Odiapua.com

କରୋନା ପାଇଁ ସଞ୍ଜୀବନୀ ହୋଇପାରନ୍ତି କେତେକ ଔଷଧୀୟ ଉଦ୍ଭିଦ

ବର୍ତମାନ ସାରା ବିଶ୍ୱରେ ଦେଖାଦେଇଥିବା କରୋନା ବା କୋଭିଡ୍‌୧୯ ମହାମାରୀ ଦାଉରୁ ଜନସାଧାରଣଙ୍କୁ ଆରୋଗ୍ୟ କରିବା ଲକ୍ଷ୍ୟନେଇ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗର ମନ୍ତ୍ରୀ ଶ୍ରୀପଦ ଜସୁ ନାୟକ ଓ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ ଆୟୁର୍ବେଦର ଚାରୋଟି ଔଷଧକୁ ଦେଶବ୍ୟାପି ପରୀକ୍ଷା କରାଯାଇଛି। କରୋନାର ସଙ୍ଗରୋଧରେ ରହିଥିବା କିମ୍ବା ହାଇରିସ୍କ ଅଂଚଳରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କଠାରେ ରୋଗ ଆରୋଗ୍ୟ ପାଇଁ କ୍ଲିନିକାଲ ପରୀକ୍ଷା କରାଯାଇଛି। ଆୟୁର୍ବେଦର ଅଶ୍ୱଗନ୍ଧା, ଜଷ୍ଟିମଧୂ, ଗୁଡୁଚି, ପିପ୍ପଳି ଓ ଆୟୁଷ-୬୪ ଭଳି ଔଷଧର ପରୀକ୍ଷା କରାଯାଇଥିବାର ବଡ଼ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ବିଭିନ୍ନ ଆର‌୍ୟୁବେଦିକ ସଂସ୍ଥା ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଏକ ଶୁଭ ଖବର ହେଉଛି ଭାରତୀୟ ସ୍ୱାସ୍ଥ୍ୟ ଗବେଷଣା ପରିଷଦର ବୈଜ୍ଞାନିକ ଓ ଜାପାନୀ ବୈଜ୍ଞାନିକମାନେ ଏ ଦିଗରେ ମିଳିତ ଭାବେ ଗବେଷଣା ଚଳାଇଛନ୍ତି ଏବଂ ଚଳିତବର୍ଷର ଶେଷ ସୁଦ୍ଧା କରୋନା ନିବାରକ ଆୟୁର୍ବେଦ ଔଷଧ ନିର୍ମିତ ହୋଇଯିବ ବୋଲି ଆଶା କରାଯାଏ। ତେବେ ଆସନ୍ତୁ ଯାଣିବା ପ୍ରକୃତି ପ୍ରଦତ ଏଭଳି ଅତ୍ୟାବଶ୍ୟକୀୟ ରସାୟନ ଗୁଣଯୁକ୍ତ କରୋନା ଭଳି ରୋଗ ପାଇଁ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧୀୟ ଉଦ୍ଭିଦ ଯଥା- ଅଶ୍ୱଗନ୍ଧା, ଜଷ୍ଟିମଧୂ, ଗୁଡୁଚି ଓ ପିପ୍ପଳିର ବଂଶବୃଦ୍ଧି ଏବଂ ଆଉ କେତେକ ଔଷଧୀୟଗୁଣ ବିଷୟରେ।

