Odiapua.com

କଳମଛୁଇଁରେ ଧାନମଣ୍ଡି ଉଦ୍‌ଘାଟିତ

ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଚାଷୀମାନେ ଶୃଙ୍ଖଳିତ ଭାବରେ ଧାନ ବିକ୍ରି କରି ସେମାନଙ୍କ ଉଚିତ୍ ପ୍ରାପ୍ୟ କିପରି ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତା,ଜିଲ୍ଲା ସହ ଯୋଗାଣ ଅଧିକାରୀ ଶ୍ରୀନିବାସ ମିଶ୍ର,ତାଳଚେର ସହନିବନ୍ଧକ ପ୍ରଦୀପ କୁମାର ଦାସ,ତାଳଚେର  ସହ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ମୋହନ ଚନ୍ଦ୍ର ପ୍ରଧାନ,ଗ୍ରାମ୍ୟ କୃଷି କର୍ମଚାରୀ ଶୁଭ୍ରଣିମା ବେହେରା ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ବଦ୍ଧରେ ଆଲୋକପାତ କରିଥିଲେ। ବର୍ତମାନ ସୁଦ୍ଧା କୁମୁଣ୍ଡା,ଗୋପାଳପ୍ରସାଦ,କଳମଛୁଇଁ,ଡଅଁରା,ପଦ୍ମାବତୀପୁର ପ୍ରମୁଖ ୫ଟି ପଂଚାୟତର ୪୫୬ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନିଜର ନାମ ପଞ୍ଜିକରଣ କରିଛନ୍ତି ବୋଲି ଜଣାପଡିଛି । ପ୍ରାକ୍ତନ ସମବାୟ ସମିତି ସଭାପତି ସନ୍ତୋଷ କୁମାର ପ୍ରଧାନ ଅତିଥି ପରିଚୟ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମିତି ସମ୍ପାଦକ ବୀରବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର ସମସ୍ତ ନିର୍ଦ୍ଦେଶକ, ନିର୍ଦ୍ଦେଶିକା ଓ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ସାଧାରଣ ଧାନର ସହାୟକ ମୂଲ୍ୟ ୧୮୬୮ଟଙ୍କା ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଛି। ସପ୍ତାହକୁ ସୋମବାର ଓ ଶନିବାର ୨ ଦିନ ଧରି ଧାନ କିଣା କାର୍ଯ୍ୟ ଚାଲିବ ବୋଲି ସମିତି ସମ୍ପାଦକ ବୀରବର ସାହୁ ଏହି ଅବସରରେ ସୂଚନା ପ୍ରଦାନ କରିଥିଲେ ।