Odiapua.com

କରୋନା ସହାୟତା ନମିଳିବା ପ୍ରତିବାଦରେ ବ୍ଲକ ଘେରାଉ କଲେ ମରୈଗାଁ ପ୍ରବାସୀ

ହାଟଡିହି-୮/୬, ସରକାର ପ୍ରବାସୀ ଓଡିଆମାନେ ଘରକୁ ଫେରିବାପରେ ସେମାନଙ୍କୁ ପ୍ରଥମେ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖି ସେମାନଙ୍କୁ ଖାଇବା ପିଇବା ସହ ସଙ୍ଗରୋଧ ଅବଧି ସମାପ୍ତ କରି ଘରକୁ ଯିବା ବେଳେକୁ ୨ହଜାର କରି ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ସଙ୍ଗରୋଧ ଅବଧି ସରିବାର ମାସେ ପରେବି ପ୍ରବାସୀ ମାନଙ୍କୁ ସହାୟତା ରାଶି ଦିଆଯାଉ ନଥିବାରୁ ବିଭିନ୍ନ ପଞ୍ଚାୟତରେ ଘରକୁ ଫେରୁଥିବା ପ୍ରବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ସହାୟତା ନମିଳିବା ପ୍ରତିବାଦରେ ଆଜି ମରୈଗାଁ ପଞ୍ଚାୟତର ଶତାଧିକ ପ୍ରବାସୀମାନେ ବ୍ଲକ ଘେରାଉ କରିଛନ୍ତି । ଆଜି ଏହାକୁ ନେଇ ମରୈଗାଁ ପଞ୍ଚାୟତରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ପ୍ରବାସୀମାନେ ପ୍ରଥମେ ପଞ୍ଚାୟତର ସରପଞ୍ଚଙ୍କୁ ଘେରାଉ କରିଥିଲେ । ଏହି ପଞ୍ଚାୟତରେ ମୋଟ ୧୭୪ଜଣ ପ୍ରବାସୀ ସଂଗରୋଧରେ ଥିବାବେଳେ ୧୨୮ଜଣ ସଙ୍ଗରୋଧ ଅବଧି ସମାପ୍ତ କରି ଘରକୁ ଫେରିଛନ୍ତି । ଘରକୁ ଯିବାବେଳେ ସେମାନଙ୍କୁ ଏକାଉଣ୍ଟ ମାଧ୍ୟମରେ ତୁମ ଏକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ ବୋଲି ସରପଞ୍ଚ କହିଥିଲେ । ପୁନର୍ବାର ସମସ୍ତଙ୍କ ଏକାଉଣ୍ଟ ନମ୍ବର ମିଳିପାରୁନି ତୁମେ ଆସନ୍ତା ଦିନେ ଦୁଇଦିନ ଭିତରେ ଆସ ତୁମ ମାନଙ୍କୁ ସିଧାସଳଖ ଟଙ୍କା ଦିଆଯିବ ବୋଲି କହିଥିେଲେ । ଏହିପରି କିଛିଦିନ ଧରି ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଆସି ନିରାଶ ହେବାପରେ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ଚିନ୍ତାମଣୀ ସାହୁ, ଅମର କୁମାର ଜେନା, ବାପୁନୁ ଜେନା, ବିଶ୍ୱନାଥ ଜେନା, ଅନନ୍ତ ସୁତାର, ରାକେଶ ଜେନା, ଭୋଳାନାଥ ଜେନା, ମିଥୁନ କୁମାର ଜେନା, ବିଜୟ କୁମାର ଜେନା, ପ୍ରଶାନ୍ତ କୁମାର ସେଠୀ, ଗଗନ ବିହାରୀ ଜେନା, ରଞ୍ଜନ କୁମାର ଜେନା, ପ୍ରକାଶ ଜେନା, ଜଗବନ୍ଧୁ ଜେନା, ନରହରି ବାରିକ, ଅଭିମନ୍ୟୁ ଜେନାଙ୍କ ସମେତ ଶତାଧିକ ପ୍ରବାସୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । ସରପଞ୍ଚ ନକୁଳ ଦାସ ସେମାନଙ୍କୁ ବୁଝାସୁଝା କରି ବିଫଳ ହେବାପରେ ବ୍ଲକ କାର୍ଯ୍ୟାଳୟକୁ ଆଣି ବିଡିଓଙ୍କ ସହ ଆଲୋଚନା କରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ବିଡିଓ ନଥିବାରୁ ସେମାନେ ନିରାଶରେ ଘରକୁ ଫେରିବାସହ ଆଗାମି ଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି । ସରପଞ୍ଚ କହିଛନ୍ତି ଯେ ଏହି ସହାୟତା ରାଶି ବଣ୍ଟନ କରିବାକୁ ସେମାନଙ୍କ ପାଖକୁ ଆଜି ପର୍ଯ୍ୟନ୍ତ ଟଙ୍କା ଆସିନି । ଟଙ୍କା ଆସିଲେ ଦିଆଯିବ । କିନ୍ତୁ କେହି ଏବାବଦରେ ସଠିକ କହିପାରୁ ନଥିବାରୁ ଆମେ କେବଳ ଗାଳି ଶୁଣୁଛୁ ବୋଲି ସେ କହିଛନ୍ତି ।