ଅଶ୍ୱଗନ୍ଧା:
ଅଶ୍ୱଗନ୍ଧାର ବୈଜ୍ଞାନିକ ନାମ ଉଇଥାନିଆ ସୋମନି ଫେରା। ଏହାକୁ ଓଡ଼ିଆରେ ଅଶ୍ୱଗନ୍ଧା, ହିନ୍ଦୀରେ ଅସଗନ୍ଧ ଓ ସଂସ୍କୃତେ ଅସ୍ୱଗନ୍ଧିକା କୁହା୍‌ାେ ପ୍ରାୟତଃ ବିଭିନ୍ନ ସ୍ଥାନରେ ଦେଖାଯାଇଥାଏ। ଅଶ୍ୱଗନ୍ଧା ଗୁଳ୍ମ ପ୍ରାୟ ୯୦ ରୁ ୧୨୦ ସେ.ମି. ଉଚ୍ଚ ଓ ସମୁଦାୟ ଗୁଳ୍ମଟି ଶାଖା ବହୁଳ ହୋଇଥାଏ। ଏହାର ପତ୍ର ଗୁଡ଼ିକ ଦେଖିବାକୁ ବାଇଗଣ ପତ୍ର ଭଳି ଏବଂ ପତ୍ରର ଲମ୍ବ ୫ରୁ ୧୦ ସେ.ମି. ଓ ପ୍ରସ୍ଥ ୨ସେ.ମି. ରୁ ୫ ସେ.ମି. ପର୍ଯ୍ୟନ୍ତ ହୋଇଥାଏ। ଗୁଳ୍ମର ସର୍ବାଙ୍ଗ ଧଳା ଲୋମାବୃତ ହୋଇଥାଏ। ଏହାର କଂଚା ପତ୍ର ଓ ମୂଳକୁ ଚୂର୍ଣ୍ଣ କରି ଶୁଙ୍ଘିଲେ ଅଶ୍ୱ ମୂତ୍ର ଭଳି ଗନ୍ଧ ଆସୁଥିବାରୁ, ବୋଧେ ଏହାର ନାମକରଣ ଏମିତି ହୋଇଛି। ଫୁଲର ରଙ୍ଗ ହାଲକା ସବୁଜ ଓ ଫଳ ଗୋଲାକାର ଏବଂ ଆକାରରେ ଛୋଟ ହୋଇଥାଏ। ଏହାର ମଞ୍ଜି ଛୋଟ, ବୃକକାକାର, ମସୃଣ ଓ ଚେପଟା ହୋଇଥାଏ। ଚେର ଉପର ଧୂସର, ଭିତର ଧଳା ଓ ଆଙ୍ଗୁଠି ପରି ମୋଟା ହୋଇଥାଏ ଏବଂ ୧ ରୁ ଦେଢ ପୁଟ ପର୍ଯ୍ୟନ୍ତ ମାଟି ତଳକୁ ଯାଇଥାଏ। ଅଶ୍ୱଗନ୍ଧାର ଚେରକୁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
ଅଶ୍ୱଗନ୍ଧାର ମୂଳକୁ ସେବନ କରିବା ଦ୍ୱାରା ସବୁ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ ଏହାଦ୍ୱାରା କରୋନା ଭଳି ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରୁଛନ୍ତି। ଅଶ୍ୱଗନ୍ଧା ମୂଳ ଚୂର୍ଣ୍ଣ ସହିତ ଘିଅ ଓ ମହୁ ଖାଇଲେ ବାତ ରୋଗ ଭଲ ହୁଏ। ଅଶ୍ୱଗନ୍ଧାର ମୂଳକୁ ଗୋମୂତ୍ର (ଛଡ଼ା ମୂତ)ରେ ବାଟି