ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୮-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କୋଭିଡ୍-୧୯ କଟକଣା କୋହଳ ହେବାରେ ଲାଗିଛି । ନୟାଗଡ ଜିଲ୍ଲା ୮ଟି ବ୍ଲକ୍ ମଧ୍ୟରୁ ରଣପୁର ବ୍ଲକ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ନଂ ହୋଇଥିବା ଜଣା ପଡିଛି । ଅଗଷ୍ଟ ୯ ତାରିଖ ସରକାରୀ ରିପୋର୍ଟ ଅନୁସାରେ ନୟାଗଡ ଜିଲ୍ଲାରେ ୩୨ଜଣଙ୍କର କରୋନା ପଜେଟିଭ୍ ବାହାରିଥିବା ବେଳେ ସେ ମଧ୍ୟରୁ ରଣପୁର ବ୍ଲକ୍ ରେ ହେଉଛି ୧୮ ଜଣ । ଯାହାକି ଏକ ଚିନ୍ତାର ବିଷୟବସ୍ତୁ ପାଲଟିଛି । ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ନୟାଗଡ ଜିଲ୍ଲାରେ ଗତ ୯ ତାରିଖରେ କରୋନା ରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରଣପୁର ଚାନ୍ଦପୁର ର ଜଣେ ବ୍ୟକ୍ତିଙ୍କର କରୋନା ଆକ୍ରାନ୍ତରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣା ପଡିଛି ।
ରଣପୁର ବ୍ଲକ୍ ରେ କେବଳ ସପ୍ତାହନ୍ତ ଶନି-ରବିବାର ସଟଡାଉନ୍ କୁ ଛାଡିଦେଲେ ଅନ୍ୟ କୌଣସି କଟକଣା ଦେଖିବାକୁ ମିଳୁନାହିଁ । ସତେ ଯେପରି ରଣପୁର ର କରୋନା ଯୋଦ୍ଧାମାନେ ଶୋଇପଡିଛନ୍ତି । ଥାନା, ଡାକ୍ତରଖାନା ଓ ମୋହରୀର୍ ଖାନା ସବୁଥିରେ କରୋନା ସଂକ୍ରମିତ । ରଣପୁର ଅଂଚଳରେ ସାନିଟାଇଜେସନ୍ କମ୍ ଦେଖିବାକୁ ମିଳୁଛି । ସାଧାରଣ ଜୀବନ ଯାତ୍ରା ଅବ୍ୟାହତ ରହିଛି । ସାଧାରଣ ଲୋକଙ୍କ ମତ ଅନୁଯାୟୀ ରଣପୁର ରେ ଆବଶ୍ୟକ ପରିମାଣର କୋଭିଡ୍ ଟେଷ୍ଟ ହେଉନାହିଁ । ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ବାହାରିବାର ସମ୍ଭାବନା ଅଛି । ଏଣୁ ରଣପୁର ରେ ଅଧିକ ଟେଷ୍ଟ ଓ କଟକଣାକୁ ଆହୁରି ବଢାଇବା ପାଇଁ ଜନସାଧାରଣରେ ଆଲୋଚନା ହେଉଛି ।