Odiapua.com

କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର କଡ଼ା ପଦକ୍ଷେପ

ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଆହୁରି କଡ଼ାକଡ଼ି ହୋଇଛି। ବିଶେଷ କରି ସପ୍ତାହ ଅନ୍ତ ଦୁଇଦିନିଆ ସଟ୍ ଡାଉନ୍ ବେଳେ ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବା ଓ ସହରର ବିଭିନ୍ନ ମାର୍କେଟର ଦୋକାନ ଆଗରେ ହେଉଥିବା ଭିଡ଼ କମାଇବା ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ଆଜି ମାଇକ୍‌ରେ ପ୍ରଚାର କରାଯିବା ସହ ଏକାଧିକ ପୁଲିସ ଟିମ୍ ପକ୍ଷରୁ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ଦେକାନରେ ଭିଡ଼ ନ କରିବା, ସାମାଜିକ ଦୂରତା ରକ୍ଷା କରିବା, ସମସ୍ତେ ମାସ୍କ ପିନ୍ଧିବାକୁ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଦୋକାନରେ ହେଉଥିବା ଭିଡ଼ ପାଇଁ ଦୋକାନୀଙ୍କୁ ଦାୟୀ କରାଯିବା ସହ ଆବଶ୍ୟକ ପଡ଼ିଲେ ଫାଇନ୍ ଆଦାୟ ସହ ଦୋକାନକୁ ସିଲ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନା ଭଳି ସ୍ଥିତିରୁ ନିଜେ ବର୍ତ୍ତିବା ସହ ଅନ୍ୟର ଜୀବନ ରକ୍ଷା ପାଇଁ ସମସ୍ତେ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।