ବ୍ୟବହାର କଲେ ସମସ୍ତ ପ୍ରକାର ଉଦର ରୋଗ, ଶୋଥ, କୃମି ଓ ମଳବଦ୍ଧତା ଦୂର ହୁଏ। ଅଶ୍ୱଗନ୍ଧା ମୂଳ ଚୂର୍ଣ୍ଣ ଗରମ କ୍ଷୀର ସହିତ ଖାଇଲେ କୋଷ୍ଠ ବଦ୍ଧତା ଭଲ ହୁଏ। ଅଶ୍ୱଗନ୍ଧା ମୂଳ ଚୂର୍ଣ୍ଣ ଅଂଳା ସହିତ ବ୍ୟବହାର କଲେ ପ୍ରମେହ ଦୂର ହୁଏ।

ଜଷ୍ଟିମଧୂ:
ଜଷ୍ଟିମଧୂର ବୈଜ୍ଞାନିକ ନାମ ଗ୍ଲାଇକରାଇଜା ଗ୍ଲାବରା। ଏହାକୁ ଇଁଗଲିଶରେ ଲିକୋରାଇସ, ହିନ୍ଦୀରେ ମୁଳେଥୀ ଓ ଆର‌୍ୟୁବେଦରେ ୟଷ୍ଟିମଧୂ କୁହାଯାଏ। ଏହା ଏକ ବହୁବର୍ଷୀୟ ଗୁଳ୍ମ ପ୍ରାୟ ୧୨୦ ସେ.ମି. ଉଚ୍ଚତା ବିଶିଷ୍ଟ ହୋଇଥାଏ। ଭୂସ୍ତାରୀ ଶୀର୍ଷରୁ ବହୁତ ଗୁଡିଏ ଲମ୍ବା ଅର୍ଦ୍ଧ କାଷ୍ଠ କାଣ୍ଡ ବାହାରି ଥା’ନ୍ତି ଓ ଯøଗିକ ପକ୍ଷଳ ପତ୍ର ଧରି ଥା’ନ୍ତି। ଭୂ-ମଧ୍ୟସ୍ଥ କନ୍ଦାଟି ୨ ସେ.ମି. ବ୍ୟାସ ବିଶିଷ୍ଠ ସ୍ତମ୍ଭାକୃତିର ହୋଇଥାଏ ଓ ଏହାର ସ୍ୱାଦ ମିଠା ହୋଇଥାଏ। ଜଷ୍ଟିମଧୂର ଫୁଲ ଗୁଡ଼ିକ ଇଷତ୍ ନୀଳ ଏବଂ ଏହା ଲଗାଇବାର ୨ ରୁ ୩ ବର୍ଷ ପରେ ଏଥିରେ ଫୁଲ ଫୁଟିବା ଆରମ୍ଭ ହୁଏ। ଶିମ୍ବ ପରି ହୋଇଥିବା ଫଳଟି ୨ ରୁ ୨.୫ ସେ.ମି. ଲମ୍ବା ଓ ଏହା ଭିତରେ ୨ ରୁ ୫ ଟି ମଞ୍ଜି ଥାଏ। ଏହି ପାଦପଟି ଶୁଷ୍କ ଏବଂ ଉଜ୍ଜଳ ଜଳବାୟୁରେ ଭଲ ବଢ଼ି ପାରେ ଓ ଏହାର ଚାଷ ଗ୍ରୀଷ୍ମ ମଣ୍ଡଳୀୟ ଅଂଚଳରେ ଭଲ ହୁଏ। ଏହାକୁ ମୁଖ୍ୟତଃ କନ୍ଦା କଲମୀ ଓ ମଞ୍ଜି ଦ୍ୱାରା ବଂଶ ବିସ୍ତାର କରାଯାଏ।
ଶରୀରର କୌଣସି ଜାଗାରେ ଘା’ ବା କ୍ଷତ ସୃଷ୍ଟି ହେଲେ ଜଷ୍ଟିମଧୂର ଚେରକୁ ବାଟି ସେହି ସ୍ଥାନରେ ଲଗାଇଲେ କ୍ଷତ ଶୀଘ୍ର ଶୁଖିଯାଏ ଓ ଆରାମ ମିଳେ। ଶରୀର ମଧ୍ୟରେ ଅଲସର୍ ହେଲେ, ଜଷ୍ଟିମଧୂର ୫-୭ ଗ୍ରାମ ଚୂର୍ଣ୍ଣକୁ ୪୦୦ ଗ୍ରାମ ପାଣିରେ ପକେଇ ଫୁଟା ଯାଏ ଏବଂ ଯେତେବେଳେ ପାଣି ଅଧା ରହିଯାଏ, ତାହାକୁ ଛାଣି ପିଇଲେ ଅଲସର୍ ଭଲ ହୋଇଥାଏ। କଫ ରୋଗରେ ଏହାର ଚେରକୁ ଗୁଣ୍ଡକରି ଗୋଟିଏ ବା ଦୁଇଟି ତୁଳସୀ ପତ୍ର ସହିତ ଗୋଟିଏ ବା ଦୁଇଟି ପୁଦିନା ପତ୍ରକୁ ପାଣିରେ ପକେଇ ଧୀର ଆଂଚରେ ଭଲକରି ଶିଝେଇ, ତାହାକୁ ଛାଣି ପିଇବା ଦ୍ୱାରା ଥଣ୍ଡା, କାଶ ଓ କଫ ରୋଗରୁ ମୁକ୍ତି ମିଳିଥାଏ। ହୃଦୟ ରୋଗ ପାଇଁ ମଧ୍ୟ ଜଷ୍ଟିମଧୂ ବହୁତ ଉପକାରୀ ଅଟେ। ହୃଦୟ ରୋଗୀ ମାନେ ଜଷ୍ଟିମଧୂ ଓ ଅର୍ଜୁନ ଛାଲରେ କାଢା ବନେଇ ପିଇଲେ, ସେମାନଙ୍କୁ ଆରାମ ମିଳିଥାଏ।
ଗୁଡ଼ୁଚି:
ଆମ ଦେଶର ପ୍ରାୟ ସବୁ ସ୍ଥାନରେ ଗୁଡ଼ୁଚି ଲତା ଦେଖାଯାଏ। ଏହାର ବୈଜ୍ଞାନିକ ନାମ ଟିନସ୍ପରା କୋଡ଼ିଫଲିଆ। ଏହାକୁ ଗୁଳୁଚି ଲତା ବା ଗିଲୟ ମଧ୍ୟ କୁହନ୍ତି। ଆୟୁର୍ବେଦରେ ଏହାକୁ ଅମୃତ ବୋଲି କୁହାଯାଇଛି। ଏହା ଏକ ବହୁବର୍ଷୀୟ ବୃହତ୍ ଆରୋହୀ ଲତା ଅଟେ।ଏହାର ପତ୍ର ଗୁଡ଼ିକ ଦେଖିବାକୁ ପାନପତ୍ର ଭଳି ହୃଦୟାକାର। ଏହାର ଶାଖା ମାନଙ୍କରୁ ସୂତ୍ରବତ୍ ବାୟବୀୟ ଚେର ଝୁଲି ରହିଥାଏ। ପତ୍ର ୫ ରୁ ୧୨ ସେ.ମି. ଲମ୍ବା ହୋଇଥାଏ। କାଣ୍ଡର ବାହ୍ୟ ତ୍ୱଚା ପାଉଁଶିଆ ବର୍ଣ୍ଣଯୁକ୍ତ ଓ ସେଥିରେ ଅନେକ ଗୋବ ବା ଚିହ୍ନ ରହିଥାଏ। ପତ୍ରଝଡ଼ା ପରେ ସବୁଜ ହଳଦିଆ ବର୍ଣ୍ଣଯୁକ୍ତ ଫୁଲ ଦେଖାଯାଏ। ଫଳ ପାଚିଲେ ଲାଲ ବା ଜାମୁରଙ୍ଗ ଅଥବା କଳା ରଙ୍ଗର ହୋଇଥାଏ। ଏହାକୁ ମଞ୍ଜି ଓ କାଣ୍ଡରୁ ବଂଶ ବିସ୍ତାର କରାଯାଏ ଏବଂ ୩ ମିଟର ବ୍ୟବଧାନରେ ରୋପଣ କରାଯାଏ। ଏହାକୁ ରଞ୍ଜା ଦେବାକୁ ପଡ଼ିଥାଏ। ପତ୍ରଝଡ଼ା ହେବା ସମୟ କାଣ୍ଡ ଅମଳ ପାଇଁ ପ୍ରକୃଷ୍ଟ ବୋଲି ବିବେଚନା କରାଯାଏ।
