Odiapua.com

କରୋନା ପ୍ରଭାବରେ ଦୟନୀୟ କଳାକାର – ସହାୟତା ପାଇଁ ବାଲେଶ୍ୱର କଳା ସଂସ୍କୃତି ସଂଘର ଗୁହାରୀ

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା କଳା ପ୍ରଦର୍ଶନକାରୀ କଳାକାର ସଂଘ ଓ ବାଲେଶ୍ୱର କଳା ସଂସ୍କୃତି ସଂଘ ପକ୍ଷରୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦୁଇ ସଂଗଠନ ପ୍ରତିନିଧିମାନେ ମିଳିତ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଏହି ସ୍ମାରାକପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ଅନୁମୋଦନ କ୍ରମେ ବିଭିନ୍ନ ପ୍ରକାର ଲୋକାଭିମୁଖୀ ସରକାରୀ ଯୋଜନାକୁ କଳାତ୍ମକ ଢଙ୍ଗରେ ତଥା ଅଭିନୟ ମାଧ୍ୟମରେ ପ୍ରଚାର ପ୍ରସାର କରିଆସୁଥିବା କଳାକାରମାନେ ଏବେ ହାତବାନ୍ଧି ଘରେ ବସିଛନ୍ତି ବୋଲି ସେମାନେ କହିଛନ୍ତି। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ ଜିଲ୍ଲାରେ କିମ୍ବା ରାଜ୍ୟରେ ସେଭଳି କୌଣସି କାର୍ଯ୍ୟକ୍ରମ ନହେବା କାରଣରୁ ବେକାର ହୋଇ ବସିଥିବା କଳାକାରଙ୍କ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଥିବା ଏହି କଳାକାର ପରିବାରଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବା, ସାଂସ୍କୃତି ସଂସ୍ଥାମାନଙ୍କୁ ସହାୟତା ପ୍ରଦାନ କରିବା, କଳାକାରମାନଙ୍କୁ ବୀମାଭୁକ୍ତ କରିବା, ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ନୃତ୍ୟ ସଙ୍ଗୀତ ପାଲା ଆଦି ଆୟୋଜନ ପାଇଁ ଅନୁମତି ଦେବାକୁ ଦୁଇସଂଘ ପକ୍ଷରୁ ଗୁହାରୀ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ବେଳେ ସଂଗଠନର କର୍ମକର୍ତ୍ତା ଚନ୍ଦ୍ରମୋହନ ରାଉଳ, ମନୋରଂଜନ ଦାସ, ପୁରୁଷୋତ୍ତମ ପାଳ, ଶ୍ୟାମସୁନ୍ଦର ଦାସ, , ସୁଶାନ୍ତ କୁମାର ବେହେରା, ରମାକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।