Odiapua.com

କରୋନା ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତ୍ୱରିତ ପଦକ୍ଷେପ ନିଆଯାଇଛି। ଜରୁରୀ କାଳୀନ ସ୍ଥିତିରେ କରୋନା ଚିକିତ୍ସା ନିମନ୍ତେ ଗ୍ରାମାଂଚଳରେ ୨୭୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଏପର୍ଯ୍ୟନ୍ତ ୩୦୫୯ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଉକ୍ତ ଚିକିତ୍ସା କେନ୍ଦ୍ରଗୁଠଡିକ ୫୨ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ୧୯୦ଟି ବିଦ୍ୟାଳୟ ଏବଂ ଅନ୍ୟ ଗ୍ରାମପଂଚାୟତ ଓ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଖୋଲାଯାଇଛି। ଉକ୍ତ କେନ୍ଦ୍ରଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ସଂପୃକ୍ତ ବିଡିଓ ଓ ତହସିଲଦାରଙ୍କ ତତ୍ୱାବଧାରରେ ପରିଚାଳିତ ହେଉଛି। ସେହିପରି ସହରାଂଚଳରେ ୩୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୫୫୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ଓ ଅନ୍ୟାନ୍ୟ ଅଧିକାରୀମାନେ ବିଭିନ୍ନ ବ୍ଲକ ଗ୍ରସ୍ତକରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଜିଲ୍ଲାର ୭୪୮୩ଜଣଙ୍କୁ ସେମାନଙ୍କ ଘରେ ସଂଘରୋଧଭାବେ ରଖାଯାଇଛି। ରାଜ୍ୟ ଓ ଜାତୀୟ ଖାଦ୍ୟ ଯୋଜନା ଅଧିନରେ ଥିବା ଏ ପର୍ଯ୍ୟନ୍ତ ୩ଲକ୍ଷ ୧୭ହଜାର ୬୭୧ଟି ପରିବାରକୁ ପ୍ରତ୍ୟେକ ୧ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପଂଜିକୃତ ୩୨ହଜାର ୪୨୨ଜଣ ନିର୍ମାଣ ଶ୍ରମିକଙ୍କୁ ୪କୋଟି ୮୬ଲକ୍ଷ ୩୩ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅଟକ ରହିଥିବା ବିଭିନ୍ନ ଜିଲ୍ଲାର ବ୍ୟକ୍ତି ଓ ଶ୍ରମିକ ଜିଲ୍ଲା ମଧ୍ୟରେ ଥିବା ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଂଟନ କରାଯାଉଛି। ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଲକଡାଉନ ନିୟମ ଭଙ୍ଗ ଅଭିଯୋଗରେ ପୁଲିସ ପ୍ରଶାସନ ପକ୍ଷରୁ ଆଜି ୩ଟି ମାମଲା ରୁଜୁ କରାଯିବା ସହ ୨ଟି ମୋଟର ସାଇକେଲ ଜବତ କରାଯାଇଛି।