Odiapua.com

କଳାକାରଙ୍କୁ ପୋଲିସର ମାଡ଼ ଘଟଣା, ଜିଲ୍ଲାକୁ ବଦଳି ହେଲେ ୪କର୍ମଚାରୀ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ପୋଲିସ ଶନିବାର ବିଳମ୍ବିତ ରାତ୍ରରେ କାଗଜପତ୍ର ଯାଞ୍ଚ ଆଳରେ ଜଣେ ମଞ୍ଚ କଳାକାରଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ମୋବାଇ ଛଡ଼ାଇ ନେଇଥିଲେ । ଏହି ଘଟଣାରେ ଆଗରପଡ଼ା ଥାନାର ୪ଜଣ କର୍ମଚାରୀ ସାମିଲ ଥିଲେ । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏନେଇ ସୋମବାର ଦୈନିକ ସମାଜ କାଗଜରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ଉକ୍ତ ଘଟଣାରେ ସଂପୃକ୍ତ ୪ଜଣ କର୍ମଚାରୀଙ୍କୁ ଆରକ୍ଷି ଅଧିକ୍ଷକଙ୍କ ହୁକୁମ୍ ପ୍ରମାଣ (କମାଣ୍ଡ ସାର୍ଟିଫିକେଟ୍‌) ବଳରେ ଜିଲ୍ଲା ସଦର ମହକୁମାକୁ ବଦଳି କରିନିଆଯାଇଛି । ସେମାନଙ୍କ ମଧ୍ୟରେ ଏଏସ୍‌ଆଇ ମହେନ୍ଦ୍ର ଗିରି, କନେଷ୍ଟବଳ ଚିନ୍ମୟ କୁମାର ଦେହୁରୀ, ହୋମ୍‌ଗାର୍ଡ ଅରୁଣ କୁମାର ଦାସ, ଗଜେନ୍ଦ୍ର କୁମାର ନାୟକ ରହିଛନ୍ତି । ପ୍ରକାଶ ଯେ ତେଲନଟି ଗ୍ରାମର ଗୋପିନାଥ ନାୟକ ଭଦ୍ରକରୁ ମେଲୋଡ଼ି ପ୍ରୋଗ୍ରାମ ସାରି ରାତ୍ର ୧୧ ଘଟିକା ସମୟରେ ଘରକୁ ଫେରୁଥିଲେ । ଉକ୍ତ ସମୟରେ ଥାନାର ଶେଷ ସୀମା କାଣ୍ଡବା (ବିୟରବାର) ଠାରେ ୪ଜଣ ପୋଲିସ କର୍ମଚାରୀ ଗୋପିନାଥଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ ଆଳରେ ନିସ୍ତୁକ ମାଡ଼ ମାରି ମୋବାଇଲ ଛଡ଼ାଇ ନେଇଥିଲେ । ତାଙ୍କର ଅଧିକାଂଶ ଅଙ୍ଗ କ୍ଷତାକ୍ତ ହୋଇଥିବା ବେଳେ ସେ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ମାଡ଼ ଖାଇଥିବା ଗୋପିନାଥ ଏହି ବଦଳିରେ ସନ୍ତୁଷ୍ଟ ନ ଥିବା କହି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଏସ.ପି. ଅଫିସ ସମ୍ମୁଖରେ ସପରିବାର ଧାରଣା ଦେବୁ ବୋଲି କହିଛନ୍ତି ।