Odiapua.com

କରୋନା ବେଳେ ବିଦ୍ୟୁତ୍ ଶୁଳ୍କବୃଦ୍ଧିକୁ ନେଇ ଅସନ୍ତୋଷ, ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ

ବାଲେଶ୍ୱର, ୩୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିି ପ୍ରତିବାଦରେ ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ସ୍ଥାନୀୟ ଫାଣ୍ଡିଛକଠାରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସପିଏମ ବାଲେଶ୍ୱର ଟାଉନ ଆଞ୍ଚଳିକ କମିଟି ସମ୍ପାଦକ ନିକୁଞ୍ଜ ବସନ୍ତ ରାୟ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ନିର୍ମଳ ନାୟକ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରେମରଂଜନ ପାତ୍ର, ବିଜୟ ପାତ୍ର, ମୋଟର ଟ୍ରାନ୍ସପୋର୍ଟ ୟୁନିୟନ ସମ୍ପାଦକ ରାଜକିଶୋର ଲେଙ୍କା, ଜିଲ୍ଲା କମିଟି ସଦସ୍ୟ ସତ୍ୟଜିତ୍ ଦାସ, ଶ୍ୟାମସୁନ୍ଦର ଜେନା, ସଂଧ୍ୟା ଦାସମଜୁମଦାର ପ୍ରମୁଖ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ସମେତ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ। ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ଏଭଳି ସମୟରେ ୟୁନିଟ୍ ପ୍ରତି ୨୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବୋଝ ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି ବୋଲି ବକ୍ତାମାନେ କହିଥିଲେ। ତୁରନ୍ତ ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ସିପିଏମ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସିପିଏମର ବହୁ ସମର୍ଥକ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।