Odiapua.com

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ମା’ ଧାମରାଇଙ୍କ ଜନ୍ମ ମହୋତ୍ସବ, ମକର ସଂକ୍ରାନ୍ତି, ପୀଠରେ ସଂପୂର୍ଣ୍ଣ ନୀରବତା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କଟକଣା ମଧ୍ୟରେ ପାଳିତ ହେଉଛି ମା’ ଧାମରାଇଙ୍କ ମକର ସଂକ୍ରାନ୍ତି ଉତ୍ସବ ।ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଉତ୍ସବ ମୁଖର ହେବା ପରିବର୍ତ୍ତେ ଗୁରୁ ଗମ୍ଭୀର ମଧ୍ୟରେ ଚାଲିଛି ପୂଜାର୍ଚନା । ଦୀର୍ଘ ୧୮୭୫ ମସିହାରୁ ଏହି ପୀଠରେ ମାଧାମରାଙ୍କ ପୂଜାଚ୍ଚନା ହୋଇଆସୁଛି । ପବିତ୍ର ମାଘ ମାସରେ ସୂର୍ଯ୍ୟ ଙ୍କ ଉତ୍ତରାୟଣ ଗତିରେ ୧୮୭୫ ମସିହାରେ ଏହି ଦିନ ଧାମରା ମୁହାଣରେ ମାଛ ମାରୁଥିବା କୈବର୍ତ୍ତ ଚୈତନ ଦଳେଇ ଏବଂ ନିଧି ଦଳେଇଙ୍କ ଜାଲରେ ଏକ ପଥର ମୂର୍ତ୍ତୀ ପଡିଥିଲା । ଏବଂ ସେହି ପଥରମୂର୍ତ୍ତୀକୁ ନେଇ ଧାମରାକୁ ଆସିବା ପରେ ସେହି ରାତିରେ ସ୍ୱପ୍ନାଦେଶ ହୋଇଥିଲା ମୁ ମା’ ଧାମରାଇ ଏବଂ ମୋର ଅନ୍ୟ ୬ ଭଉଣୀ ଙ୍କ ମଧ୍ୟରୁ ୫ ଭଉଣୀ ସାତାଭାୟା ଠାରେ ପଂଚୁ ବାରାହୀ ନାମରେ ପୂଜା ପାଇ ଆସୁଛନ୍ତି ଏବଂ ଅନ୍ୟ ଗୋଟିଏ ଭଉଣୀ ନରେନ୍ଦ୍ରପୁରର ମା ପାଟଣ ମଙ୍ଗଳା ନାମରେ ପୂଜିତ ହେଉଥିବା ବେଳେ ମୋତେ କେବଳ ଧାମରା କୈବର୍ତ୍ତ ବଂଶର ବିଧବା ସ୍ତ୍ରୀ ଲୋକ ମାନେ ପୂଜା କରିବେ । ଏବଂ ସେହି ଦିନ ଅର୍ଥାତ ୧୮୭୫ ମସିହା ଜାନୁଆରୀ ମାସ ୧୪ ତାରିଖ ଦିନ ମା’ ଧାମରାଇଙ୍କ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଉଛି । ମକରସଂକ୍ରାନ୍ତି ଦିନ ମା’ ଧାମରାଇଙ୍କ ଷୋଡଶ ଉପଚାର ପୂଜା କରାଯିବା ସହ ଯଞ୍ଜ, ଗୀତାପାଠ, ଚଣ୍ଡୀ ପାଠ ପ୍ରତ୍ୟହ ଭୋର ୫ଟା ଠାରୁ ଆରମ୍ଭ ହୋଇ ରାତ୍ରି ୮ଟା ଯାଏ ଏହିପରି ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ଚାଲେ । ୧୮୭୫ ମସିହାରୁ ଏକ ଚାଳ ଘରେ ପୂଜା ପାଇ ଆସୁଥିବା ବେଳେ ୨୦୦୫ମସିହାରେ ଧାମରା,ଜାଗୁଳା ପଂଚାୟତର ସର୍ବସାଧାରଣଙ୍କ ସହଯୋଗରେ ଏକ ବିଶାଳ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଭଦ୍ରକ ଜିଲ୍ଲାରେ ଏହିଭଳି ମନ୍ଦିର ପ୍ରାୟତ ଦେଖିବାକୁ ମିଳେ ନାହିଁ ।ଏହି ୧୦ ଦିନ ବ୍ୟାପୀ ମେଳାରେ କେବଳ ଭ୍‌ଦ୍ରକ ଜିଲ୍ଲା ନୁହେଁ କେନ୍ଦ୍ରାପଡା,ରାଜନଗର ,ଓଳାଭର,ପଟ୍ଟାମୁଣ୍ଡାଇ ,ରାଜକନିକା,ବିଞ୍ଜାରପୁର,ଚଣ୍ଡିଖୋଲ,ଯାଜପୁର,ଆରଡି,ଚାନ୍ଦବାଲି,ସୋରୋ,ବାଲେଶ୍ୱର, ଜଳେଶ୍ୱର, ବାଲିଆପାଳ ବସ୍ତା,କଲିକତା,କାନ୍ଥି,ମେଦିନପୁର,ବେଲଦା ପ୍ରଭୃତି ଅଂଚଳରୁ ଲୁଗାଦୋକାନ, ଶଂଖ ,ଲୁହା,ପଥର କାରୁକାର୍ଯ୍ୟ,ସିଙ୍ଗ,ସୁନା ଦୋକାନ, କଂସା ବାଶନ ଠାରୁ ଆରମ୍ଭ କରି ଗୁପଚୁପ,ଫାଷ୍ଟଫୁଡ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦୋକାନୀ ମାନଙ୍କର ଭିଡ ଜମୁଥିବା ବେଳେ ଚଳିତ ବର୍ଷ କରୋନା ଭୟବହତାକୁ ଦୃଷ୍ଟିରେ ରଖୀ ଏହି ପୀଠରେ ଦୀର୍ଘ ୯ମାସ ହେବ ପୂଜାର୍ଚନା ବନ୍ଦ ଥିଲା ।ସ୍ଥାନୀୟ ଜନସାଧାରଣଙ୍କ ଅନୁରୋଧରେ ଭଦ୍ରକ ଜିଲ୍ଲାପାଳ ଏହି ମାଙ୍କ ପୀଠରେ ମନ୍ଦିର ଖୈାଲି ପୂଜାର୍ଚ୍ଚନା କରିବାକୁ ଆଦେଶ ଦେଇଥିବା ବେଳେ ମକର ସଂକ୍ରାନ୍ତିର ଭିଡକୁ ଆଖି ଆଗରେ ରଖି ମକର ମେଳା ପାଳନ କରିବାକୁ ସଂପୂର୍ଣ ବାରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେବଳ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଏବଂ ଭକ୍ତା ମାନଙ୍କୁ ମନ୍ଦିର ରେ ଥିବା ମାଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରୋନ କଟକଣା ମଧ୍ୟରେ ମନ୍ଦିରକୁ ଆସିବା ପାଇଁ ଚେତାବନୀ ଦେଇଛନ୍ତି ।