Odiapua.com

କରୋନା ଯୋଦ୍ଧା ଡ. ନରହରି ବେହେରାଙ୍କ ପରଲୋକ

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟର ଜଣେ ଉଚ୍ଚକୋଟିର ସାହିତ୍ୟିକ, ସୁବକ୍ତା ତଥା ଏହି ଜିଲାର ଧାମନଗରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଭାବେ କାର୍ଯ୍ୟ କରି ଏବେ ପଡୋଶୀ ବାଲେଶ୍ୱର ଜିଲାର ସିମୁଳିଆର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିବା କରୋନା ଯୋଦ୍ଧା ଡ. ନରହରି ବେହେରାଙ୍କ ଆଜି ସନ୍ଧ୍ୟା ୬.୩୦ ରେ ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଡ. ବେହେରା ଜଣେ ବରିଷ୍ଠ ତଥା ଆଦର୍ଶ ପ୍ରଶାସନିକ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିଆସିଥିବାବେଳେ ବହୁ ଗବେଷଣାତ୍ମକ ସନ୍ଦର୍ଭ ଓ ପ୍ରବନ୍ଧ ଲେଖି ଓଡ଼ିଶା ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ତାରକା ଥିଲେ । ତାଙ୍କର ଘର ଏହି ଜିଲାର ବାସୁଦେବପୁର ଆଟୋ ହୋଇଥିବାବେଳେ ସେ ଜଣେ ସଂସ୍କୃତ ଶିକ୍ଷକରୁ ଓଏସ୍ ପାଇ ଦକ୍ଷ ପ୍ରଶାସନିକ ଅଧିକାରୀ ହୋଇପାରିଥିଲେ । ବିଶେଷକରି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଆସୁଥିବା ‘ଭଦ୍ରାୟଣୀ’ ର ସେ ଉପସ୍ଥାପକ ଥିଲେ । ସେ କରୋନା ସମୟରେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିଆସୁଥିବାବେଳେ ନିଜେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସେ ଗତକାଲି ଠାରୁ ଗୁରୁତର ହୋଇ ଆଇସିୟୁରେ ରହିଥିଲେ । ମାତ୍ର ଆଜି ତାଙ୍କଭଳି ଜଣେ କରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କର ଏହି ଅକାଳ ବିୟୋଗରେ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି ।