ଛତିଆ , ୨୩।୫ (ଓଡ଼ିଆ ପୁଅ/ଶରତ ନାୟକ) : ମହାମାରୀ କରୋନା କାରଣରୁ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସରକାର କେବଳ ସପ୍ତାହନ୍ତ ବନ୍ଦ ଓ ତାଲା ବନ୍ଦ କରି ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ଗରିବ ଦିନ ମଜୁରିଆ ଓ ମଧ୍ୟବିତ୍ତ ପରିବାରର ଲୋକେ ଚଳିବା ଯେ କେତେ କଷ୍ଟକର ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହୃଦୟ ଙ୍ଗମ କରିବା ଆବଶ୍ୟକ।
କାହିଁକି ନା ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪ ମାସ ହେଲା ଲୋକ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମଝିରେ ଅଳ୍ପ କିଛି ମାସ କିଛିଟା ସୁଆର ଆସିଥିବା ବେଳେ ଦ୍ଵିତୀୟ ଲହର ଏହି ବର୍ଗର ଲୋକଙ୍କ ଦୁର୍ଦ୍ଦଶା କୁ ଦ୍ବିଗୁଣିତ କରିଦେଇଛି। ଗତବର୍ଷ ମାର୍ଚ୍ଚ ମାସରୁ ପ୍ରାୟ ୩ ମାସ କାଳ ତାଲା ବନ୍ଦ ଲାଗି ରହିଥିଲା। ଏପରିକି ଏହାର କିଛି ମାସ ପର୍ଯ୍ୟନ୍ତ ମଧ୍ୟ ଶୋଚନୀୟ ହୋଇ ପଡିଥିଲା ଅବସ୍ଥା। ମଝିରେ ୩/୪ ମାସ ଟିଆ ଅଣ୍ଟା ସଳଖିଲା ବେଳକୁ ପୁଣି ପ୍ରହାର।
ଯେଉଁଥି ପାଇଁ ଦୁର୍ବିସହ ହୋଇ ପଡିଲାଣି ଅବସ୍ଥା। ଯେଉଁଥିପାଇଁ ଚଳିବା କଷ୍ଟକର। ମହାମାରୀ ପାଇଁ ସେମାନଙ୍କ ପାଇଁ ସେଭଳି କୌଣସି ସହାୟତା ପ୍ରଦାନ କରା ଯାଉନାହିଁ। ସେମାନେ କରିବେ ବା କଣ। ପେଟ ପୋଷିବା ପାଇଁ ଓ ନିଜ ପରିବାର ଚଳାଇବା କୁ ଯାହା ହେଉନା କାହିଁକି ଅର୍ଥର ଆବଶ୍ୟକତା ରହିଛି। ତେଣୁ ମହାମାରୀକୁ ଭୟ ନକରି ପଦାକୁ ଗୋଡ଼ କାଢ଼ୁଛନ୍ତି କାମଧନ୍ଦା ଅନ୍ୱେଷଣରେ। ଜୀବନ ଜିଇଁବାକୁ ହେଲେ ଘରେ ବସି ରହିଲେ ହେବନାହିଁ। ଯାହା ଫଳରେ କଟକଣା କୁ ପଛ କରି ଜୀବନ ସଂଗ୍ରାମରେ ଲଢିବାକୁ ହେବ। ନହେଲେ ପରିବାର ଉପାସ। ଯେଉଁଥିପାଇଁ ଜୀବନ ଯାଉ ପଛେ ଜୀବିକା ଦରକାର। କହିବାକୁ ଗଲେ ବୁଭୁକ୍ଷୁ କି ନକରୋତି। ତେଣୁ ପେଟର ଜ୍ବଳା କୁ ପ୍ରଶମିତ କରିବାକୁ ହେଲେ ଖାଇବାକୁ ପଡିବ। ସେଥିପାଇଁ ଅର୍ଥ ଉପାର୍ଜନ ଜରୁରୀ, ଘରେ ବସି ରହିଲେ ଅର୍ଥ ଆପେ ଆପେ ମିଳିବ ନାହିଁ। ଯାହା ହେଉପଛେ କଟକଣା ନମାନି ଘରୁ ଗୋଡ଼ କାଢ଼ି ପଦାକୁ ବାହାରି ପଡୁଛନ୍ତି।
ସେହିପରି ପନିପରିବା ଚାଷୀଙ୍କ ଠାରୁ ଆରମ୍ଭ କରି ଦୁଗ୍ଧ ଚାଷୀଙ୍କ କଥା ନ କହିଲେ ଭଲ। ତାଲା ବନ୍ଦ ଯୋଗୁଁ ସେମାନେ ଉତ୍ପାଦିତ ପନିପରିବାକୁ ବିକିବା ପାଇଁ ବାହାରକୁ ଯାଇ ପାରୁନାହାଁନ୍ତି। ଏପରିକି ବେପାରୀ ମାନେ ମଧ୍ୟ କିଣିବାକୁ ଆସୁନାହାନ୍ତି। ଯେଉଁଥିପାଇଁ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୁଗ୍ଧ ଚାଷୀଙ୍କ କଥା ତ ନକହିବା ଭଲ, ଏମାନଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ଚାଷୀ ମାନଙ୍କ ଠାରୁ ଯେଉଁ କମ୍ପାନୀ ମାନେ ଯେତିକି କ୍ଷୀର କିଣୁଥିଲେ ବର୍ତ୍ତମାନ ଆଉ ସେତିକି କିଣୁ ନାହାନ୍ତି। ଚାଷୀ ମାନଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଟାର୍ଗେଟ ଦିଆଯାଇଛି। ଏମିତିକି ଚାଷୀ ମାନେ ଯେତିକି ମୂଲ୍ୟରେ କ୍ଷୀର ବିକ୍ରି କରୁଥିଲେ ତାଲା ବନ୍ଦ ହେବା ଦିନ ଠାରୁ ଲିଟର ପିଛା ଦୁଇ ଟଙ୍କା ଲେଖାଏଁ କମ୍ ଦରରେ କିଣାଯାଉଛି। ଏଭଳି ସମୟରେ ଗୋ ଖାଦ୍ୟ ଗୁଡିକର ମୂଲ୍ୟ କିନ୍ତୁ ବୃଦ୍ଧି ପାଇଛି। ଯେଉଁଥିପାଇଁ ଗୋ ଚାଷୀ ମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୋରୋନା ଓ ତାଲା ବନ୍ଦ ସମୟରେ ଦୁଗ୍ଧ କମ୍ପାନୀ ଗୁଡ଼ିକ ଯେପରି ଏକ ସୁଯୋଗ ମନେକରି ଚାଷୀ ମାନଙ୍କୁ ଶୋଷଣ କରୁଛନ୍ତି କହିଲେ ଭୁଲ ହେବ ନାହିଁ। ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କ ଅତ୍ଯନ୍ତ ଦୟନୀୟ ହୋଇ ପଡିଛି। ଏହିଭଳି କରୋନା’କାଳରେ କାହାର ସର୍ବନାଶ ତ ଆଉ କାହାର ପୁଷମାସ। ସେହିପରି ଦୁର୍ବିସହ ହୋଇ ପଡିଲାଣି ଜୀବନ ଲୋକଙ୍କ ମନରେ ପ୍ରଶ୍ନ କେବେ ଫେରିବ ସୁଦିନ।