Odiapua.com

କରୋନା ମାଡରେ ମତ୍ସ୍ୟଜୀବୀ ଘାଇଲା : ୩୧ ଲକ୍ଷ ଭଡା ଖୋଜୁଛି ସଂସ୍ଥା

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନିବର୍ଷ ହୋଇଗଲା ଧାମରା ଫିସିଂ ହାର୍ବର ପରିସରରେ ଛିଡା ହୋଇଥିବା ୭ ଲକ୍ଷ ଟଙ୍କାର କୋଠା ଭୂତକୋଠି ପରି ଛିଡା ହୋଇଛି । ୨୦୧୪ ମସିହାରେ କୋଠା ନିର୍ମାଣ ପେ ର୨୦୧୫ ରେ ରାଜ୍ୟରେ ଥିବା ଫିସ୍ ଏକ୍ସପୋର୍ଟ ମହାସଂଘ ହାତକୁ ଏହି କୋଠା ଟେକି ଦିଆଗଲା । ୯ଟି ଏକ୍ସପୋର୍ଟ କଂପାନୀ ମିଳିମିଶି ମାସକୁ ୧ ଲକ୍ଷ ଟଙ୍କା ଭଡାରେ ଏହାକୁ ନେଇ ମାଛ କିଣାବିକା କଲେ । କିନ୍ତୁ ଏହା ମାଲି ମୋକଦ୍ଦମାରେ ଫସିଗଲା । ଏକ୍ସପୋର୍ଟ ମହାସଂଘ ମଧ୍ୟରୁ ମ୍ୟାଗନମ୍ ସି ଫୁଡ୍ ଏକ୍ସପୋର୍ଟ କଂପାନୀକୁ ସାମିଲ ନକରିବାରୁ ସେ ହାଇକୋର୍ଟରେ ଦ୍ୱାରସ୍ଥ ହେଲା । ତାହା ପରେ କେଶ୍ ସମାଧାନ ହେବା ଏବଂ ଏଗ୍ରିମେଣ୍ଟ କ୍ୟାନସଲ ହେବା ଏପରିକି ନୂଆ ଟେଣ୍ଡର ଡକା ହେବା ପରେ ବି କେହି ଟେଣ୍ଡର ପକାଇ ନାହାଁନ୍ତି । ଯେଉଁ ଏକ୍ସପୋର୍ଟ କଂପାନୀ ଏହାକୁ ନେଇଥିଲେ, ତାହାର ଭଡା ଯାହାକି ୩୧ ଲକ୍ଷ ଟଙ୍କା ଆଜିଯାଏଁ ବାକିଆ ପକାଇଛନ୍ତି । ଧାମରା ଫିସିଂ ହାର୍ବର ହାତକୁ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଆଯିବା ପାଇଁ ଏବେ ଜୋରଦାର ଦାବି ହେଉଛି । ମିଳିଥିବା ତଥ୍ୟ ଅନୁଯାୟୀ ଆଶା ଓ ଆଶଙ୍କା ମଧ୍ୟରେ ୬ କୋଟି ଟଙ୍କାର ନିର୍ମିତ ଗୃହ ଏବଂ ୩ କୋଟି ଟଙ୍କାର ସରକାରୀ ଯନ୍ତ୍ରପାତି ଏବେ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରୁଛି । ୬୦୦ ଲକ୍ଷ ବିନିମୟରେ ର୍ନିମିତ ଏହି ଅତ୍ୟାଧୁନିକ ସାମୁଦ୍ରିକ ମତ୍ସ୍ୟ ପ୍ରକ୍ରିୟା କାରଣ ଗୃହ ଓ ୩୦୦ ଲକ୍ଷର ଯନ୍ତ୍ରପାତି ଥିବା ଏହି ବିରାଟକାୟ ପ୍ରକଳ୍ପ ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ଆସୁନି । ଗୃହ ନିର୍ମିତ ସରିଛି କିନ୍ତୁ ତା ମଧ୍ୟରେ ଏଯାଏଁ ୩ଟି ବରଫ କଳ ଓ ମତ୍ସ୍ୟଜୀବୀଙ୍କ ସଭାଗୃହ ନିର୍ମିତ ହୋଇପାରିନାହିଁ । ୨୦୧୫ ଡିସେମ୍ବର ୯ ତାରିଖରେ ଏହି ଅତ୍ୟାଧୁନିକ ଗୃହ ମତ୍ସ୍ୟ ବିଭାଗର ମନ୍ତ୍ରୀଙ୍କ ହାତରେ ଉଦ୍‌ଘାଯନ ହେବାର ଥିଲା, ତାହା ପଡିରହିଲା ଓ ୨୦୧୯ ଫେବୃୟାରୀରେ ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ୬୦ କିଲୋମିଟର ଦୂରରୁ ଉଦ୍‌ଘାଟନ ହେଲା । ତଥାପି ମଧ୍ୟ ଏହି ଗୃହ ଧାମରା ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନାହିଁ କି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହି ଗୃହ ନିର୍ମାଣ ପରେ ପ୍ରାଥମିକ ବିବାଦ ଦେଖା ଦେଇଥିଲା । ଏହି ଅତ୍ୟାଧୁନିକ ଗୃହକୁ ରାଜ୍ୟରେ ଥିବା ୯ଟି ମାଛ ଏକ୍ସପୋର୍ଟ କଂପାନୀ ମାସିକ ୧ ଲକ୍ଷ ଟଙ୍କା ଭଡା ସୂତ୍ରରେ ନେଇଥିଲେ । କିନ୍ତୁ ତାହା ଫସର ଫାଟିଗଲା । ମତ୍ସ୍ୟଜୀବୀ ଓ ଏକ୍ସପୋର୍ଟ କଂପାନୀ ବିବାଦ ଯୋଗୁଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ସେ ସମୟରେ ଚିନ୍ତାରେ ପଡିଥିଲା । ରାଜ୍ୟ ମତ୍ସ୍ୟ ବିଭାଗ ୟୁରୋପ, ଆମେରିକା, ଜାପାନ୍ ଭଳି ରାଷ୍ଟ୍ରକୁ ଧାମରା ଅଂଚଳରୁ ସାମୁଦ୍ରିକ ଚିଙ୍ଗୁଡି ରପ୍ତାନୀ କରିବା ପାଇଁ ଯେଉଁ ଚୁକ୍ତି କରିଛି, ତାହା ଧାମରା ଧୀବରଙ୍କ ହାତରେ ଲଟକି ଯାଇଥିଲା । ଗତ ୩ ବର୍ଷ ଧରି ଓଡ଼ିଶାରୁ ଯେଉଁ ଚିଙ୍ଗୁଡି ରପ୍ତାନୀ ହେଉଥିଲା, ତାହାକୁ ଜାପାନ ସରକାର ଫେରାଇ ଦେବା ପରେ ବିଦେଶୀ ମୁଦ୍ରା ଆମଦାନୀରେ ଘୋର ବାଧକ ସାଜିଥିଲା ।

