Odiapua.com

କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ, ପଜେଟିଭର ଗୋଟିଏ ଦିନ ପରେ ଆସୁଛି ନେଗେଟିଭ ମେସେଜ

ହାଟଡିହି -୧୫। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଏବେ କରୋନା ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବାବେଳେ ରୋଗୀଙ୍କ ପାଇଁ ଖର୍ଚ୍ଚକୁ ନେଇ ନାନା ଅପପ୍ରଚାର ଚାଲିଛି। ଏହାରି ମଧ୍ୟରେ ଆଜି କେନ୍ଦୁଝର ଜିଲ୍ଲାରେ କରୋନା ରିପୋର୍ଟକୁ ନେଇ ଆଉ ଏକ ସନ୍ଦେହର ଫର୍ଦ ଯୋଡି ହୋଇଯାଇଛି। ଗତକାଲି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମୋଟ ୧୭ଜଣଙ୍କ ସ୍ୱାବ ନମୁନା ପଜେଟିଭ ଆସିଥିଲା। ତନ୍ମଧ୍ୟରୁ ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ୬ଜଣ, ମରଚାଇପଦାରେ ୨ଜଣ, ବାଲିବରେଇ ପଞ୍ଚାୟତରେ ୭ଜଣ, ବଞ୍ଚୋ ପଞ୍ଚାୟତରେ ୨ଜଣଙ୍କ ରିପୋର୍ଟ ପଜେଟିଭ ଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ରାତିରେ ସୋସୋ ପଞ୍ଚାୟତ ଓ ବାଲିବରେଇ ପଞ୍ଚାୟତର ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦୁଝର କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିଲା। କେବଳ ବଞ୍ଚୋର ଦୁଇଜଣ ଆକ୍ରାନ୍ତଙ୍କୁ ଆଜି ନେବାର ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଅପରାହ୍ନରେ ସେମାନଙ୍କ ମୋବାଇଲକୁ ସେମାନଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଏହାକୁନେଇ ସେମାନଙ୍କ ମନରେ ଏହି ପରୀକ୍ଷାକୁ ନେଇ ସନ୍ଦେହ ଦେଖାଦେଇଛି। ଗତକାଲି ସ୍ୱାସ୍ଥ୍ୟ ବିଭାଗ ପାଖକୁ ପଜେଟିଭ ରିପୋର୍ଟ ଆସିଥିବାବେଳେ ଆଜି କିପରି ନେଗେଟିଭ ରିପୋର୍ଟ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମସ୍ତ ଆକ୍ରାନ୍ତମାନେ ଏନେଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି। ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତକାଲି ସେମାନଙ୍କ ରିପୋର୍ଟ ପଜେଟିଭ ଆସିଥିଲା। କିନ୍ତୁ ଆଜି ଯେଉଁ ମେସେଜ ଯାଇଛି ତାହା କେବଳ ହାଟଡିହି ବ୍ଳକ ନୁହଁ ସମସ୍ତଙ୍କ ପାଖକୁ ଏପରି ମେସେଜ ଯାଇଥିବା ସେ ଶୁଣିବାକୁ ପାଇଛନ୍ତି। ଏ ସମ୍ପର୍କରେ ସେ ଜିଲ୍ଲା କାର୍ଯ୍ୟାଳୟକୁ ସୂଚନା ଦେଇଛନ୍ତି। ମେସେଜରେ କୌଣସି ତ୍ରୁଟି ଥିବା ସେ ସନ୍ଦେହ କରୁଛନ୍ତି।