Odiapua.com

କରୋନା ଯୋଗୁଁ ବୋଲ୍‌ବମ୍ ଭକ୍ତଙ୍କ ପାଇଁ କଟକଣା : ଆଖଣ୍ଡଳମଣି ପୀଠ ସମେତ ଜିଲାବ୍ୟାପୀ ଶୈବପୀଠରେ ୧୪୪ ଧାରା ଜାରି

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ୍ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏଥିଲାଗି କାଉଡିଆଙ୍କୁ ଜଳାଲାଗି ପାଇଁ ବାରଣ କରାଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏହି ମର୍ମରେ ଏକ ପତ୍ର ମାଧ୍ୟମରେ ସଂପୃକ୍ତ କଟକଣା ଜିଲ୍ଲାବ୍ୟାପୀ ପ୍ରଣୟନ କରିଛନ୍ତି । ଉପଜିଲ୍ଲାପାଳ ପୀତାମ୍ବର ସାମଲ ଏ ନେଇ ଜିଲ୍ଲାର ସମସ୍ତ ଶୈବ ପୀଠରେ ୧୪୪ ଧାରା ଜାରି କରିଛନ୍ତି । କୌଣସି ଭକ୍ତ କୌଣସି ନଦୀ, ପୁଷ୍କରିଣୀ ଅଥବା କୌଣସି ସ୍ଥାନରୁ ଜଳ ନେଇ ଶିବଙ୍କୁ ଜଳଲାଗି କରି ପାରିବେ ନାହିଁ । ମନ୍ଦିରରେ ଭକ୍ତ ଏକତ୍ରିତ ହୋଇ ପାରିବେ ନାହିଁ । କେବଳ ସେବାୟତ ଦିଅଁଙ୍କ ନୀତିକାନ୍ତି କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଜୁଲାଇ ଓ ଅଗଷ୍ଟ ୨ ମାସ ବଳବତ୍ତର ରହିବ । କୌଣସି ପରିସ୍ଥିତିରେ ଧାର୍ମିକ ଅନୁଷ୍ଠାନ ଖୋଲା ରହି ପାରିବ ନାହିଁ । ଏହି ଅଞ୍ଚଳ ମଧ୍ୟରେ କୌଣସି ଧାର୍ମିକସଭା, ରାଜନୈତିକ ସଭା ହୋଇ ପାରିବ ନାହିଁ । ୭ଜଣୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବ ନାହିଁ ଉପ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବିଶେଷକରି ଏହି ଜିଲାରେ ଥିବା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଧାମରେ ଚଳିତବର୍ଷ ଶ୍ରାବଣୀଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ବିଭିନ୍ନ ଶୈବକ୍ଷେତ୍ର ହୋଇ ଉଠିଥାନ୍ତା ଉତ୍ସବମୁଖର । ହେଲେ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ହେବ କଟକଣା ଜାରି ରହିଥିବାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ତାହାସହ ଯେପରି କୋଣସି ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କର ସମାଗମ ନହେବ ସେଥିପାଇଁ କଡା ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର ।ଏପରିକି ଚଳିତ ବର୍ଷ ଶ୍ରାବଣୀଯାତ୍ରା ବୋଲବମ ବା କାଉଡିଆଭକ୍ତମାନଙ୍କର ଜଳଲାଗି ଉପରେ ରାଜ୍ୟ ସରକାର ରୋକ ଲଗାଇଥିବା ବେଳେ କୋଣସି ଜଳ ଉତ୍ସରୁ ଯେପରି ଭକ୍ତମାନେ ଜଳଲାଗି ନିମନ୍ତେ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରି କରାଯାଇଛି ।

 

 

ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ସୋମବାର ପ୍ରଥମପାଳି ହୋଇଥିବାରୁ ଆରଡିପୀଠ ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରରେ ୧୪୪ଧାରା ଜାରି କରିଛନ୍ତି ଭଦ୍ରକ ଜିଲା ପ୍ରଶାସନ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଚିଠି ନଂ ୯୦୭୦ ଏକ ସ୍ୱତନ୍ତ୍ର ପତ୍ର ମନ୍ଦିର ପ୍ରଶାସନକୁ ପ୍ରେରଣ କରାଯାଇଛି । ଏପରିକି ମନ୍ଦିର ପରିସର ମଧ୍ୟରେ ଅଧିକ ସଂଖ୍ୟକ ସେବାକାରୀ ନରହିବା, ନୀତିକାନ୍ତି ସମୟରେ ସୀମିତ ସେବାୟତ ମାକ୍ସ ପରିଧ୍ୟାନ କରିବା ସହ ସାମାଜିକ ଦୂରତା ରକ୍ଷାକରି ସମସ୍ତ ସେବାପୂଜା ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରି କରାଯାଇଛି । ତାହାସହ ପୀଠରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀକୁ ପରିଧିକୁ ମଧ୍ୟ ୧୪୪ଧାରା ଜାରି କରାଯାଇଥିବା ଚିଠିରେ ଉଲେଖ୍ୟ ରହିଛି । ସେହିପରି ପୀଠକୁ ସଂଯୋଗ କରୁଥିବା ସମସ୍ତ ଯାତାୟତ ପଥରେ କୋଣସି ବୋଲବମ/କାଉଡିଆଭକ୍ତ ଜଳଭାର ଧରି ନଆସିବା ଉପରେ କଟକଣା ଜାରି କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଶ୍ରଦ୍ଧାଳୁମାନେ କୋଭିଡ-୧୯କୁ ମାନି ଘରେ ରହି ମଣିବାବଙ୍କ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।