Odiapua.com

କରୋନା ଆଳରେ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ଚଳିବ ନାହିଁ ସି-ପି-ଆଇ (ଏମ୍‌-ଏଲ୍‌) ଲିବରେସନ

ଭୁବନେଶ୍ୱର ୬ା୭ (ଓଡ଼ିଆ ପୁଅ) : ମହାମାରୀ କରୋନା ଯୋଗୁଁ ଲୋକେ ଜୀବିକା ହରାଇଛନ୍ତି ଓ ସେମାନଙ୍କ ଜୀବନ ଘୋର ସଙ୍କଟରେ। ସରକାର କରୋନାର ପର୍ଯ୍ୟାପ୍ତ ପରୀକ୍ଷା କରୁନାହାଁନ୍ତି। କେବଳ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରି ଲୋକଙ୍କୁ ଘରେ ବନ୍ଦ କରି ରଖିବାର ସହଜ ଉପାୟକୁ ଆପଣେଇବା ଫଳରେ ସଂକ୍ରମଣ ଧିରେଧିରେ ବଢିଚାଲିଛି। ଗୋଟିଏ ପଟେ ଲୋକଙ୍କ ରୋଜଗାର ବ୍ୟବସ୍ଥା ଠପ୍ ହୋଇଯାଇଛି। ଅନ୍ୟପଟେ ସାମାଜିକ ଓ ଆର୍ଥିକ ଜୀବନ ଶୈଳୀରେ ଘୋର ବ୍ୟାଘାତ ଘଟି ଆତ୍ମହତ୍ୟା ପ୍ରବଣତା ବଢିଚାଲିଛି। ବିଶେଷକରି ଦାଦନ ଶ୍ରମିକ, ଗରିବ ଲୋକେ ଆଜି ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ଠିକ୍ ସେତିକି ବେଳେ କେନ୍ଦ୍ର ସରକାର ଡିଜେଲ୍ ଓ ପେଟୋଲ୍ ଲିଟର ପିଛା ଟିକସ ୫୫ ଟଙ୍କାରୁ ୫୮ ଟଙ୍କା ବଢାଇଦେଇଛନ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ ତେଲ ଦର କମୁଛି, ସେତେବେଳେ ଅତି ବେଶୀରେ ଲିଟର ପିଛା ତେଲ ଦର ୨୩ ଟଙ୍କାରୁ ୨୫ ଟଙ୍କା ଭିତରେ ରହିବା କଥା। ତାହା ଏବେ ୮୦ ଟଙ୍କାରୁ ବେଶି ହୋଇଯାଇଛି ଓ ତୈଳ କମ୍ପାନୀମାନେ ପ୍ରତିଦିନ ଦର ବଢାଇ ଚାଲିଛନ୍ତି। କର୍ପୋରେଟ୍ ସ୍ୱାର୍ଥ ରକ୍ଷା ପାଇଁ ଶ୍ରମ ଆଇନକୁ ବଦଳାଇ ଆଠ ଘଣ୍ଟା ପରିବର୍ତ୍ତେ ବାରଘଣ୍ଟା କରାଯାଇଛି। ଦେଶୀ ବିଦେଶୀ କମ୍ପାନୀଙ୍କ ସ୍ୱାର୍ଥ ପାଇଁ କୋଇଲା ଭଳି ପ୍ରାକୃତିକ ସମ୍ପଦକୁ ଆଖିବୁଜା ଲୁଟ୍ କରାଯାଉଛି। ‘ଭାରତୀୟ ରେଳ’ ଏବେ କର୍ପୋରେଟ୍ ରେଳରେ ପାଲଟି ଯିବାକୁ ବସିଛି। କମ୍ ଦରମା, ଅଧିକ କାମ, ନିରାପତ୍ତା ବିହୀନ ଚାକିରୀ ସତ୍ତାବଳୀ ପାଇଁ ଶ୍ରମିକମାନଙ୍କୁ ବାଧ୍ୟ କରାଯାଉଛି। ରାଜ୍ୟ ସରକାର ଡାଲି, ତେଲ, ଆଳୁ, ପିଆଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀରୁ ହଟାଇଦେବା ଫଳରେ କଳାବଜାରୀ ଓ ଦର ବଢୁଛି। ଠିକା ଚାଷ ପାଇଁ ବିଜେଡ଼ି ସରକାର ଅଧ୍ୟାଦେଶ ଆଣି ରାଜ୍ୟରେ ଚାଷକୁ ଧ୍ୱଂସ କରିଦେବାର ଚକ୍ରାନ୍ତ କରିଛନ୍ତି। ମଣ୍ଡିରେ ସମସ୍ତ ଧାନ ବିକ୍ରି ନ ହେବାରୁ ଅଭାବୀ ବିକ୍ରି ବଢୁଛି। ତେଣୁ ଏ ସମସ୍ତ ଜନବିରୋଧି କାର୍ଯ୍ୟ ବିରୋଧରେ ଲୋକେ ଆନ୍ଦୋଳନ ହିଁ କରିବେ। ଆନ୍ଦୋଳନ କରିବା ଲୋକଙ୍କର ସମ୍ବିଧାନ ପ୍ରଦତ୍ତ ଏକ ଗଣତାନ୍ତ୍ରିକ ଅଧିକାର। ପୁନଶ୍ଚ ଲୋକଙ୍କ ଦାବି ଶୁଣିବା ଓ ପ୍ରତିକାର କରିବା ସରକାରଙ୍କ କର୍ତ୍ତବ୍ୟ। ମୁଣ୍ଡ ପିଛା ମାସକୁ ୫ କେଜି ପରିବର୍ତ୍ତେ ୧୦ କେଜି ଚାଉଳ, ୧ କେଜି ଡାଲି ଓ ଆୟକର ଦେଉନଥିବା ପ୍ରତି ପରିବାରକୁ ମାସିକ ୭ ହଜାର ୫୦୦ ଟଙ୍କା ଦେବା ଆଦି ଅତ୍ୟନ୍ତ ଜରୁରୀ। ଲୋକଙ୍କ ଯଥାର୍ଥ ଦାବି ନ ମାନି ରାଜନୈତିକ ଦଳ, ଶ୍ରମିକ ସଂଗଠନ, ସାମାଜିକ କର୍ମୀଙ୍କ ବିରୋଧରେ କେସ୍ ଓ ବିଏମ୍‌ସି ମନୋମୁଖୀ ଆଇନ୍ କରି ଜନଆନ୍ଦୋଳନକୁ ବନ୍ଦ କରିପାରିବେ ନାହିଁ। ବରଂ ଏ ସମ୍ପର୍କରେ ସମସ୍ତଙ୍କ ସହିତ ବ୍ୟାପକ ବିଚାର ବିମର୍ଷ କରାଯିବା ଉଚିତ୍। ଏକ ଦାୟିତ୍ୱବାନ୍ ରାଜନୈତିକ ଦଳ ହିସାବରେ ଲୋକଙ୍କର ସମସ୍ୟାକୁ ନେଇ ଆନ୍ଦୋଳନ କରିବା ଆମର କର୍ତ୍ତବ୍ୟ। ସରକାର କରୋନା ଆଳରେ ଏହାକୁ କେବେବି ବନ୍ଦ କରିପାରିବେ ନାହିଁ।