Odiapua.com

କରୋନା ଛୁଇଁ ନଥିବା ପଞ୍ଚାୟତ ହେଉଛି କେ ବାଲିପାଳ

ହାଟଡିହି- ୨୨ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ବିଶ୍ୱ ଏବେ କରୋନାର ଦ୍ୱିତୀୟ ଲହରରେ ଉବୁଟୁବୁ ହେଉଥିବାବେଳେ ହାଟଡିହି ବ୍ଲକର ଏକ ପଞ୍ଚାୟତକୁ ଆଜି ଯାଏ କରୋନା ଛୁଇଁ ପାରିନଥିବା ଜଣାଯାଇଛି ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେ ବାଲିପାଳ ପଞ୍ଚାୟତ । ଏହି ପଞ୍ଚାୟତରେ ୭ଟି ଗାଁ ଥିବାବେଳେ ମୋଟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଏଠାରେ ବସବାସ କରନ୍ତି । ଏମାନେ ମୁଖ୍ୟତ ଜଂଗଲଯାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାବେଳେ ଅଧିକାଶଂ ଲୋକ ଚାଷବାସ ଉପରେ ନିର୍ଭର କରିଥାନ୍ତି । ଚତୁର୍ପାଶ୍ୱ ବଣପାହାଡ ଘେରା ଏହି ପଞ୍ଚାୟତକୁ କରୋନା ଆଜିଯାଏଁ ଛୁଇଁ ପାରିନି । ଅନେକ ଲୋକ କରୋନା କଣ ବୋଲି ବି ଜାଣି ନାହାନ୍ତି । କିନ୍ତୁ ଏଠାରେ ଗତ ଦୁଇମାସ ହେଲା ଲୋକମାନେ ସତର୍କତା ଅବଲମ୍ବନ କରିବା ସହ ବାହାର ଲୋକମାନଙ୍କୁ ଗାଁକୁ ପୁରାଇ ଦେଉ ନାହାନ୍ତି । ଯେ ବି ଯାଉଛି ସତର୍କତା ଅବଲମ୍ବନ କରିବା ସହ ସଂଗରୋଧରେ ରହୁଛନ୍ତି । ଏଥିପାଇଁ ଗାଁରେ ଗାଁ କଲ୍ୟାଣ ସମିତି ମାନ କାର୍ଯ୍ୟ କରୁଛି । ସ୍ଥାନୀୟ ସରପଞ୍ଚ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରଘର ବୁଲି ଲୋକମାନଙ୍କୁ ସାମାଜିକ ଦୁରତା ବଜାୟ ରଖିବା, ଆବଶ୍ୟକ ନହେଲେ ବାହାରକୁ ନଯିବା ଓ ନିୟମିତ ମାସ୍କ ପିନ୍ଧିବା ଭଳି ସଚେତନ କରିଥିବାରୁ ଲୋକମାନେ ଏହାକୁ ମାନି ଚଳୁଛନ୍ତି । ଏପରିକି କରୋନା କଟକଣାକୁ ଗାଁ ଗୁଡିକର ଲୋକମାନେ ଠିକ ଭାବେ ମାନି ଚଳୁଥିବାରୁ ଏହି ଗାଁ ଗୁଡିକର ଲୋକମାନେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମଣ ଠାରୁ ଢ଼େର ଦୁରରେ ରହିଛନ୍ତି । ରାଜ୍ୟ ବହାରେ କାମ କରୁଥିବା ଗାଁର ଯୁବକ ମାନେ ଗାଁକୁ ଆସିଲେ ତାଙ୍କୁ ୧୪ଦିନ ସଂଗରୋଧରେ ରହିବା ବାଧ୍ୟତା ମୁଳକ କରାଯାଇଛି ।ଯାହାଦ୍ୱାରାକି ଏଠାରେ କରୋନା ସଂକ୍ରମଣ ଆଜିଯାଏ ହୋଇ ନଥିବା ଜଣାଯାଇଛି ।ଆଜି ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ନେଉଥିବା ହିତାଧିକାରୀ ମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଧାଡିରେ ଭତ୍ତା ନେଉଥବବା ଦେଖିବାକୁ ମିଳିଥିଲା । ଏବେ କେନ୍ଦୁଝର ଜିଲ୍ଲାରେ ୧୪୫୦୦ରୁ ଉର୍ଦ୍ଧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ହାଟଡିହି ବ୍ଲକରେ ୪୫୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ୩୧ଟିଯାକ ପଞ୍ଚାୟତ ମଧ୍ୟରୁ ୩୦ଟି ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ଏପରିସ୍ଥଳେ କେ ବାଲିପାଳ ଭଳି ଏକ ଆଦିବାସୀ ବହୁଳ ପଞ୍ଚାୟତରେ କରୋନା ଛୁଇର୍ ନପାରିବା ଅନ୍ୟ ପଞ୍ଚାୟତ ଗୁଡିକ ପାଇଁ ଉଦାହରଣ ପାଲଟିଛି ।
ସରପଞ୍ଚ ରମ୍ଭା ପାତ୍ରଙ୍କ କହିବାନୁଯାଇ ଏଠାକାର ଲୋକମାନେ ବିଶେଷତଃ ଗାଁ ବାହାରକୁ ଯାଉ ନଥିବାରୁ କରୋନା ସଂକ୍ରମଣ ହେଉନାହାନ୍ତି । ଗାଁ ଠାରୁ ମାର୍କେଟର ଦୁରତା ୮ରୁ ୧୦କିଲୋମିଟର, ତେଣୁ ଲୋକମାନେ ବାହାରକୁ ବାହାରୁ ନାହାନ୍ତି ।
ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ କହିବାନୁଯାଇ ଏହି ପଞ୍ଚାୟତର ଲୋକମାନଙ୍କୁ ଆବଶ୍ୟକ ସଚେତନ କରିବା ସହ ଏଠାକାର ଲୋକମାନେ ସରକାରଙ୍କ କଟକଣାକୁ ଠିକ ଭାବେ ମାନୁ ଥିବାରୁ କରୋନା ପଞ୍ଚାୟତକୁ ଆଜିଯାଏ ଛୁଇଁ ପାରିନି ।
ଆଶା କର୍ମୀ ଯଶୋଦା ହୋଙ୍କ କହିବାନୁଯାଇ ଆମେ ଘର ଘର ବୁଲି ମାସ୍କ ବଣ୍ଟନ କରିବା ସହିତ ଲୋକମାନଙ୍କ ଘରକୁ ଯାଇ ବୁଝା ସୁଝା କରୁଥିବାରୁ ଗାଁ ଲୋକମାନେ ସମସ୍ତ କଟକଣାକୁ ମାନି ଚଳୁଛନ୍ତି, ଯେଉଁମାନେ ବାହାରୁ ଆସୁଛନ୍ତି ଆମେ ସେମାନଙ୍କୁ ସଂଗରୋଧରେ ରଖୁଛୁ । କାହାର ଥଣ୍ଡା କି ଜ୍ୱର ହେଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ଔଷଧ ପତ୍ର ଦେବା ସହ ସେମାନଙ୍କୁ ଟେଷ୍ଟିଂ ପାଇଁ ପଠାଉଛୁ । କିନ୍ତୁ ଆଜି ପର୍ଯ୍ୟନ୍ତ କାହୋର ପଜେଟିଭ ବାହାରି ନାହିଁ ।