Odiapua.com

କରୋନା କାରୁଣ୍ୟ : କଣ୍ଠଶିଳ୍ପୀ ବନିଲେ ମାଛ ବ୍ୟବସାୟୀ

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାତରେ ମାଇକ୍ରୋଫୋନ୍ ବଦଳରେ ନିକିତି । କରୋନା ଆଣିଦେଇଛି ତାଙ୍କ ପେସାଦାର ଜୀବନ ଶୈଳୀରେ ପରିବର୍ତ୍ତନ । ବିଗତ ଦିନରେ ନିଜର ମଧୁର ସ୍ୱର ଜରିଆରେ ଶତାଧିକ ଦର୍ଶକଙ୍କୁ ସେ ଜଲିଉଡଠାରୁ ଆରମ୍ଭ କରି ଅକ୍ରେଷ୍ଟା ବା ମେଲୋଡି କାର୍ଯ୍ୟକ୍ରମରେ ସେ ବାନ୍ଧି ରଖୁଥିଲେ । ନିଜର ସୁମଧୁର ସଂଗୀତ ପରିବେଷଣ ଜରିଆରେ ବହୁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ହଜାର ହଜାର ଫ୍ୟାନ୍ ସୃଷ୍ଟି କରିପାରିଥିଲେ । ପରିସ୍ଥିତିର ତାଡନାରେ ସେ ଏବେ ଜଣେ ସଫଳ ମାଛ ବ୍ୟବସାୟୀ ପାଲଟି ଯାଇଛନ୍ତି । ଜୀବନରେ ବହୁ ଦୁଃଖ କଷ୍ଟ ଓ ସଂଘର୍ଷ ମଧ୍ୟରେ ଗତିକରି ମଧ୍ୟ ସେ କୌଣସି ଦିନ ନିଜର ପେସାଦାର ମନୋବୃତ୍ତି ସହିତ ସାଲିସ କରିନଥିଲେ । କିନ୍ତୁ କରୋନା ତାଙ୍କୁ ବାଧ୍ୟ କରିଛି ଜୀବନ ଶୈଳୀରେ ପରିବର୍ତ୍ତନ ପାଇଁ । ସେ ହେଉଛନ୍ତି ଭଦ୍ରକ ଜିଲାର ଜଣେ ପରିଚିତ କଣ୍ଠଶିଳ୍ପୀ ଗୌତମ ବାରିକ । ଆଗରପଡା ନିକଟସ୍ଥ ନରାଜପୁର (ହରିପୁର) ଗ୍ରାମର ବାସନ୍ତୀ ବାରିକ ଓ ଲକ୍ଷ୍ମୀଧର ବାରିକଙ୍କ ଜ୍ୟେଷ୍ଠପୁତ୍ର ଗୌତମ । ଜଣେ ପାଲା ଓ ଦାସକାଠିଆ ଗାୟକ ଭାବେ ତାଙ୍କର ପ୍ରସିଦ୍ଧି ଥିଲା । ତାଙ୍କ ପ୍ରେରଣାରେ ଗୌତମ ଆରମ୍ଭରୁ ଅନୁପ୍ରାଣିତ ହୋଇଥିଲେ । ସଂଗୀତ ପ୍ରତି ଦୁର୍ବଳ ଦୁର୍ବଳତା ଥିବା ଗୌତମ ପ୍ରଥମେ ବିଶ୍ୱମାତା ଅପେରା, ଶିବାନୀ ଅପେରା, ଓଁ ଶ୍ରୀ ଅପେରା, ଇଷ୍ଟର୍ଣ୍ଣ ରେଡ୍‌, ତାରିଣୀ ଗଣନାଟ୍ୟ, ଇନ୍ଦ୍ରମହଲ ପରି ହାଇପ୍ରୋଫାଇଲ୍ ଅପେରା ଦଳରେ ନିଜର କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କିନ୍ତୁ ୩ ବର୍ଷ ପୂର୍ବେ ନିଜେ କିଛି କରିବାକୁ ଚିନ୍ତା କରିଥିଲେ ।

