Odiapua.com

କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ବାର୍ତ୍ତା ଦେଲେ ସମଗ୍ର ରାଜ୍ୟବାସୀ:ସମୀର ମହାନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ରାତି ୯ ଟା ସମୟରେ ୯ ମିନଟ ପାଇଁ ଘର ଦୁଆରେ ଦୀପ, ମହମବତୀ, ଟର୍ଚ୍ଚ ଓ ମୋବାଇଲ ଫ୍ଲାସ ଲାଇଟ ଜଳାଇଲେ ସମଗ୍ର ରାଜ୍ୟବାସୀ
ଭୁବନେଶ୍ୱର, ୦୫/୪ (ଓଡ଼ିଆ ପୁଅ) : ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ। କରୋନା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗରିବ ଭାଇ ଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କୁ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଆଶାର ଆଲୋକ ଦିଗରେ ଆଗେଇବା ପାଇଁ ଆଜି ଓଡିଶାବାସୀଙ୍କ ସମେତ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିଜ ପରିବାର ସହ ଘର ଆଗରେ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଜି ରାତି ୯ ଟା ସମୟରେ ୯ ମିନଟ ପାଇଁ ରାଜ୍ୟବାସୀ ସ୍ୱତଃପ୍ରବୃତ ଭାବେ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ ଏବଂ ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଓ ମୋବାଇଲ ଫ୍ଲାସ ଲାଇଟକୁ ଜଳାଇଥିଲେ। କୌଣସି ବ୍ୟକ୍ତି ନିଜ ଘରୁ ନବାହାରି ସାମାଜିକ ଦୂରତାକୁ ବଜାୟ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ପାଳନ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ସମଗ୍ର ରାଜ୍ୟବାସୀ ବାର୍ତ୍ତା ଦେଇଛନ୍ତି। ଏହି ଆଲୋକ କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।