ସାମ୍ପ୍ରତିକ କରୋନା ପରିସ୍ଥିତିରେ ସମସ୍ତେ ଏହା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, କାରଣ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକାଂଶ ଲୋକ କାଢାରେ ଏହାର ବ୍ୟବହାର କରୁଛନ୍ତି। ଏବେ ଆମେ ଏଠାରେ ଏହାର ଆଉ କେତେକ ଉପକାର ବିଷୟରେ ଜାଣିବା। ଗୁଡ଼ୁଚି ସହିତ କିଛି ମହୁ ମିଶାଇ ୭ ଦିନ ପର୍ଯ୍ୟନ୍ତ ପିଇଲେ ଆମର ଯାବତୀୟ ଜ୍ୱର ଭଲ ହୋଇଥାଏ। ଗୁଡ଼ୁଚି ରସରେ ସାମାନ୍ୟ କିଛି ମିଶ୍ରି ଓ ହଳଦୀ ଗୁଣ୍ଡ ମିଶାଇ ଶିଶୁ ମାନଙ୍କୁ ଖାଇବାକୁ ଦେଲେ, ସେମାନଙ୍କର ସବୁପ୍ରକାର ଜ୍ୱର, ଦାନ୍ତରଗଡା, କୃମିଦୋଷ ଆଦି ଦୂର ହୋଇଥାଏ। ଗୁଡ଼ୁଚି ରସରୁ ୨ – ୪ ବୁନ୍ଦା ନାକରେ ପକାଇଲେ ପିତ ଜ୍ୱର, ଶିର ଶୁଳ, ଅଧକପାଳି ବିନ୍ଧା, ମୁଣ୍ଡ ବୁଲେଇବା ପ୍ରଭୃତି ଶିର ରୋଗ ଶୀଘ୍ର ଭଲ ହୋଇଥାଏ। ଅଧକପାଳି ମୁଣ୍ଡବିନ୍ଧାରେ ୨ – ୪ ଟୋପା ଗୁଡ଼ୁଚି ରସକୁ ନାକରେ ପକାଇଲେ ଏଥିରୁ ତୁରନ୍ତ ଆରାମ ମିଳିଥାଏ। ଗୁଡ଼ୁଚି ଲତାର ମୂଳକୁ ଆଣି ପାଣିସହ ମିଶାଇ ବାଟି ସାପ କାମୁଡିଥିବା ବ୍ୟକ୍ତିର କ୍ଷତ ସ୍ଥାନରେ ଲଗାଇଲେ ଓ ତାକୁ ପିଇବାକୁ ଦେଲେ ସର୍ପ ବିଷ ଶୀଘ୍ର ଛାଡ଼ିଯାଇଥାଏ।

ପିପ୍ପଳୀ:
ଏହାର ବୈଜ୍ଞାନିକ ନାମ ପାଇପର ଲଙ୍ଗମ। ଏହାକୁ ଇଂରାଜୀରେ ଲଙ୍ଗ ପିପର, ହିନ୍ଦୀରେ ପିପର ଓ ସଂସ୍କୃତରେ ଚପଳା କହନ୍ତି। ଏହା ଏକ ବହୁବର୍ଷୀୟ ଲତା ଜାତୀୟ ଉଦ୍ଭିଦ ଅଟେ। ଏହାର ପତ୍ର ପାନପତ୍ର ପରି ହୃଦୟାକାର, ୫ ରୁ ୧୨ ସେ.ମି. ଲମ୍ବ ଓ ୧ ରୁ ୧୦ ସେ.