Odiapua.com

କରୋନା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ହାଟଡିହି-୨୩ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନାର ଦ୍ୱୀତିୟ ଲହର ଏବେ ଦ୍ରୁତଗତିରେ ସଂକ୍ରମଣ କରୁଥିବାରୁ ଏହାକୁ ପ୍ରତିହତ କରିବାପାଇଁ ଜନସଚେତନତା ଜରୁରୀ ହୋଇପଡିଛି । ଏଥିପାଇଁ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁ ନଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାକୁନେଇ ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ବିଡିଓ ଜୟଦେବ ଦାସ, ତହସିଲଦାର କିର୍ତ୍ତନ ବିହାରୀ ଓଝା, ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ସୋସୋ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ, ସିଡିପିଓ ସରସ୍ୱତୀ ସେଠୀ, ଶାଳଣିଆଁ ଡାକ୍ତରଖାନାର ବିପିଏମ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଗାଇଡଲାଇନକୁ କିପରି ପାଳନ କରାଯିବ ସେନେଇ ଆଲୋଚନା କରିଥିଲେ । ବିଶେଷକରି ଛକ ବଜାର ମାନଙ୍କରେ ଗହଳି ହେଉଥିବାରୁ ତାହାକୁ ରୋକିବାପାଇଁ ପଦକ୍ଷେପ ନେବା ସହିତ ବ୍ୟବସାୟୀମାନେ ଯେପରି କୋଭିଡ ଗାଇଡଲାଇନ ମାନି ଦୋକାନ ଖୋଲିବେ ସେନେଇ ମଧ୍ୟ ଆଲୋଚନା କରିଥିଲେ । ହାଟଡିହି ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନେ ପ୍ରବଳ ଗହଳି କରୁଥିବାରୁ ତାହାକୁ ରୋକିବାପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଛେନାପଦି ଛକ ପରିବା ମାର୍କେଟରେ ସକାଳୁ ସକାଳୁ ଗହଳି ହେଉଥିବା ଓ ସାମାଜିକ ଦୁରତା ରହୁ ନଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିବା ଜଣାଯାଇଛି ।