Odiapua.com

କରୋନା ପରୀକ୍ଷଣରେ ତ୍ରୁଟି ଯୋଗୁଁ ଅଟକ ସ୍ୱାସ୍ଥ୍ୟକର୍ମୀ ପୋଲିସ୍ ଦ୍ୱାରା ଉଦ୍ଧାର

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମରେ କରୋନା ଭୁଲ୍ ଚିହ୍ନଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି  ସୃଷ୍ଟି ହୋଇଥିଲା । ଯାହା ଫଳରେ ୫ ଘଣ୍ଟା ଧରି ମୟୁରଝାଲିଆ ଗ୍ରାମକୁ କରୋନା ଔଷଧ ବାଣ୍ଟିବାକୁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଗ୍ରାମବାସୀ ମାନେ ୫ ଘଣ୍ଟା ଧରି ଅଟକ ରଖିଥିଲେ । ୫ ଘଣ୍ଟା ପରେ ରଣପୁର ତହସିଲ୍‌ଦାର୍ ସଞୟ କୁମାର ସାମନ୍ତରାୟ ଓ ଚାନ୍ଦପୁର ଥାନା ଆରକ୍ଷୀ ନିରୀକ୍ଷକ ମୟୁରଝାଲିଆ ରେ ପହଂଚି ଗ୍ରାମବାସୀ ମାନଙ୍କୁ ବୁଝା ଶୁଝା ପରେ ଅଟକ ଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାରୁ ପ୍ରକାଶ ଗତ ୧୯ ତାରିଖରେ ମୟୁରଝାଲିଆ ଗୋଷ୍ଠୀ ସମୁଦାୟକୁ ନେଇ ପରୀକ୍ଷଣ କରାଯାଇଥିଲା । ସମୁଦାୟ ୨୪ ଜଣଙ୍କର ପରୀକ୍ଷା ପରେ ୨୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗ ରିର୍ପୋଟ୍ ଅନୁଯାୟୀ ରଣପୁର ତହସିଲ୍‌ଦାର୍ ସଞୟ କୁମାର ସାମନ୍ତରାୟ ମୟୁରଝାଲିଆ ଗ୍ରାମ କୁ କ୍ଷୁଦ୍ର ଆବଦ୍ଧାଚଂଳ ଘୋଷଣା କରିଥିଲେ ।

ଏକ ଯାଗାରେ ବାଉଁଶ ବାଡ ଦେଇ ଆବଦ୍ଧ କରାଯାଇଥିଲା । ଲୋକମାନଙ୍କ ମନରେ କରୋନା ପରୀକ୍ଷଣକୁ ନେଇ ସନ୍ଦେହ ଜାତ ହେବା ପରେ ସଂକ୍ରମିତ ଘୋଷଣା ହୋଇଥିବା ୨୦ ଜଣଙ୍କ ମଧ୍ୟରୁ କେତେ ଜଣ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନର୍ବାର କରୋନା ପରୀକ୍ଷଣ କରାଇବା ପରେ ସେମାନେ କରୋନା ସଂକ୍ରମିତ ହୋଇଥିବା ନଥିବା  ଜଣା ପଡିଥିଲା । ତେଣୁ ଲୋକମାନେ ୨୧ ତାରିଖ ସଂଧ୍ୟାରେ ଆବଦ୍ଧାଚଂଳ ର ଆବଦ୍ଧ କୁ ଭାଙ୍ଗି ଦେଇଥିଲେ । ୨୨ ତାରିଖ ଦିବା ୧୦ ଘଟିକା ସମୟରେ ସ୍ୱାସ୍ଥ୍ୟ କର୍ମୀ ଏକ ଗାଡି ଯୋଗେ ସଂକ୍ରମିତ ଲୋକଙ୍କୁ ଔଷଧ ବାଣ୍ଟିବା ଓ ସ୍ୱାସ୍ଥ୍ୟବସ୍ଥା ବୁଝିବା ସଂର୍ପକରେ ଯାଇଥିଲେ । କରୋନା ସଂକ୍ରମିତ ମିଥ୍ୟା ରିର୍ପୋଟ୍ ହୋଇଥିବା ଯୋଗୁ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଗାଡି ସହ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ମୟୁରଝାଲିଆ ବିଦ୍ୟାଳୟ ପରିସର ରେ ଅଟକ ରଖିଥିଲେ । ଘଟଣାଟି ପ୍ରଶାସନର ମୁଣ୍ଡବ୍ୟଥା ର କାରଣ ପାଲଟିଥିଲା । ଯାହା ଫଳରେ ରଣପୁର ବ୍ଲକ୍ କରୋନା ପରିଚାଳନା ଦାୟିତ୍ୱରେ ଥିବା ତହସିଲ୍‌ଦାର ସଞୟ କୁମାର ସାମନ୍ତରାୟ ଘଟଣା ସ୍ଥଳରେ ପହଂଚି ଥିଲେ । ଉତ୍ୟକ୍ତ ଲୋକମାନଙ୍କ ସହ ଆଲୋଚନାରେ ବିଫଳ ଅନୁଭବ କରି ଚାନ୍ଦପୁର ପୋଲିସ୍ ର ସହାୟତା ଲୋଡିଥିଲେ । ଚାନ୍ଦପୁର ଥାନା ଆରକ୍ଷୀ ନିରୀକ୍ଷକ ରଶ୍ମି ରଂଜନ ଦାସ ସଦଳବଳେ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ । ଗ୍ରାମର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତିଶୃତି ଦେବା ପରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଗ୍ରାମବାସୀମାନେ ଛାଡିଥିଲେ । କରୋନା ସଂକ୍ରମଣ ଭୁଲ୍ ସୂଚନା ସଂର୍ପକରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବେଳେ ବେଳେ କରୋନା ପରୀକ୍ଷଣ ପାଇଁ ଆସୁଥିବା କିଟ୍ ରେ ବୈଷୟିକ ତୃଟି ଦେଖାଯାଏ । ବେଳେ ବେଳେ ସ୍ୱାପ୍ ସଂଗ୍ରହ ବେଳେ ତୃଟିଯୋଗୁଁ ପରୀକ୍ଷଣ ସୂଚନା ଭୁଲ୍ ହୋଇଥାଏ । ତାହା କେବଳ ରଣପୁର ରେ ନୁହେଁ ଓଡିଶାର ଅନ୍ୟ ସ୍ଥାନ ମାନଙ୍କରେ ଦେଖାଦେଉଛି । କିନ୍ତୁ କରୋନା ଲକ୍ଷଣ ପ୍ରକାଶ ପାଉଥିବା ରୋଗୀ ମାନେ ସଜାଗ ରହିବା ଆବଶ୍ୟକ ରହିଛି । ଏହି ଘଟଣାଟି ସମଗ୍ର ରଣପୁର ଅଂଚଳରେ କରୋନା ପରୀକ୍ଷଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।