ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କ;ରୋନା ଏହାର କାୟା ବିସ୍ତାର କରି ଚାଲିଛି। ବିଶେଷକରି ଭଦ୍ରକ ପୌରାଞ୍ଚଳରେ ଏହି ମହାମାରୀ ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି। ବର୍ତ୍ତମାନ ସ୍ଥିତିରେ ଯେଉଁ ନୂତନ କରୋନା ଆକ୍ରାନ୍ତ ପୌରାଞ୍ଚଳେରେ ଚିହ୍ନଟ ହେଉଛନ୍ତି ଅଧିକାଂଶ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ପୂର୍ବରୁ ଅଳ୍ପ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଉଥିଲା। ପରେ ଏହି ସଂଖ୍ୟା ପ୍ରତ୍ୟେକ ଦିନ ୨ଶହକୁ ବୃଦ୍ଧି ପାଇଲା। ଏବେ ଏହା ୪ଶହରେ ପହଞ୍ଚିଛି। ଆଗାମୀ ଦିନରେ ଏହି ସଂଖ୍ୟାକୁ ପ୍ରତ୍ୟେକ ଦିନ ୬ରୁ ୭ଶହକୁ ବୃଦ୍ଧି କରାଯିବ। ତେଣୁ ଅଧିକ ପରୀକ୍ଷା ହେଲେ ସ୍ୱାଭାବିକ୍ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଗଟିବ ତେଣୁ କୌଣସି ବ୍ୟକ୍ତି ଏଥି ନିମନ୍ତେ ଭୟଭୀତ ନହେବାକୁ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୟୁଟ୍ କରି ଜଣାଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ମଧୂସୁଦନ ପାଢ଼ୀ ଭଦ୍ରକ ଗସ୍ତରେ ଆସି କରୋନା ସ୍ଥିତି ସମୀକ୍ଷା କରିବା ସହ ଅଧିକ ସ୍ୱାବ୍ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ପରୀକ୍ଷା ପାଇଁ ଭୟଭୀତ ନହୋଇ ଜନସାଧାରଣ ଅଧିକ ସହଯୋଗ କରିବାକୁ ନିବେଦନ କରିଥିଲେ। ତେବେ ପୌରାଞ୍ଚଳରେ କରୋନା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ, ଚେତୁ ନାହାନ୍ତି ପୌରବାସୀ। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟକି ପ୍ରତିଷ୍ଠାନ ସବୁଠି ଭିଡ଼। ସ୍ଥିତି ଅସମ୍ଭାଳ ହେଲାଣି, ତଥାପି ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ପରି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଭୂଲି ଯାଉଛନ୍ତି ସହରବାସୀ। ସମୟ ଥିଲା ସହରବାସୀ କରୋନାକୁ ମଜାକ ଉଡ଼ାଉଥିଲେ। କିନ୍ତୁ ଚିନରୁ ଆସି ଘର ଦୁଆର ମୁହଁରେ କରୋନା ଭୂତାଣୁ ପହଞ୍ଚି ସାରିଲାଣି। ତଥାପି ସତର୍କତା ଅବଲମ୍ବନ କରୁ ନାହାନ୍ତି ପୌରବାସୀ। ଘୋଷିତ ପ୍ରଶାସନିକ ତଥ୍ୟ ଅନୁଯାୟୀ ଆଜି କେବଳ ଗୋଟିଏ ଦିନରେ ସର୍ବାଧିକ ୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସମସ୍ତ ନୂତନ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଇତିମଧ୍ୟରେ କରୋନା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ସାରିଛି। ଏପରିକି ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ବନ୍ତ ଛକସ୍ଥିତ ଜଗନ୍ନାଥପୁର ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଜୀବନ ବୀମା କାର୍ଯ୍ୟାଳୟ, ବ୍ୟାଙ୍କ ଅଫ ବରୋଦା, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ, ସହରାଞ୍ଚଳ ଓ ପୁରୁଣାବଜାର ଥାନା, ପୌର କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଏପରିକି ଜିଲ୍ଲା ଚିକିତ୍ସାଳୟରେ କରୋନା ଭୂତାଣୁ ପ୍ରବେଶ କରି ସାରିଛି। ଏହାବ୍ୟତୀତ ସ୍ୱାବ ପରୀକ୍ଷା ଶିବିରରୁ ଏକତା ମାର୍କେଟ ସମେତ ଅନ୍ୟ କେତେକ ବ୍ୟବସାୟକି ପ୍ରତିଷ୍ଠାନରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସମସ୍ତ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏସବୁକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇ ବିଶୋଧନ କରାଯାଇଛି। କେତେକ ସ୍ଥାନକୁ ସିଲ ମଧ୍ୟ କରାଯାଇଛି। ଏହା ସତ୍ତ୍ୱେ ସହରମଧ୍ୟରେ ଅମାନିଆଙ୍କ ଭିଡ଼ ଲାଗି ରହିଛି। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ପ୍ରଶାସନ ଯଥା ସମ୍ଭବ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛି।୧୩ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା, ରାନ୍ଦିଆ ବଜାର, ସାମରାଇପୁର, ଚରମ୍ପା ଧଳସାହିର ଦୋକାନ ବଜାର ସୋମବାରରୁ ଶୁକ୍ରବାର ପ୍ରତ୍ୟହ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହି ଅପରାହ୍ନ ୩ଟା ଠାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ସଟ୍ଡାଉନ ସହିତ ସପ୍ତାହାନ୍ତ ସଟ୍ଡାଉନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି। ଏକଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଗଠନ କରି କେଭାଡ ଗାଇଡଲାନ ଠିକ ଭାବରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତନଖି କରାଯାଉଛି। ବିଭିନ୍ନ ଛକ ସ୍ଥାନରେ ବିନା ମାସ୍କଧାରୀଙ୍କ ବିରୋଧରେ ଧରପଗଡ଼ ଚାଲିଛି। ତଥାପି ଚେତୁ ନାହାନ୍ତି କିଛି ସହରବାସୀ। ପ୍ରଶାସନର ସମସ୍ତ ସଚେତନତା ସୃଷ୍ଟିର ଉଦ୍ୟମ ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କିଛି ସହରବାସୀଙ୍କ ଏପରି ଆଚରଣ ପାଇଁ କରୋନା ଏବେ ଗୋଷ୍ଠି ସଂକ୍ରମଣ ମୁହାଁ ହେଲାଣି।