 

 

ସେଥିପାଇଁ ବାହାର ଦେଶର ଅନୁମୋଦନ ଓ ଆବଶ୍ୟକତା ମୁତାବକ ରାଜ୍ୟ ମତ୍ସ୍ୟ ବିଭାଗ ଚିଙ୍ଗୁଡି ରପ୍ତାନୀ ପୂର୍ବରୁ ତାହାକୁ ଆଧୁନିକ ଉପାୟରେ ପ୍ରକ୍ରିୟାକରଣ କରି ରପ୍ତାନୀ କରିବାକୁ ପ୍ରଥମ କରି ଧାମରାରେ ମତ୍ସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବାକୁ ଚାହିଁଥିଲା । ୬୦୦ ଲକ୍ଷ ଟଙ୍କାର ଗୃହ ନିର୍ମାଣ ସହ କୋଟି କୋଟି ଟଙ୍କାର ଯନ୍ତ୍ରପାତି ବାହାର ରାଜ୍ୟରୁ କିଣି ମତ୍ସ୍ୟବିଭାଗ ଏହି ଗୃହରେ ବସାଇଛି । ସବୁ ଠିକ୍ ହେଲେ ମଧ୍ୟ ଧାମରା ମତ୍ସ୍ୟଜୀବୀ ମାଛ ବିକିବାକୁ ସେତେବେଳେ ନାରାଜ ହୋଇଥିଲେ । କାରଣ ସମୁଦ୍ରରୁ ଧାମରା ମତ୍ସ୍ୟଜୀବୀ ଧରୁଥିବା ସିମ୍ ଚିଙ୍ଗିଡିଗୁଡିକୁ ଏକ୍ସପୋର୍ଟ କଂପାନୀମାନେ କିଣୁଥିବାବେଳେ ବ୍ରାଉନ୍‌, ହ୍ୱାଇଟ୍‌, ଟାଇଗର, ଏସଟି ଆଦି ମାଛକୁ ଏହି ଏକ୍ସପୋର୍ଟ କଂପାନୀ କିଣୁନାହାଁନ୍ତି । ଯେଉଁଥିପାଇଁ ଧାମରା ମତ୍ସ୍ୟଜୀବୀ ୧୦ ବର୍ଷ ହେଲା ପଶ୍ଚିମବଙ୍ଗର ଦୀଘା ମାଛ ରପ୍ତାନୀ କେନ୍ଦ୍ରକୁ ଧାମରା ମାଛ ପଠାଇ ବ୍ୟବସାୟ ଚଳାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମରା ମତ୍ସ୍ୟଜୀବୀ ସଂଘର ୩୦୦ ଟ୍ରଲର ମଧ୍ୟରୁ ପାଖାପାଖି ୨୦୦ ଟ୍ରଲର ଧାମରା ମାଛଧରା ଜେଟିକୁ ନଆସି ଦୀଘା ମାଛଧରା ଜେଟିରେ ଓହ୍ଲାଇ ମାଛ ବିକିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ୧୦ ବର୍ଷ ହେଲା । ଏଥିରେ କ୍ଷୁବ୍ଧ ହୋଇ ଧାମରା ସଂଘ ଏହି ଏକ୍ସପୋର୍ଟ କଂପାନୀକୁ ଆଉ ମାଛ ନ ବିକିବା ପାଇଁ ଜିଦ୍ ଧରିଥିଲେ । ଧାମରା ମତ୍ସ୍ୟଜୀବୀଙ୍କ ଏହି ଜିଦ୍‌କୁ ମାନି ନେଇଥିଲେ ଏହି ଏକ୍ସପୋର୍ଟ କଂପାନୀମାନେ । ମତ୍ସ୍ୟଜୀବୀଙ୍କ ଦାବି ମାନିବା ପରେ ରାଜ୍ୟ ମତ୍ସ୍ୟ ବିଭାଗ ଦରଖଣ୍ଡିଆ କରି ଘର ପକାଇଦେଲା । ଏଥିରେ ୩ଟି ବରଫ କଳ ଏଯାଏଁ ନିର୍ମାଣ ହୋଇନାହିଁ କି ଆହୁରି ଆନୁସଙ୍ଗିକ ଯଥା ସଭାଗୃହ, ଜଳ ନିଷ୍କାସନ, ବରଫ ଭଙ୍ଗା ଯନ୍ତ୍ର, ବିଦ୍ୟୁତ୍ ଆଦି ଏଯାଏଁ ସଂପୂର୍ଣ୍ଣ ହୋଇପାରୁନାହିଁ । ୬ କୋଟି ଟଙ୍କାରେ ନର୍ମିିତ ଏହି ଅତ୍ୟାଧୁନିକ ମାଛ କେନ୍ଦ୍ରରେ ବରଫ କଳ, ବରଫ ଗୁଣ୍ଡ କରିବା ଯନ୍ତ୍ର, ଅତ୍ୟାଧୁନିକ ପ୍ୟାକିଂ ମେସିନ୍ ଏଯାଏଁ ଲାଗିପାରିିନାହିଁ । ଏବେ ଏହା ଭୂତକୋଠିରେ ପରିଣତ ହୋଇଛି । ଧାମରା ମତ୍ସ୍ୟଜୀବୀ ସଂଘର ନେତା ଅଶୋକ ଜେନା, ଅଭିମନ୍ୟୁ ରାଉତ, ସୁଦର୍ଶନ ଲେଙ୍କା, ନିତାଇ ବେହେରା ପ୍ରମୁଖ ଏହି ଘର କାହା ପାଇଁ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।