Odiapua.com

କରୋନା ସଚେତନ ପାଇଁ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ : ଚିତ୍ର ମାଧ୍ୟମରେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା

ସଚେତନତା ପାଇଁ ଚିତ୍ର ଶୀଳ୍ପୀଙ୍କ ନିଆରା ପ୍ରୟାସ। କରୋନା ଯୁଦ୍ଧରେ ଏହି ଯୋଦ୍ଧାଙ୍କ ଅସ୍ତ୍ର ସାଜିଛି ରଙ୍ଗ ଆଉ ତୁଳୀ। ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ

ବାଲିଗୁଡା, ୩୦/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସାରା ବିଶ୍ୱକୁ ଘାରିଛି ଏବେ କରୋନା ଚିନ୍ତା। ଗୋଟିଏ ପଟେ ରାଜ୍ୟରେ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ଏଭଳି ସ୍ଥିତିରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ଆଉଜଣେ ଯୋଦ୍ଧା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ଦଣ୍ଡିଆ। ଦୀର୍ଘ ୧୫ବର୍ଷ ହେବ ଅଞ୍ଚଳରେ ଚିତ୍ରକରି ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ହେଲେ ବର୍ତ୍ତମାନ ସମୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ପଠାଉଛନ୍ତି। ଏହା ଦେଖି ନିଜ ଖର୍ଚ୍ଚରେ ଲଣ୍ଡାଗାଁ ରୁ ବାଲିଗୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ଜନସାଧାରଣଙ୍କୁ ଏହି ଯୁବ ଚିତ୍ରଶିଳ୍ପୀ। ପାଖରେ ଟଙ୍କା ନାହିଁ ସରକାରଙ୍କୁ ଦେବାପାଇଁ ହେଲେ, ମୋ ପାଖରେ ରଙ୍ଗ ଆଉ ତୁଳୀ ତ ଅଛି। ଏହି ରଙ୍ଗ ଓ ତୁଳସୀ ସାହାଯ୍ୟରେ ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଉଛି ଏବଂ ଲୋକେ ଏଥିରୁ କିଛି ଶିଖି ପାରୁଛନ୍ତି। ଏଥିରେ ମୋତେ ବହୁତ ଖୁସି ମିଳୁଛି ବୋଲି କହିଛନ୍ତି ଚିତ୍ରଶିଳ୍ପୀ ପ୍ରମୋଦ। ସେପଟେ ପ୍ରମୋଦଙ୍କ ଏଭଳି ନିଃଶ୍ବାର୍ଥପର ସେବା ମନବୃତ୍ତିକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି। ଯାହାହେଉ ବାଲିଗୁଡ଼ା ବ୍ଲକ୍ ର ଉପାନ୍ତ ଅଞ୍ଚଳ ଲଣ୍ଡାଗାଁ ର ଏହି ଯୁବ ଚିତ୍ରଶିଳ୍ପୀ ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଚିତ୍ରକଳା ମାଧ୍ୟମରେ ଜନସାଧାରଣଙ୍କୁ କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି। ଏଥିପାଇଁ ଆମ ଅଞ୍ଚଳବାସୀ ଗର୍ବିତ ବୋଲି କହିଛନ୍ତି ଦେବେନ୍ଦ୍ର କୁଦେଇ।ପିଲାଟି ଦିନରୁ ଚିତ୍ର ପ୍ରତି ଆଗ୍ରହୀ ଥିଲେ ପ୍ରମୋଦ। ବାପାଙ୍କ ଦେହାନ୍ତ ପରେ ବଡ଼ଭାଇ, ଭାଉଜ ଓ ମା ସବୁକିଛି। ପ୍ରମୋଦ ଙ୍କ ଚିତ୍ର ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ପ୍ରମୋଦ ଙ୍କୁ ଉତ୍ସାହିତ କରିଥିଲେ ଏବଂ ଚିତ୍ର କରିବାପାଇଁ ଆବଶ୍ୟକ ସାମଗ୍ରୀ କିଣିବାରେ ମଧ୍ୟ ସହଯୋଗ କରିଥିଲେ ପରିବାର ଲୋକେ। ଧିରେଧିରେ ଚିତ୍ରରେ ଉନ୍ନତି ଘଟିଥିଲା ପ୍ରମୋଦଙ୍କର। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ଚିତ୍ରକଳାକୁ ଜୀବିକା ଭାବେ ବାଛି ନେଇଛନ୍ତି ପ୍ରମୋଦ। ସରକାରୀ, ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଚିତ୍ରକରି ଦିପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରନ୍ତି ପ୍ରମୋଦ। ଓ୍ବାଲ୍ ପେଣ୍ଟିଂ ସହ ପେନ୍ସିଲ୍ ଆର୍ଟ, କାନଭାସରେ ବିଭିନ୍ନ ସଚେତନତା ବାର୍ତ୍ତା ଓ ବ୍ୟକ୍ତି ବିଶେଷଙ୍କ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ କରନ୍ତି। ହେଲେ ପ୍ରୋତ୍ସାହନ ଅଭାବରୁ ଉନ୍ନତି ଘଟିପାରୁ ନାହିଁ। ସରକାରୀ ସହାୟତା ମିଳିଲେ ଅଞ୍ଚଳର ଅନେକ ଚିତ୍ରଶିଳ୍ପୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ପ୍ରମୋଦ।