Odiapua.com

କରୋନା ଯୋଦ୍ଧା ଡାଃ ସଜ୍ଜନ ପନସାରୀଙ୍କ ପରଲୋକ

ସମ୍ବଲପୁର, ୦୪/୦୯ (ଓଡ଼ିଆ ପୁଅ/ସରୋଜ ସାହୁ) : ସହର ର ଜଣାଶୁଣା ଡାଃ ସଜ୍ଜନ ପନସାରୀ (୫୬) ଙ୍କ ଗୁରୁବାର ପରଲୋକ ହୋଇଛି। ଡାଃ ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ। ସ୍ୱର୍ଗତ ଡାଃ ପନସାରୀ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନିଶା ନିବାରଣ ବିଭାଗ ରେ କାର୍ଯ୍ୟ କରୁଥିଲେ। ଜ଼ିଲ୍ଲା କୋଭିଡ ପରିଚାଳନା ରେ ସେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ। ଗତ ୧୨ ତାରିଖ ଠାରୁ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଡାଃ ପନସାରୀ ଚିକିତ୍ସିତ ହେଉଥିଲେ।

ସ୍ୱର୍ଗତ ଡାଃ ପନସାରୀ ବିଜେଡି ନେତା ତଥା ପୁର୍ବତନ କାଉନ୍ ସିଲର ବିହାରୀଲାଲ ପନସାରୀ ଙ୍କ ପୁଅ ଅଟନ୍ତି। ଡାଃ ପନସାରୀ ଙ୍କ ଶବ ଗୁରୁବାର ରାତିରେ ସମ୍ବଲପୁର ପହଂଚିବା ପରେ ଜ଼ିଲ୍ଲାପାଳ ଶୁଭମ ସକ୍ସେନା, ଏସପି ଡଃ କନୱାର ବିଶାଳ ସିଂ ପ୍ରମୁଖ ଜ଼ିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରି ସ୍ଥାନୀୟ ରାଜଘାଟ ପହଂଚି ଏହି କରୋନା ଯୋଦ୍ଧା ଙ୍କୁ ଅନ୍ତିମ ସମ୍ମାନ ପ୍ରଦର୍ଶନ କରିଥିଲେ।

ଡାକ୍ତର ପନସାରୀ ଆଏମଏ ସମ୍ବଲପୁରର ସମ୍ପାଦକ ମଧ୍ୟ ଥିଲେ। ଡାକ୍ତର ପନସାରୀଙ୍କ ବିୟୋଗ ରେ ଆଏମଏ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରି ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ବଲପୁର ରେ ୨ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଲେଣି। ଡାଃ ପନସାରୀ ଙ୍କ ପୂର୍ବରୁ ହୀରାକୁଦ ଇଏଏସଆଇ ଡାକ୍ତରଖାନା ର ଡାକ୍ତର କୁଳମଣି ସୁନା ଙ୍କ ମଧ୍ୟ କରୋନା ରେ ପରଲୋକ ହୋଇଛି।