Odiapua.com

କରୋନା ଛାଟ, ହାତବାନ୍ଧି ବସିଛନ୍ତି ସହରର ଟ୍ରଲିଚାଳକ

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡର ଦ୍ୱିତୀୟ ଲହର ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି । ସବୁଠି ଅସ୍ୱାଭାବିକ୍ ଓ ଆତଙ୍କର ପରିବେଶ । ସରକାରଙ୍କ ଦ୍ୱାରା ଜାରୀ ଲକଡାଉନ ଓ ସର୍ଟଡାଉନ କଟକଣା ପାଇଁ ସମସ୍ତ ବର୍ଗର ଲୋକ ପ୍ରଭାବିତ । ଏଥିରୁ ବାଦ ପଡ଼ି ନାହାନ୍ତି ସହରର ଟ୍ରଲି ଚାଳକ । କରୋନା କଟକଣା ପାଇଁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।ତେଣୁ ସହରର ଟ୍ରଲି ଚାଳକ ଏବେ ହାତ ବାନ୍ଧି ବସିଛନ୍ତି ଓ ଚାତକ ପରି ଅନାଇ ବସିଛନ୍ତି କାଳେ ଗୋଟିଏ ଭଡ଼ା ମଳିଯିବ । ଭଡ଼ଫା ଟିଏ ମିଳିଲେ ସେମାନଙ୍କ ଘରେ ଚୁଲି ଜଳିବ । କିନ୍ତୁ ସକାଳ ହୋଇ ମଧ୍ୟାହ୍ନ ୧୨ଟା ବାଜୁଛି । ଲକଡାଉନ କଟକଣାର ସମୟ ପୁରି ଯାଉଛି । ହେଲେ ମିଳୁନି ଗୋଟିଏ ଭଡ଼ା । ନିରାଶ ହୋଇ ସେମାନେ ଫେରି ଯାଉଛନ୍ତି ଘରକୁ । ଏହି ପରି ସହରର ଶତାଧିକ ଟ୍ରଲିଚାଳକ ଅନାଇ ବସିଛନ୍ତି କେବେ ଫେରିବ ସ୍ୱାଭାବିକ୍ ସ୍ଥିତି । ଭଦ୍ରକର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ପୁରୁଣାବଜାର, କଚେରୀବଜାର ଓ ଚରମ୍ପା । ପ୍ରାୟ ୭ଶହରୁ ଉର୍ଦ୍ଧ୍ୱ ଟ୍ରଲିଚାଳକ ସକାଳ ହେଲେ ସେମାନଙ୍କ ଟ୍ରଲି ନେଇ ପହଞ୍ଚିଥାନ୍ତି ଏସମସ୍ତ ସ୍ଥାନରେ । ଏହାବ୍ୟତୀତ ସହରର ବହୁ ନିର୍ମାଣ ସାମଗ୍ରୀ ଦୋକାନରେ ମଧ୍ୟ କିଛି ଟ୍ରଲି ଚାଳକ ରହିଥାନ୍ତି ମାଲ ପରିବହନ ପାଇଁ । କିନ୍ତୁ ଲକଡାଉନ କଟକଣା ଜାରୀ ହେବା ପରେ ସେମାନେ ଏବେ ହତାଶ ହୋଇ ପଡ଼ିଛନ୍ତି । କାରଣ ସକାଳୁ ସେମାନେ ନିୟମିତ ବଜାରକୁ ବାହାରି ଆସୁଛନ୍ତି । ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ବସୁଛନ୍ତି ଭଡ଼ା ପାଇଁ । କିନ୍ତୁ ବ୍ୟବସାୟ ଠପ ହୋଇ ଯାଇଥିବାରୁ, ସେମାନେ ବସି ବସି ଫେରୁଛନ୍ତି । ସେମାନଙ୍କ ଦୁଖ ବୁଝିବା ପାଇଁ କେହି ନାହିଁ । ଗତବର୍ଷ ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଥିଲା ।

କିନ୍ତୁ ଚଳିତ ବର୍ଷ ସେପରି କିଛି ମିଳୁ ନାହିଁ ବୋଲି କହିଛନ୍ତି ଜଣେ ଟ୍ରଲି ଚାଳକ ସେକ ନାସିର । ତେବେ ଶ୍ରମିକ ନେତା ଦିବ୍ୟସିଂ ନାୟକଙ୍କ କହିବାନୁଯାୟୀ ସହରରେ ଏବେ ୬୨୫ ରିକ୍ସା ଓ ୭ଶହରୁ ଉର୍ଦ୍ଧ୍ୱ ଟ୍ରଲି ଚାଳକ ରହିଛନ୍ତି । ଗତ ବର୍ଷ ମଇ ମାସ ୨୫ ତାରିଖ ସିଆଇଟିୟୁ ପକ୍ଷରୁ ସେ ରିକ୍ସା ଓ ଟ୍ରଲି ଚାଳକଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ସହାୟତା ମଳିବା ନେଇ ପ୍ରତିଶ୍ରୁତି ମିଳିବା ପରେ ସେ ସେମାନଙ୍କର ଏକ ତାଲିକା, ସେମାନଙ୍କ ଆଧାର କାର୍ଡ଼, ବ୍ୟାଙ୍କ ଏକାଉଣ୍ଟ ନମ୍ବର ପ୍ରଶାସନ ନିକଟରେ ଦାକଲ କରିଥିଲେ । ଏପରି ଏକ ଦୁଃସମୟରେ ଅତିକମ୍‌ରେ ସେମାନଙ୍କ ପରିବାର ଚଳିବା ପାଇଁ ମାସିକ ୨ହଜାର ଟଙ୍କା ସହାୟତା ରାଶୀ ପ୍ରଦାନ କରିବାକୁ ନିବେଦନ କରିଥିଳେ । କିନ୍ତୁ ଇତିମଧ୍ୟରେ ୧ବର୍ଷ ବିତିଗଲାଣି । ଜିଲ୍ଲା ପ୍ରଶାସନ ଏଦିଗରେ ନିରବ ରହିଛି । ତେଣୁ ତୂୁରନ୍ତ ଏସମସ୍ତ ପରିବାରଙ୍କୁ ମାସିକ ରେସନ ସହିତ ଆର୍ଥୀକ ସହାୟତା ଦେବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ତେବେ ଏବେର ପରିସ୍ଥିତିକୁ ନେଇ କିଛି ଚିନ୍ତା କରି ପାରୁନହାନ୍ତି ଏସମସ୍ତ ପରିବାର । କେବଳ ଅନାଇ ବସିଛନ୍ତି କେବେ ହଟିକ ଲକଡାଉନ କଟକଣା ଓ ପରିସ୍ଥିତି ହେବ ସ୍ୱଭାବିକ୍ । ରାଜ୍ୟରେ ଯେଉଁ ଲକଡାଉନ ଅବଧିକୁ ବୃଦ୍ଧି କରାଗଲା, ତାହା ସେମାନଙ୍କୁ ଆହୁରି ନିରାଶ କରିଛି ବୋଲି ବନ୍ତ ଛକରେ ଟ୍ରଲି ଧରି ଗ୍ରାହକ ଅପକ୍ଷୋରେ ଥିବା ମୁନୁ ହାଂସଦା କହିଛନ୍ତି । ତଥାପି ଜୀବନ ଜିବୀକାର ସଂଘର୍ଷ ମଧ୍ୟରେ ସେମାନେ କିପରି ବଞ୍ଚିବେ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅନ୍ୟତମ ଶ୍ରମିକ ନେତା ସମର ବଳ ଦାବି କରିଛନ୍ତି ।