Odiapua.com

କରୋନା ତାଡନା -ଦିନ ମଜୁରିଆ ସାଜିଲେ ୫୦ରୁ ଉର୍ଦ୍ଧ୍ୱ ଶିକ୍ଷିତ ଯୁବକ ଯୁବତୀ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହଜିଯାଇଛି ମାନବିକତା। ଲକ୍‌ଡାଉନ ସମୟରେ ଠିକାଦାର ଚଳାଇଛନ୍ତି ଶ୍ରମିକ ଶୋଷଣ ନିତୀ। ୨ମାସର ପ୍ରାପ୍ୟ ପ୍ରଦାନ କରିବା ପରିବର୍ତ୍ତେ ଧମକ ଚମକ ଦେଇ ଲୁଚି ବୁଲୁଛନ୍ତି ଠିକାଦାର। ଫଳରେ ଏଫଏମସିଜି ପ୍ରଡକ୍ଟ ତାଲିମ ନେବାକୁ ଆସି ବିଭିନ୍ନ ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ଶିକ୍ଷିତ ଯୁବକ ଯୁବତୀ କରୋନା ତାଡ଼ନାରେ ଭଦ୍ରକରେ ଫସି ରହି ଶେଷରେ ଦାଦନ ଖଟିବା ସହ ନ୍ୟାୟ ପାଇବାକୁ ବାର ଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି। ସୋମବାର ଏସମ୍ପର୍କରେ ସଂପୃକ୍ତ ଯୁବକ ଯୁବତୀ ଜିଲ୍ଲା ଶ୍ରମ ବିଭାଗର ଉପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିବାକୁ ଯୋଜନା କରିଛନ୍ତି। ଏସମସ୍ତ ଶିକ୍ଷିତ ଯୁବକ ଯୁବତୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇ ଭାରତୀୟ ମଜଦୁର ସଂଘର ସମ୍ପାଦକ ମନୋଜ ବସନ୍ତ ରାୟ, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ତୁରନ୍ତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ନ୍ୟାୟ ନମିଳିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏପରିକି ୧୬ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବନ୍ଦ କରିଦେବାକୁ ଶ୍ରୀ ମହାନ୍ତି ଧମକ ଦେଇଛନ୍ତି। ତଥ୍ୟ ଅନୁଯାୟୀ ପ୍ରାୟ ୫ବର୍ଷ ପୂର୍ବେ ବିହାର ଅଞ୍ଚଳର ୨ଜଣ ଯୁବକ ଭଦ୍ରକ ମୋଟେଲ ଛକରେ ‘ଶିବା ଟ୍ରେଡର୍ସ’ ନାମକ ଏକ ସଂସ୍ଥାଖୋଲି ନେଟୱାର୍କିଂ ବ୍ୟବସାୟ ଆରମ୍ଭ କରିଥିଲେ। ଦକ୍ଷୀଣ ଭାରତର ଏକ କମ୍ପାନୀର ଏଫଏମସିଜି ପ୍ରଡ଼କ୍ଟ ଆଣି ନାମ ଲେଖାଉଥିବା ଯୁବକ ଯୁବତୀମାନଙ୍କୁ ତାଲିମ ଦେଲେ। ଉକ୍ତ କମ୍ପାନୀର ପ୍ରଡକ୍ଟର ଗୁଣବତ୍ତା ଭଲ ହୋଇଥିବା କାରଣ ହେଉ କିମ୍ବା ଉପଯୁକ୍ତ ତାଲିମ ଓ ଦୃଢ଼ ନେଟୱାର୍କିଂ ବ୍ୟବସ୍ଥା କମ୍ପାନୀ ପାଇଁ ବ୍ୟବସାୟ ଭଲ ଚାଲିଲା। ବର୍ଷକ ମଧ୍ୟରେ ହଜାର ହଜାର ଯୁବକ ଯୁବତୀ ଆସିଲେ ଓ ତାଲିମ ନେଲେ। ବିଶେଷକରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ରାଜ୍ୟରୁ ଅଧିକ ପିଲା ତାଲିମରେ ସାମିଲ ଥିଲେ। ଏହାବ୍ୟତୀତ ଅଳ୍ପ ସଂଖ୍ୟକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ପିଲାମାନେ ମଧ୍ୟ ପ୍ରଡକ୍ଟ ତାଲିମ ନେଉଥିଲେ। ଟ୍ରେନିଂ ନେଇ ଫେରୁଥିବା ଯୁବକ ଯୁବତୀମାନଙ୍କ ସୁପାରିଶରେ ମଧ୍ୟ ବହୁ ପିଲା ଆସି ତାଲିମ ନେବା ଆରମ୍ଭ କଲେ। ସହରର ବିଭିନ୍ନ ସ୍ଥାନରେ ସେମାନେ ମେସ କରି ରହିବା ସହ ସକାଳ ହେଲେ ପୌରାଞ୍ଚଳର କୁଆଁସ, ଗବସାହି, ବାଇପାସ ଅଞ୍ଚଳରୁ ଶହଶହ ପିଲାମାନେ ମୋଟେଲ ଛକ ଓ ବାଇପାସ ନିକଟରେ ଥିବା ଦୁଇଟି ତାଲିମ କେନ୍ଦ୍ରରେ ପହଞ୍ଚି ପ୍ରଡକ୍ଟ ତାଲିମ ନେଉଥିଲେ। କିନ୍ତୁ କରୋନା ମହାମାରୀ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲା। ସେମାନେ ରହୁଥିବା ମେସରେ ଦୀର୍ଘ ୨ମାସ ଧରି ଫସି ରହିଲେ। ଲକଡାଉନ କଟକଣା କୋହଳ ହେବା ପରେ ଅନ୍ୟ ରାଜ୍ୟର ପିଲାମାନେ ନିଜ ରାଜ୍ୟକୁ ଟ୍ରେନ ଓ ବସ ଯୋଗେ ଫେରିଗଲେ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଓଡିଶାର କେତେକ ପିଲାଙ୍କ ସମେତ ୧୦ଜଣ ବାହାର ରାଜ୍ୟର ପିଲା ଘରକୁ ଫେରିଲେ ନାହିଁ। କାରଣ ଘରେ ମଧ୍ୟ ଲକଡାଉନ ପ୍ରଭାବରେ ଅବସ୍ଥା ଭଲ ନାହିଁ। ତେଣୁ ଭଦ୍ରକରେ ରହି କାମ ଖୋଜିଲେ। କିନ୍ତୁ ସେମିତି ମନ ପସନ୍ଦର କାମ ମିଳିଲା ନାହିଁ। ଶେଷରେ ୧୬ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଡିବିଏଲ କମ୍ପାନୀର ଜନୈକ ଠିକାଦାରଙ୍କ ନିକଟରେ ନିର୍ମାଣ କାର୍ଯ୍ୟରେ ଦିନ ମଜୁରିଆ ସାଜି ନିଜ ଭାଗ୍ୟ ପରଖିଲେ। ତଥାପି ଭାଗ୍ୟ ସେମାନଙ୍କୁ ସାଥ ଦେଇ ନାହିଁ। ସମ୍ବଲପୁର ଅଞ୍ଚଳର କିଶୋର ବାଗ ଓ ଦୁଷ୍ମନ୍ତ ମିର୍ଦ୍ଧା, ଲକ୍ଷ୍ମଣ ଓରାମ ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିଶୋର ଓ ଦୁଷ୍ମନ୍ତଙ୍କ କହିବାନୁଯାୟୀ ସେମାନଙ୍କ ପ୍ରଡକ୍ଟ ବ୍ୟବସାୟ ଭଲ ଚାଲିଥିଲା। ନିଜେ ଭଲରେ ଚଳିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲୁ। କରୋନା ପାଇଁ ବ୍ୟବସାୟ ପ୍ରଭାବିତ ହେଲା। ଲକ୍‌ଡାଉନ ଘୋଷଣା ପରେ ହଜାରରେ ଉର୍ଦ୍ଧ୍ୱ ଯୁବକ ଯୁବତୀ ବିଭିନ୍ନ ମେସରେ ଫସି ରହିଲୁ। ଘରକୁ ଫେରିବାକୁ ଇଛା କରି ମଧ୍ୟ ଫେରି ପାରୁନଥିଲୁ। ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ପାଇ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମକୁ କିଛିଦିନ ଧରି ଖାଇବାକୁ ଦେଇଥିଲେ। ଲକଡାଉନ କଟକଣା କୋହଳ ହେବା ପରେ ଅଧିକାଂଶ ପିଲା ନିଜ ବ୍ୟବସ୍ଥାରେ ଘରକୁ ଫେରିଗଲେ। କିନ୍ତୁ ଆମେ ୫୦ରୁ ଉର୍ଦ୍ଧ୍ୱ ପିଲା ଘରକୁ ଫେରି ପାରୁନୁ। ଗୋଟେ ପଟେ ଘରର ଆର୍ଥୀକ ସ୍ଥିତି ବଦଳାଇବା ସହ ଏକ ନୂଆ ଭବିଷ୍ୟତ ଗଢ଼ିବାକୁ ଆମେ ଘରୁ ଗୋଡ଼ କାଢ଼ିଥିଲୁ। ଏବେ ଆମର ଦୁର୍ଦ୍ଦଶା ସମ୍ପର୍କରେ ଘର ଲୋକଙ୍କୁ କହି ପାରୁନୁ। ଅନ୍ୟ ପକ୍ଷରେ ଆମେ ରହୁଥିବା ମେସ ମାଲିକ ଓ ରେସନ ଦୋକାନରେ ଲକ୍ଷାଧିକ ଟଙ୍କା ବାକି ପଡ଼ିଛି। ମୂଲ ଲାଗି ଏହାକୁ ସୁଝିବାକୁ ଜାତୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଜଣେ ସୋର ଅଞ୍ଚଳର ଠିକାଦାରଙ୍କ ନିକଟରେ କାମ କଲୁ। ଗତ ମଇ ମାସ ୧୭ତାରିଖରୁ ୨୦ରୁ ଉର୍ଦ୍ଧ୍ୱ ପିଲା ଏହି ଠିକାଦାରଙ୍କ ନିକଟରେ କାମ କରିବା ପରେ ମଧ୍ୟ ସଂପୃକ୍ତ ଠିକାଦାର ପ୍ରାପ୍ୟ ନଦେଇ ମୁହଁ ବନ୍ଦ ରଖିବାକୁ ଏବେ ଧମକ ଦେଇ ଚାଲିଛନ୍ତି। ଏବେ ଆମମାନଙ୍କ ନିକଟରେ କୌଣସି ଉପାୟ ନାହିଁ। ଆସନ୍ତାକାଲି ସେମାନେ ଉ୍ରମ ବିଭାଗର ଉପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିବା ସହ ଦାଦନ ଜୀବନରୁ ମୁକ୍ତି ଦେବାକୁ ପ୍ରାର୍ଥନା କରିବେ ବୋଲି କହିଛନ୍ତି।