Odiapua.com

କରୋନା ରୋଗୀଙ୍କ ପାଇଁ ଆଶାର କିରଣ : ବାଲେଶ୍ୱରରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ

ବାଲେଶ୍ୱର, ୧୮ା୮(ଓଡ଼ିଆ ପୁଅ/ଅଭୟ ଦାସ): ସଂକଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରରେ ଆଜି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ରକ୍ତଭଣ୍ଡାରରେ ସ୍ଥାପିତ ଏହି ପ୍ଲାଜମା ବ୍ୟାଙ୍କ ଆଜି ଉଦ୍‌ଘାଟିତ ହୋଇଥିଲା। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ରାଜ୍ୟ ସରକାରଙ୍କ ଏହି ଯୋଜନା କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ୍ ଜଗଦେବ ଓ ଏଡିଏମଓ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ଲାଜମା ବ୍ୟାଙ୍କର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତର ଓଡ଼ିଶାର ଏହି ପ୍ରଥମ ପ୍ଲାଜମା ବ୍ୟାଙ୍କ ଦ୍ୱାରା ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାର କରୋନା ରୋଗୀ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି ସିଡିଏମଓ ଡାକ୍ତର ଜଗଦେବ କହିଥିଲେ। ଏହି ବ୍ୟାଙ୍କରେ ୨ ଟି ଚ୍ୟାମ୍ବରେ ୨ ଶହ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ରହିପାରିବ ବୋଲି ସେ ସୂଚନା ଦେଇଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତରଙ୍କ ସମେତ ବହୁ ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।