Odiapua.com

କରୋନା କଟକଣାରେ ବି ଟୁକୁଣା ଛକରେ ପ୍ରଚୁର ମଦ କାରବାର

ହାଟଡ଼ିହି-୭ /୪, କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନିଆ ଲକଡାଉନ କଟକଣା ଜାରି କରିଥିବାବେଳେ କିଛି ଚୋରା ମଦ ବେପାରୀଙ୍କ ପାଇଁ ଏହା ପୁସମାସ ପାଲଟିଛି । ରାମଚନ୍ଦ୍ରପୁର ଏସ.ଆଇ ବିଶ୍ୱଜିତ ବେହେରା ଷ୍ପେସାଲ ସ୍କ୍ୱାର୍ଡ ଧରି ନନ୍ଦିପଦା ଓ ସୋସୋ ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ କରୁଥିବାବେଳେ ଚୋରା ମଦବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା । ମାତ୍ର ସେ ନିଲମ୍ବିତ ହେବାପରେ ପୁନର୍ବାର ଚୋରା ମଦବେପାରୀମାନେ ସକ୍ରୀୟ ହୋଇ ଉଠିଛନ୍ତି । ଶହେ ଟଙ୍କାର ମଦକୁ ଦୁଇଶହରେ ବିକ୍ରୀକରି ଭଲ ଦିପଇସା ମୁନାଫା କରୁଛନ୍ତି । ନନ୍ଦିପଦା ଥାନା ଟୁକୁଣା ବଜାରରେ ପ୍ରଚୁର ଚୋରାମଦ କାରବାର ହେଉଥିବାରୁ ସେଠାରେ ଲକଡାଉନ କଟକଣାର କିଛି ମାନେ ରହୁନାହିଁ । ସନ୍ଧ୍ୟା ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ମଦପାଇଁ ଏଠାରେ ଧାଡି ଲଗାଇବା ସହିତ ସାମାଜିକ ଦୁରତାକୁ ମାନୁ ନାହାନ୍ତି । ଗତକାଲି ଅପରାହ୍ନରେ ନନ୍ଦିପଦା ପୁଲିସ ଉକ୍ତ ବଜାରରେ ପହଞ୍ଚି ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଚେତାବନୀ ଦେଇ ପଳାଇ ଆସିବାପରେ ପୁନର୍ବାର ଗହଳି ଲାଗିଥିଲା । କିଛି ବ୍ୟକ୍ତି ଏନେଇ ପୁଲିସକୁ ସୁଚନା ଦେବାପରେ ପୁଲିସ ପହଞ୍ଚି ଲୋକମାନଙ୍କୁ ଗୋଡାଇବାରୁ ମଦ କିଣିବାପାଇଁ ଆସିଥିବା ଲୋକମାନେ ଯେ ଯୁଆଡେ ଛିନଛତ୍ର ହୋଇ ପଳାଇଥିଲେ । ଏପରିକି ଚୋରା ମଦବ୍ୟବସାୟ କରୁଥିବା ବ୍ୟକ୍ତି ଜଣକ ପୁଲିସକୁ ଦେଖି ଦୌଡି ପଳାଇଥିଲା । ସବୁଠାରୁ ବଡକଥା ଯେ ପୁଲିସ ଭୟରେ ଚୋରା ମଦବ୍ୟବସାୟୀମାନେ ଚୋରାମଦ ସବୁକୁ ଘରେ ନରଖି ନିକଟସ୍ଥ ଗଛ କୋରଡ, ପାଇଖାନା ଟାଙ୍କି, ହୁଙ୍କା ମୁଳ, ପୋଖରୀ ହୁଡାରେ ଲୁଚାଇ ରଖି ବିକ୍ରୀ କରୁଛନ୍ତି । ଯାହାଦ୍ୱାରାକି ପୁଲିସ ଚଢ଼ାଉବେଳେ ଗୋଟିଏ ବି ମଦ ଜବଦ କରିବାରେ ସଫଳ ହେଉନାହିଁ ।