Odiapua.com

କରୋନା ସଚେତନତା କେବଳ ସୋସିଆଲ ମିଡିଆରେ ସିମୀତ

କୋଦଳା ୨୦ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା କରୋନାକୁ ନେଇ ଏବେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ୨୦୦ ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇ ସାରିଲାଣି। ବ୍ଲକର ଅନେକ ଗୁଡିଏ ପଞ୍ଚାୟତ ସଟ୍ ଡାଉନ୍ ଘୋଷିତ ହୋଇଛି। ହେଲେ ଦେଖାଯାଉଛି, କରୋନାକୁ ନେଇ ଗ୍ରାମାଞ୍ଚଳର ବାସିନ୍ଦା ଆଦୌ ସଚେତନ ହେଉ ନାହାଁନ୍ତି। ସରକାରଙ୍କ ଗାଇଡ୍ ଲାଇନ୍ ମାନୁନାହାନ୍ତି।ସେମାନେ ଠିକ୍ ନିତିଦିନିଆ ଜୀବନ ଯାପନ କରିବା ସହ ମାକ୍ସ ନ ପିନ୍ଧିବା, ବାରମ୍ବାର ବାହାରକୁ ବାହାରିବା ଉପରେ ନିୟନ୍ତ୍ରଣ କରି ପାରୁ ନାହାନ୍ତି। ଏମାନେ ସାମିଲ୍ ହେଉଥିବା କେତେକ ସ୍ଥାନକୁ ଦେଖିବାରୁ ଏହା ଜଣାପଡିଛି। ଏହାର ନମୁନା ବିଭିନ୍ନ ପରିବା ବଜାର, ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟରେ ସାମିଲ୍ ହେଉଥିବା ଲୋକେ କରୋନାକୁ ନେଇ ଆଦୌ ସଚେତନ ନଥିବା ମନେ ହେଉଛି। ଏମାନଙ୍କୁ ସଚେତନ କରିବା ଲାଗି ବିଭିନ୍ନ ବସ୍ତି, ଗ୍ରାମ ଗୁଡିକରେ ପ୍ରଚାରର ଆବଶ୍ୟକ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। କାରଣ ମୋବାଇଲରେ କଣ ଖବର ଆସୁଛି କି ଟିଭିରେ କିଏ କଣ କହୁଛି ତାହା ଜାଣିବା ପାଇଁ ଏମାନଙ୍କ ପାଖରେ ସମୟ ନାହିଁ। ଗ୍ରାମାଞ୍ଚଳର ଲୋକେ ଜମିରେ କାମ କରିବା ହେଉ କି ମୂଲ ଖଟିବା ହେଉ କାମ କରି ଘରକୁ ଆସି ଖାଇପିଇ ଶୋଇ ପଡନ୍ତି। ଏଣୁ ଗାଁ ଓ ବସ୍ତି ଗୁଡ଼ିକରେ ପ୍ରଚାରର ନିହାତି ଆବଶ୍ୟକ ରହିଛି। ପ୍ରଚାର ଓ ସଚେତନତା ଅଭାବରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ଏଥିରେ ସନ୍ଦେହ ନାହିଁ। ଠିକ୍ ସେହିପରି ସାମାଜିକ ଦୂରତାକୁ ବଜାୟ ରଖିବା ହେଉଛି କରୋନା ସଂକ୍ରମଣ ରୋକିବାର ପ୍ରମୁଖ ଉପାୟ। କିନ୍ତୁ ଦୈନନ୍ଦିନ ଜୀବନ ଭିତରେ ଲୋକେ ବ୍ୟାଙ୍କ, ବଜାର ଓ ବିଭିନ୍ନ ସ୍ଥାନକୁ ଯିବା ବେଳେ ଏସବୁକୁ ନଜର ଦେଉ ନଥିବା ଦେଖିବାକୁ ମିଳୁଛି। ଏସବୁ ଯାଗାରେ ବଜାରର ଦୋକାନ ମାଲିକ ହେଉ କିମ୍ବା ପରିବା ବଜାର, ମାଛ ବଜାର ସବୁଠି ସାମାଜିକ ଦୂରତା ଫେଲ୍ ମାରୁଛି।ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ସଚେତନ ଲାଗି ଠୋସ୍ ପଦକ୍ଷେପ ନିଆ ଯାଉନି। ଯାହାର ଫଳସ୍ୱରୂପ ଏବେ ଗୋଷ୍ଠୀ ସଂକ୍ରମଣର ରୂପ ନେଲାଣି କରୋନା।