ମି. ପ୍ରସ୍ଥ ବିଶିଷ୍ଟ ହୋଇଥାଏ। ଏହା ଭୂମି ଉପରେ କୌଣସି ଗଛ ବା ରଞ୍ଜା ସାହାର୍ଯ୍ୟରେ ବଢ଼ିଥାଏ। ବର୍ଷାଦିନେ ଏଥିରେ ପ୍ରଥମେ ସବୁଜ ଓ ପରେପରେ ଈଷତ୍ ହଳଦିଆ ରଙ୍ଗର ଫୁଲ ଫୁଟିଥାଏ। ଶରତ ଋତୁରେ ଫଳ ଦେଖାଯାଏ। ଫଳ ଶୁଖିଗଲେ କୃଷ୍ଣାଭ ଧୂସର ବର୍ଣ୍ଣ ଦେଖାଯାଏ। ଏହାକୁ ମଞ୍ଜି ଓ ଡାଳ କଲମୀ ଦ୍ୱାରା ସହଜରେ ବଂଶ ବିସ୍ତାର କରାଯାଏ। ଏପରିକି ଏହାର କଟାପତ୍ରକୁ ପୋତି ମଧ୍ୟ ଚାରା ଉତ୍ପାଦନ କରାଯାଇପାରେ। ଏହାକୁ ୬୦ ସେ.ମି. ବ୍ୟବଧାନରେ ରୋପଣ କରାଯାଏ। ରୋପଣର ୫ ରୁ ୬ ମାସ ପରେ ବା ଫଳ ଧରିବାର ପ୍ରାୟ ୨ ମାସ ପରେ ଫଳ କୃଷ୍ଣ ସବୁଜ ଥିବା ସମୟରେ ଅମଳ କରାଯାଏ। ଫଳ ପରିପକ୍ୱ ହେଲେ ପିପ୍ପଳୀର ରାଗ ହ୍ରାସ ପାଇଥାଏ।
ପିପ୍ପଳୀ ଫଳକୁ ଭାଜି ଗୁଣ୍ଡ କରି ଏକ ଚାମଚ ସକାଳ ଓ ସନ୍ଧ୍ୟାରେ ମହୁ ସହ ସେବନ କଲେ ପୁରାତନ କାଶ ଓ ଶ୍ୱାସ ରୋଗ ଭଲ ହୋଇଥାଏ। ପିପ୍ପଳୀ ଚୂର୍ଣ୍ଣ ଏକ ଚାମଚ ଗରମ ଜଳରେ ସେବନ କଲେ ପ୍ରସବ ପରେ ହେଉଥିବା ଜ୍ୱର ଭଲ ହୋଇଥାଏ। ପିପ୍ପଳୀ ଫଳ ଚୂର୍ଣ୍ଣ ଏକ ଚାମଚ ସେବନ କଲେ ଶୁକ୍ର ବୃଦ୍ଧି ହୋଇଥାଏ। ପିପ୍ପଳୀ ଚୂର୍ଣ୍ଣ ଏକ ଗ୍ରାମ ସହିତ ଦୁଇ ଗ୍ରାମ ଗୁଡ଼ ମିଶାଇ ପ୍ରତ୍ୟହ ସେବନ କଲେ ଅଜୀର୍ଣ୍ଣ ଉପଶମ ହୋଇଥାଏ।

ଏହି ସବୁ ଔଷଧୀୟ ପାଦପ ଗୁଡ଼ିକ ଆମେ ଆମର ଘର ବାଡ଼ିରେ କିମ୍ବା ଛାତ ଉପରେ କୁଣ୍ଡରେ ମଧ୍ୟ ଲଗାଇ ପାରିବା ଓ ଭବିଷ୍ୟତରେ ଏଗୁଡ଼ିକୁ ବିଭିନ୍ନ ପ୍ରକାର ରୋଗର ଉପଶମ ପାଇଁ ଉପଯୋଗ କରି ପାରିବା। ଫଳରେ ଔଷଧୀୟ ଉଦ୍ଭିଦ ଗୁଡ଼ିକର ସଂରକ୍ଷଣ ମଧ୍ୟ ହୋଇପାରିବ। ଏବେ ଆସନ୍ତୁ ଏହି କରୋନା ପରିସ୍ଥିତିରେ ଉପରୋକ୍ତ ଔଷଧୀୟ ପାଦପ ଗୁଡ଼ିକୁ ଚିହ୍ନି କୌଣସି ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି ନିରୋଗ ରହିବା ଓ ଦେଶର ପ୍ରଗତିରେ ନିଜର ଯୋଗଦାନ ଦେବା।

ନଳିନୀ କୁମାର ପଣ୍ଡା

ବନ ଗବେଷକ, ସ୍ନାତକତର, ଓ-ୟୁ-ଏ.ଟି