Odiapua.com

କରୋନା ପ୍ରଭାବରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦିଶାହୀନ ସରକାର – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ୨୬.୫ (ଓଡ଼ିଆ ପୁଅ) – ଓଡିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଯେଉଁ ଅଭିଭାବକମାନେ ଘରୋଇ ଶିକ୍ଷାନୁଷ୍ଠାନ ଯଥା ସାଇ ଇଂଟରନ୍ୟାସନାଲ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ମଦର୍ସ ପବ୍ଲିକ ସ୍କୁଲ, କିଟ୍ ଇଦ୍ୟାଦିରେ ସେମାନଙ୍କ ପିଲାଙ୍କୁ ପାଠ ପଢାଉଛନ୍ତି, ସେମାନେ ଅଲଗା ବର୍ଗର ଲୋକ। ସେମାନଙ୍କ କଥା ଭିନ୍ନ। କାରଣ ସେମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଉଥିବା ସ୍କୁଲଗୁଡିକର ଭିତିଭୂମି ଉନ୍ନତ। ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମୋବାଇଲ, ଲାପଟପ୍ ଦ୍ୱାରା ଇଂଟରନେଟ୍ ବ୍ୟବହାର କରିବାରେ ସିଦ୍ଧହସ୍ତ। ସେମାନଙ୍କ ଘରେ ଇଂଟରନେଟ୍ ଥାଇପାରେ। ସେମାନଙ୍କ ପିଲାମାନେ ଇଂଟରନେଟ୍‌ରେ ପାଠ ପଢ଼ିଲେଣି। କିନ୍ତୁ ବାକିତକ ଯେଉଁ ୯୫ ପ୍ରତିଶତ ପିଲା ଗାଁ ଗଣ୍ଡାଠୁଁ ଆରମ୍ଭ କରି ଭୁବନେଶ୍ୱର ସହର ପର୍ଯ୍ୟନ୍ତ ମଧ୍ୟବିତ ଓ ଗରିବ ପରିବାରର ପିଲାମାନେ ଯେଉଁ ସ୍କୁଲରେ ପଢ଼ୁଛନ୍ତି ସେମାନଙ୍କ ପାଖରେ ଇଂଟରନେଟ୍‌ର ସୁବିଧା ନାହିଁ। ତେଣୁ ସେମାନଙ୍କ ପାଖରେ ଇଂଟରନେଟ୍ ନଥିବାରୁ ସେମାନେ କିପରି ପାଠ ପଢ଼ିବେ ବୋଲି ଆଜି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ସରକାର ଏଥିପାଇଁ କି ବ୍ୟବସ୍ଥା କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ଓଡିଶାର ଛାତ୍ରଛାତ୍ରୀମାନେ ବର୍ତମାନ ଅସହାୟ ଅବସ୍ଥାରେ ଅଛନ୍ତି। ବର୍ତମାନ ସୁଦ୍ଧା ସାରା ରାଜ୍ୟରେ ପ୍ରତ୍ୟେକ ଅଂଚଳକୁ, ବିଶେଷ ଭାବରେ ଗ୍ରାମାଚଂଳରେ ଟେଲିଫୋନ୍ ଏବଂ ଇଂଟରନେଟ୍‌ର ବ୍ୟବସ୍ଥା ଲୋକଙ୍କ ପାଖରେ ପହଂଚି ନାହିଁ। ଓଡିଶାର ଅନେକ ପଛୁଆ ଏବଂ ଅନୁନ୍ନତ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି ବା ନାହିଁ କହିଲେ ଚଳେ। ଯେତେବେଳେ ସାରା ରାଜ୍ୟରେ ଅନେକ ପରିବାରଙ୍କ ପାଖରେ ସ୍ମାର୍ଟ ଫୋନ୍ ବା ଇଂଟରନେଟ୍‌ର ସୁବିଧାର ନାହିଁ, ଏଭଳି ପରିସ୍ଥିତିରେ ସ୍କୁଲରେ ସାମାଜିକ ଦୂରତାକୁ ବଜାୟ ରଖି ମାସ୍କ ପିନ୍ଧିବା ସହିତ ବିଦ୍ୟାଦାନର ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବା ଉଚିତ୍। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ଏଥିପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନାହିଁ କିମ୍ବା ନୀତି ନିର୍ଦ୍ଦାରଣ ମଧ୍ୟ ହୋଇନାହିଁ। ସମସ୍ତ ସ୍କୁଲ, କଲେଜଗୁଡିକରେ ତ ବର୍ତମାନ କ୍ୱାରେନ୍‌ଟାଇନ୍ ସେଂଟର ଖୋଲିଛନ୍ତି। ପିଲାମାନେ ପାଠ କେଉଁଠି ପଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ବର୍ତମାନ ଯେପରି ସବୁ ଲକ୍‌ଡାଉନ୍ ଖୋଲିଗଲାଣି, ସେହିପରି ତୁରନ୍ତ ସ୍କୁଲ ଖୋଲାଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସାମାଜିକ ଦୂରତ୍ୱ ଓ ସମସ୍ତ ନୀତି ନିୟମ ରକ୍ଷା କରି ପାଠ ପଢ଼ାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଦାବି କରିବା ସହିତ ରାଜ୍ୟ ଶିକ୍ଷା ବିଭାଗ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ଏହା ଉପରେ ଅତିଶୀଘ୍ର ନିଷ୍ପତି ଗ୍ରହଣ କରନ୍ତୁ। ନଚେତ୍ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ।