Odiapua.com

କରୋନା ପଞ୍ଝାରେ ବସ ପରିବହନ ସେବା, ମାଲିକଙ୍କୁ ଆଣି ଦେଇଛି ଆର୍ଥୀକ କ୍ଷତି, କର୍ମଚାରୀଙ୍କ ପାଇଁ ଆସିଛି ଦୁର୍ଦ୍ଦିନ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିହାସର ପୁନରାବୃତ୍ତି ହେବା ପରି ଚଳିତ ବର୍ଷ ପୁଣି କରୋନା କଟକଣା ପାଇଁ ଗଭୀର ଭାବେ ପ୍ରଭାବିତ ହୋଇଛି ଜିଲ୍ଲାରେ ଯାତ୍ରୀ ପରିବହନ ସେବା । ବିଶେଷକରି ପରିବହନ ବ୍ୟବସାୟରେ ଜଡ଼ିତ ବସ ମାଲିକମାନେ ପୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବସ ମାଲିକଙ୍କ ସମେତ ସେମାନଙ୍କ ଗାଡ଼ିର କର୍ମଚାରୀମାନେ ମଧ୍ୟ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଚଳିତ ମାସ ୫ତାରିଖରେ ସରକାର ଲକଡାଉନ କଟକଣା ଜାରୀ କରିବା ପର ଠାରୁ ଏପରି ପରିସ୍ତିତି ସୃଷ୍ଟି ହୋଇଛି । ଗତବର୍ଷ ପରି କେବେ କୋଭିଡ ସଂକ୍ରମଣ କମିବ ଓ ପରିସ୍ଥିତି ସ୍ୱାଭାବିକ୍ ହେବ ତାହାକୁ ନେଇ ଏବେ ମଧ୍ୟ ଲାଗି ରହିଛି ଅନିଶ୍ଚିତତା । ଏପରିସ୍ଥଳେ ମାଲିକ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବାବେଳେ, ସେମାନଙ୍କର କର୍ମଚାରୀ ଏବେ ମାନସିକ ଓ ଅର୍ଥନୈତିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଜୀବନ ଅତିବାହିତ କରୁଛନ୍ତି । ଆଉ ଭଦ୍ରକର ବସଷ୍ଟାଣ୍ଟ ଓ ବିଭିନ୍ନ ମାଲିକଙ୍କ ଘରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କା ମୂଲ୍ୟର ବସ । ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ବସ ମାଲିକ ସଂଘ ଅଧିନରେ ପ୍ରାୟ ୧୯୦ଓ ବାସୁଦେବପୁର ମାଲିକ ସଂଘ ଅଧିନରେ ୪୫ ଏହି ପରି ପ୍ରାୟ ୨୩୫ଟି ବସ ରହିଛି । ଏସମସ୍ତ ବସ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତ୍ରୀ ପରିବହନ କରିଥାନ୍ତି । ଏହି ସେବାରେ ପ୍ରାୟ ୮ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଗତ ୫ତାରିଖ ଠାରୁ ବସ ଚଳାଚଳ ସମ୍ପୂଣ୍‌କର୍ଣ ବନ୍ଦ ହୋଇଯାଇଛି । ଲକ୍ଷ ଲକ୍ଷ ଟଙ୍କା ଋଣ କରି ବସ ବ୍ୟବସାୟ ଚଳାଇ ଆସୁଥିବା ବସ ମାଲିକମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କିସ୍ତି ପଇଠ କରିବା ପାଇଁ ବ୍ୟାଙ୍କରୁ ବାରମ୍ବାର ନୋଟିସ ଆସୁଛି । ତେଣୁ ବସ ମାଲିକମାନେ ଅସହାୟ ହୋଇ ପଡ଼ିଛନ୍ତି । ସେମାନଙ୍କ ଆର୍ଥୀକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଛି ।

ସେହିପରି ଏହି ସେବାରେ ନିୟୋଜି କର୍ମଚାରୀଙ୍କ ଘରେ ଚୁଲି ଜଳିବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଛି । ଗତବର୍ଷ ବସ ମାଲିକମାନେ ସେମାନଙ୍କ କର୍ମଚାରୀଙ୍କୁ କିଛି ମାତ୍ରାରେ ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ । କିନ୍ତୁ ଗତବର୍ଷ ଲକଡାଉନ କଟକଣା ଉଠିବା ପରେ ବସ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ଯାତ୍ରୀ ପରିବହନ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ୍ ନହେଉଣୁ ଚଳିତ ବର୍ଷ ପୁଣି କୋଭିଡ କଟକଣା ଆରମ୍ଭ ହୋଇଯାଇଛି । ତେଣୁ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବସ ମାଲିକମାନେ ଚଳିତ ବର୍ଷ ନିଜ କର୍ମଚାରୀଙ୍କୁ ସେପରି କୌଣସି ସହାୟତା ଯୋଗାଇ ପାରୁ ନାହାନ୍ତି । ତେଣୁ ଏଭଳି ଏକ ଦୁଃସମୟରେ ଆମେ ସରକାରଙ୍କ ନିକଟରେ କିଛି ଦାବି ରଖି ପରୁନୁ ବୋଲି କହିଛନ୍ତି ବସ ସିଣ୍ଡିକେଟର ବରିଷ୍ଠ ସଦସ୍ୟ ଶ୍ରୀନିବାସ ପତି । ସରକାର ଏପ୍ରିଲ ଓ ମଇ ମାସ ପାଇଁ ରୋଡ ଟ୍ୟାକ୍ସ ଛାଡ଼ କରିଥିବାରୁ ଆମେ ସରକାରଙ୍କ ନିକଙଟରେ କୃତଜ୍ଞ । କିନ୍ତୁ ଦିଲ୍ଲୀ ସରକାର ଯେଭଳି ଭାବରେ ନିଜ ରାଜ୍ୟରେ ଅଟୋ, ବସ ଓ ଟ୍ୟାକ୍ସି ଚାଳକଙ୍କୁ ମାସିକ ୩ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି, ସେହିପରି ଆମ ରାଜ୍ୟ ସରକାର ବସ କର୍ମଚାରୀଙ୍କୁ ଅତି କମ୍‌ରେ ୨ହଜାର ଟଙ୍କା ବି ସାହାଯ୍ୟ କଲେ ସେମାନେ କିଛିଟା ଆଶ୍ୱସ୍ତ ହୁଅନ୍ତେ ବୋଲି ଶ୍ରୀ ପତି କହିଛନ୍ତି । େ;ତବେ ଚଳିତ ମାସ ୧୯ ତାରିଖ ଳକଡାଉନ କଟକଣାକୁ ଇତିମଧ୍ୟରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂକ୍ରମଣ ନକମିଲେ, ଏହି କଟକଣା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏକ ଅନିଶ୍ଚିତତାର ବାତାବରଣ ଦେଖା ଦେଇଛି ଏହି ବ୍ୟବସାୟରେ । ଅପରପକ୍ଷେ ସରକାର କଟକଣା ମଧ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ମଧ୍ୟ, ଏହା ସ୍ୱାଭାବିକ୍ ହୋଇ ପାରିବ ନାହିଁ । କାରଣ ଗତ ବର୍ଷ ପରି ଯାତ୍ରୀମାନେ ସଂକ୍ରମଣ ଭୟରେ ବସ ଯୋଗେ ଯାତ୍ରା କରିବାକୁ ପଛଘୁଞ୍ଚା ଦେବେ । ତେଣୁ ସ୍ୱଳ୍ପ ଯାତ୍ରୀଙ୍କୁ ନେଇ ବସ ଚଲାଇବା ବସ ମାଲିକମାନଙ୍କ ପାଇଁ ଆର୍ଥୀକ ଚାଲେଞ୍ଜ ଆଣିଦେବ । ମୋଟାମୋଟି ଭାବରେ ବସ ଯୋଗେ ଯାତ୍ରୀ ପରିବହନ ସେବା କେବେ ସ୍ୱାଭାବିକ୍ ହେବ ତାହାକୁ ନେଇ ଲାଗି ରହିଛି ସଂଶୟ । ଏହି ପରିପ୍ରେକ୍ଷୀରେ ସକରାର ଉଭୟ ବସ ମାଲିକ ଓ କର୍ମଚାରୀଙ୍କ ପାଇଁ ବେଶୀ ନହେଲେ ବି ଛୋଟ ପରିମାଣର ଆର୍ଥୀକ ପ୍ୟାକେଜ ଘୋଷଣା କରିବାକୁ ବସ ସିଣ୍ଡିକେଟ ପକ୍ଷରୁ ନିବେଦନ କରାଯାଇଛି ।