ନିଜର ସଂଚିତ ଅର୍ଥ, ପରିବାର ବର୍ଗ ଓ ଶୁଭେଚ୍ଛୁଙ୍କ ସାହାଯ୍ୟରେ ‘ସଂଗୀତ ସମ୍ରାଟ’ ନାମକ ଏକ ମେଲୋଡି ଟ୍ରୁପ୍ ଗଠନ କଲେ । ତାଙ୍କ ସହଧର୍ମିଣୀ ମଧ୍ୟ ଜଣେ ସଫଳ କଣ୍ଠଶିଳ୍ପୀ ହୋଇଥିବାରୁ ଉଭୟ ଦମ୍ପତି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆରମ୍ଭ କଲେ । କିନ୍ତୁ କରୋନା ସବୁ ବିଗାଡି ଦେଲା । ଲକଡାଉନ୍ ଯୋଗୁଁ ଆଖଡା ଶାଳାରେ ତାଲା ପଡିଲା । ଲକଡାଉନ୍ ଘୋଷଣା ହେବାରୁ ମନୋରଂଜନ ଧର୍ମୀ ସମସ୍ତ କାର୍ଯ୍ୟକ୍ରମରେ ରୋକ୍ ଲାଗିଲା । ଠିକ୍ ଏତିକିବେଳେ ପରିବାର ପ୍ରତିପୋଷଣ ପାଇଁ ଗୌତମଙ୍କୁ ନିଜର ପେସା ସହିତ ସାଲିସ କରିବାକୁ ପଡିଲା । ବହୁତ ଭାବିଚିନ୍ତି ସେ ଆରମ୍ଭ କଲେ ମାଛ ବ୍ୟବସାୟ । ବନ୍ତଛକ ଫୁଟ୍‌ପାତରେ ‘ଏଲ୍‌ବି ଫିସ୍‌’ ନାମରେ ଏକ ମାଛ ବ୍ୟବସାୟ କେନ୍ଦ୍ର ଖୋଲିଛନ୍ତି । ମାର୍ଜିତ ବ୍ୟବହାର ପାଇଁ ତାଙ୍କ ଦୋକାନରେ ଏବେ ବେଶ ଭିଡ ଜମୁଛି । ନିଜର ଖ୍ୟାତି ଯୋଗୁଁ ମାତ୍ର ୩ ମାସ ମଧ୍ୟରେ ସେ ଜଣେ ସଫଳ ମାଛ ବ୍ୟବସାୟୀ ହୋଇପାରିଛନ୍ତି । ବ୍ୟବସାୟ ସହିତ ତାଙ୍କର ଗ୍ରାହକଙ୍କ ମଧ୍ୟରେ ଗୌତମ କରୋନା ସଂପର୍କିତ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ତେବେ ପରିସ୍ଥିତି ସ୍ୱାଭାବିକ ହେଲେ ସେ ପୁଣି ମଂଚକୁ ଓହ୍ଲାଇବେ । କଳା ମୋ ଜୀବନ । ଏହା ସହିତ ବିଶ୍ୱାସଘାତକତା କରି ପାରିବେନି ବୋଲି କୁହନ୍ତି ଗୌତମ । ଗୌତମଙ୍କ ପରିବାରର ସମସ୍ତେ କଳାକାର ହୋଇଥିଲେ ସୁଦ୍ଧା ସେମାନେ ଭତ୍ତାରୁ ବଂଚିତ । ତେଣୁ କରୋନା କାଳରେ ସରକାରଙ୍କ ବିଭିନ୍ନ ଆତ୍ମନିର୍ଭରଶୀଳ ଯୋଜନାରେ ଗୌତମ ଓ ତାଙ୍କ ପରିବାରକୁ କିଛି ସହଯୋଗ ମିଳିବା ଆବଶ୍ୟକ ବୋଲି ତାଙ୍କ ପ୍ରଶଂସକଙ୍କ ମହଲରେ ମତ ପ୍ରକାଶ ପାଇଛି ।