Odiapua.com

କରୋନା ପ୍ରଭାବିତଙ୍କ ଜୀବନ-ଜୀବିକା ସୁରକ୍ଷା ଦାବି – ମହିଳା ସଂଗଠନଙ୍କ ପକ୍ଷରୁ ବାଲେଶ୍ୱରରେ ମିଳିତ ବିକ୍ଷୋଭ

ବାଲେଶ୍ୱର, ୩୧ା୮ (ଓଡ଼ିଆ ପୁଅ/ଅଭୟ ଦାସ)): ମହାମାରୀ କରୋନା ପ୍ରଭାବିତ ଜୀବନ ଓ ଜୀବିକା ସୁରକ୍ଷା ଦାବିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଶୁକ୍ରବାରଦିନ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ସର୍ବଭାରତୀୟ ସ୍ତରୀୟ ମହିଳା ସଂଗଠନଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଜିଲ୍ଲର ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ‘ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଓମେନ୍‌ସ୍‌’ ପ୍ରଭୃତି ସଂଗଠନର ଶତାଧିକ ମହିଳା ସ୍ଥାନୀୟ ଫକୀରମୋହନ ଗୋଲେଇ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିକରି ବିକ୍ଷୋଭକାରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ରୋକିବା, ପେଟ୍ରୋଲ୍‌, ଡିଜେଲ୍ ଓ ଜାଳେଣୀ ଗ୍ୟାସ୍ ଦର ହ୍ରାସ କରିବା, ସନ୍ଧ୍ୟା ପରେ କାରଖାନାମାନଙ୍କରେ ମହିଳା ଶ୍ରମିକ ଓ କର୍ମଚାରୀଙ୍କୁ କାମରେ ନ ଖଟାଇବା, ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କକୁ କାର୍ଯ୍ୟକ୍ଷମ କରିବା, ନାରୀ ନିର୍ଯାତନାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସାଧାରଣ ନିର୍ବାଚନରେ ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେବା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ କରୋନା ସଂକଟରେ ଋଣ ଟଙ୍କା ଆଦାୟ ବନ୍ଦ ପାଇଁ ସେମାନେ ଦାବି କରିଥିଲେ। ବନ୍ଦନା ବିଶ୍ୱାସ, ସନ୍ଧ୍ୟା ଦାସ ମଜୁମଦାର, ହରପ୍ରିୟା ଜେନା, ସୁହାଗି ମାଝି, ଶାନ୍ତି ମିଶ୍ର, ଗୁରୁବାରୀ ମାରାଣ୍ଡି, ଆରତୀ ସୋରେନ୍‌, ସୁମିତ୍ରା ସୋରେନ୍ ଓ ନିରୁପମା ପାଣ୍ଡିଆ ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବିଭିନ୍ନ ସାମାଜିକ ଓ ଗଣ ସଂଗଠନ ତରଫରୁ ମହିଳାମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ନିକୁଞ୍ଜ ବସନ୍ତ ରାୟ, ବେଣୁଧର ବାରିକ୍‌, ରମେଶ ଚନ୍ଦ୍ର ପତି ଓ ଯତିନ୍ ପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।