଲେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଧେଶକ ରଂଜନ କୁମାର ଦାସଙ୍କୁ। ତାଙ୍କର ସ୍ଥିତି ଅନୁଧ୍ୟାନ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଂସ୍କୃତି ବିଭାଗ ପକ୍ଷରୁ ୨୦ହଜାର ଟଙ୍କା ରାଜ୍ୟ ସରକାରଙ୍କ କଳାକାର କଲ୍ୟାଣ ପାଣ୍ଠିରୁ ମଞ୍ଜୁର କରାଯାଇଥିଲା। ନିଜର ଚିକିତ୍ସା କରାଇ ଏବେ ଏକ ସୁସ୍ଥ ଜୀବନ ଜିଉଁଛନ୍ତି ବୈକୁଣ୍ଠ। ଧନ୍ୟବାଦ ଦେଉଛନ୍ତି ରାଜ୍ୟ ସରକାରଙ୍କୁ ଓ ସଂସ୍କୃତି ବିଭାଗକୁ। ୨୦୨୦-୨୧ ବର୍ଷରେ ସଂସ୍କୃତି ବିଭାଗ କଳାକାର କଲ୍ୟାଣ ପାଣ୍ଠିରୁ ୧୯ଜଣ କଳାକାରଙ୍କ ଚିକିତ୍ସା ସୁବିଧା ପାଇଁ ୮ଲକ୍ଷ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ବୋଲି ବିଭାଗ ସୂତ୍ରରୁ ପ୍ରକାଶ।