Odiapua.com

କରୋନା ଯୋଗୁଁ ଫିକା ବାଲେଶ୍ୱରର ଗଣେଶ ପୂଜା – ଘରେ ରହି ସମସ୍ତେ କଲେ ଗଣପତିଙ୍କ ଉପାସନା

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ପ୍ରଭାବ ଦେଶର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଧିକ ମାତ୍ରାରେ ଅନୁଭୁତ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଧିରେ ଧିରେ ଆମର ସାମାଜିକ ଜୀବନଯାତ୍ରା ପ୍ରଭାବିତ ହେବା ସହ ପର୍ବପର୍ବାଣୀ ପାଳନରେ ଏହା ଅନ୍ତରାୟ ସୃଷ୍ଟି କରିଛି। ଗତ ମାର୍ଚ୍ଚ ମାସରେ ଦେଶରେ କରୋନା କାୟା ବିସ୍ତାର କରିବାଠାରୁ ଧର୍ମିକ ସ୍ଥଳକୁ ସର୍ବସାଧାରଣ ପ୍ରବେଶ ଉପରେ ଅଙ୍କୁଶ ଲାଗିଥିବା ବେଳେ ଗଣପର୍ବ ବା ସାମାଜିକ ତଥା ସାମୂହିକ ଉତ୍ସବ ପାଳନ କଥା ବି ସମସ୍ତେ ଭୁଲି ଗଲେଣି। ପୂର୍ବରୁ ବାସନ୍ତିପୂଜା, ଚଡ଼କମେଳା, ଚନ୍ଦନ ଯାତ୍ରା, ରଜ, ରଥଯାତ୍ରା, ଗହ୍ମାପୂର୍ଣ୍ଣିମା ପ୍ରଭୃତି ପର୍ବପର୍ବାଣୀ କେବଳ ବିଧିରକ୍ଷାରେ ପାଳିତ ହୋଇଥିବା ବେଳେ ଆଜି ଆଦ୍ୟଦେବ ପ୍ରଭୁ ଗଣପତିଙ୍କ ପୂଜାରେ ବି ଅନୁରୂପ ପରିସ୍ଥିତି ପରିଲକ୍ଷିତ ହୋଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମାନି ମହାରାଷ୍ଟ୍ର ଭଳି ରାଷ୍ଟ୍ରରେ ଚଳିତ ବର୍ଷ ଗଣେଶ ପୂଜା କୋଭିଡ ନିୟମ ଭିତ୍ତିରେ ପାଳିତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହି ପୂଜାରେ ସାମାଜିକ ଦୂରତ୍ୱ ରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବା ମାର୍ଗଦର୍ଶିକା ଦିଆଯାଇ ନଥିଲେ ମଧ୍ୟ ଜିଲ୍ଲାବାସୀ ସାମୂହିକ ପୂଜା ଓ ମିଳିତ କାର୍ଯ୍ୟକ୍ରମରୁ ନିବୃତ ରହିଥିବା ପରିଲକ୍ଷିତ ହୋଇଛି। ଏମିତିକି ସ୍କୁଲ କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ମଧ୍ୟ ଯଥାବିଧି ପୂଜା କରାଯାଇଛି। ଅନ୍ୟପକ୍ଷରେ ଘର ପରିବାର ମଧ୍ୟରେ ସମସ୍ତେ ଗଣପତିଙ୍କୁ ଉପାସନା କରିଛନ୍ତି। ଅନ୍ୟାନ୍ୟ ବର୍ଷଭଳି ଗୋଟିଏ ସ୍ଥାନରେ ୩୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ସାର୍ବଜନୀନ ଗଣେଶଙ୍କ ମେଢ଼ସ୍ଥାପନ ହେଉଥିବା ବାଲେଶ୍ୱର ସହରର ବିବେକାନନ୍ଦ ମାର୍ଗ ଆଜି ସମ୍ପୂର୍ଣ୍ଣ ଫାଙ୍କା ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ୩୦ରୁ ଊର୍ଦ୍ଧ୍ୱ କ୍ଲବର ଯୁବ-ଛାତ୍ରଙ୍କର ନୂଆ ନୂଆ ଡିଜାଇନ୍ ମୂର୍ତ୍ତି ଦେଖିବାକୁ ଏଠାରେ ଭିଡ଼ ଲାଗିଥାଏ, ମାତ୍ର ଚଳିତ ବର୍ଷ କରୋନା ପାଇଁ କ୍ଲବର ପିଲାମାନେ ନିଜ ନିଜର ଘରେ ପୂଜା କରିଥିବା ଜଣାପଡ଼ିଛି। ସେହିଭଳି ବାଲେଶ୍ୱରର ସର୍ବୋଚ୍ଚ ତୋରଣ ସାଙ୍ଗକୁ ବଡ଼ ଗଣେଶ ମୂର୍ତ୍ତି ହେଉଥିବା ଫକୀର ମୋହନ ଗୋଲେଇର ଲରି କ୍ଲବ ବି କୋଭିଡ୍ ନିୟମ ପାଳନ ପୂର୍ବକ ଚଳିତ ବର୍ଷର ପୂଜାକୁ ବିଧିରକ୍ଷାରେ କରିଥିବା ଜଣାପଡ଼ିଛି। ସେହିଭଳି ବାଲେଶ୍ୱର ସହରରେ ହେଉଥିବା ଶତାଧିକ ସାର୍ବଜନୀନ ଗଣେଶ ପୂଜା ଏଥର ହୋଇ ନଥିବ ଦେଖିବାକୁ ମିଳିଛି। ମାନବ ଜୀବନ ରକ୍ଷାକୁ ଗୁରୁତ୍ୱ ଦେଇ ସବୁ ଅନ୍ୟାନ୍ୟ ପର୍ବପର୍ବାଣୀ ଭଳି ଏ ବର୍ଷ ବାଲେଶ୍ୱର ଜିଲ୍ଲା ଗଣେଶ ପୂଜା ମଧ୍ୟ ପିକା ପଡ଼ିଛି।