Odiapua.com

କରୋନା ଯୁଦ୍ଧରେ ସମସ୍ତଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛନ୍ତି ବୌଦ୍ଧର ଗଙ୍ଗାଧର ସ୍ୱେଛାସେବୀ ସମିତି

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ଦେଶରେ କରୋନା ମହାମାରୀ ବିପକ୍ଷରେ ଯୁଦ୍ଧରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ  ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାର ସେବା ଯୋଗାଇଦେଉଥିବାବେଳେ ବୌଦ୍ଧର ଗଙ୍ଗାଧର ସ୍ୱେଛାସେବା ସମିତିର ସେବାକାର୍ଯ୍ୟ ଅନ୍ୟମାନଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଛି । ଏହି ସମିତିର ସ୍ୱେଛାସେବୀମାନେ ବର୍ଷତମାମ ଅସହାୟ ଲୋକଙ୍କ ପାଇଁ ସାହାରା ପାଲଟି ଅଜଣା ମୃତଲୋକଙ୍କ ଶବଦାହ,ଗୋମାତାଙ୍କ ସେବା,ଦୁଃଖୀ ଓ ଗରିବଲୋକଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ଓ ତାଙ୍କର ସେବା ଶୁଶ୍ରୁଷା କରିବା ଭଳି କାର୍ଯ୍ୟକରି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଏହି କରୋନା ଯୁଦ୍ଧରେ ଅନୁଷ୍ଠାନର ସ୍ୱେଛାସେବୀମାନେ ନିଜ ଘରେ ରୋଷେଇ କରି ସହରର ସମସ୍ତ ବସ୍ତି ଓ ବିଭିନ୍ନ ସ୍ଥାନରେ ରହିଥିବା ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ସହିତ ସନ୍ଧ୍ୟାରେ କର୍ତ୍ତବ୍ୟରତ ପୋଲିସ,ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱେଛାସେବୀମାନଙ୍କୁ ଚା ଓ ବିସ୍କୁଟ ଯୋଗାଇଦେଉଛନ୍ତି । ଏହି ଅନୁଷ୍ଠାନର ସ୍ୱେଛାସେବୀମାନେ ସ୍ୱଛଳବର୍ଗର ହୋଇନଥିବା ସତ୍ୱେ ନିଜେ ଅର୍ଥ ଯୋଗାଡ କରି କରୋନା ଯୁଦ୍ଧରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନତା ଓ ସହଯୋଗ ଯୋଗାଇଦେଉଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହିଭଳି ଅନୁଷ୍ଠାନ ଗୁଡିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାବେଳେ ପୋଲିସ ମଧ୍ୟ ସହଯୋଗ କରୁଥିବା ଅନୁଷ୍ଠାନର ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର ପ୍ରକାଶ କରିଛନ୍ତି ।