Odiapua.com

କରୋନା ଆକ୍ରମଣ; ନେଟ୍ ଧିମା, ଫେରିଯିବା ଆମେ ଇଣ୍ଟରନେଟର ପାଷାଣ ଯୁଗକୁ: ଜାଣନ୍ତୁ କଣ ହେବ ଆଗକୁ ..

ଭୁବନେଶ୍ୱର: ଆପଣଙ୍କର ମୋବାଇଲ ଧିମା ହୋଇଯାଇଛି କି? ନେଟ୍ ବ୍ୟବହାର ବେଳେ ଆପଣ ସେପରି କିଛି ଅନୁଭବ କରୁଛନ୍ତି କି? ତେବେ, ଠିକ୍ ଅନୁଭବ କରିଛନ୍ତି। କରୋନା ଆକ୍ରାନ୍ତରେ ଇଣ୍ଟରନେଟ୍ ଧିମା ହୋଇଯାଇଛି। ଲକ୍ ଡାଉନ୍ ଘୋଷଣା ହେବା ପରେ ଅନେକ ଲୋକ ଘରେ ରହି ଏକକାଳିନ ଇଣ୍ଟରନେଟ୍ ବ୍ୟବହାର କରୁଥିବା କାରଣରୁ ଏହି ସମସ୍ୟା ଉପୁଜିଛି। ଏବେ ଆମାଜନ୍ ପ୍ରାଇମ୍ ଭିଡିଓ, ୟୁଟ୍ୟୁବ୍, ନେଟ୍ ଫ୍ଲିକ୍ସ ଏବଂ ଜି- ୫ ପରି ବଡ଼ବଡ଼ ସୋସିଆଲ୍ ପ୍ଲାଟଫର୍ମ୍ ଗୁଡ଼ିକରେ କେବଳ ଏସଡି (ଷ୍ଟାଣ୍ଡାଡ଼ କ୍ୱାଲିଟି) ଭିଡିଓ ଉପଲବ୍ଧି ହେଉଛି। ଏଚଡି (ହାଇ ଡେଫିନେସନ୍) ଏବଂ ଅଲ୍ଟ୍ରା ଏଚଡି କ୍ୱାଲିଟି ସେବା ଏବେ ବନ୍ଦ ହୋଇଯାଇଛି। ଏଚଡି କ୍ୱାଲିଟି ଭିଡିଓ ୭୨୦ ପିକ୍ସେଲରୁ ୧୦୮୦ ପିକ୍ସେଲର ହୋଇଥାଏ। ଯେତେବେଳେ କି ଏସଡି କ୍ୱାଲିଟି ଭିଡିଓ ମାତ୍ର ୪୨୦ ପିକ୍ସେଲ ହୋଇଥାଏ। ଯାହା ଖୁବ୍ ଧିମା ହୋଇଥାଏ। ଭାରତରେ ଏଚଡି କ୍ୱାଲିଟି ସେବା ୨୦୧୦ ମସିହାରେ ଆରମ୍ଭ ହୋଇଥିଲା। ଅର୍ଥାତ୍ ଇଣ୍ଟରନେଟ୍ କ୍ଷେତ୍ରରେ ଆମେ ଏବେ ଗୋଟିଏ ଝଟକାରେ ୧୦ ବର୍ଷ ତଳକୁ ଚାଲିଯାଇଛେ। ଲକ୍ ଡାଉନ୍ ନଉଠିବା ଯାଏଁ ଏହି ସମସ୍ୟା ଜାରି ରହିବ ବୋଲି ଜଣାପଡ଼ିଛି।

ତେବେ, ଆମେ ଯଦି ଏବେ ୨୧ ଦିନର ପ୍ରତିବନ୍ଧ ନିୟମକୁ କଡ଼ାକଡ଼ି ଭାବରେ ପାଳନ ନକରେ ଏବଂ ପରିସ୍ଥିତି ଯଦି ଅଧିକ ବିଗିଡ଼େ, ତେବେ ଆମେ ଇଣ୍ଟରନେଟ୍ କ୍ଷେତ୍ରରେ ୨୧ ବର୍ଷ ପଛକୁ ଚାଲିଯିବା। ଇଣ୍ଟରନେଟ୍ ତ’ ଆହୁରି ଧିମା ହୋଇଯିବ, ଏହା ସହିତ ମହଙ୍ଗା ବି ହୋଇଯିବ। ୨୧ ବର୍ଷ ତଳେ ଭାରତରେ ୫୦୦ ଘଣ୍ଟା (୨୦ ଦିନ) ଇଣ୍ଟରନେଟ୍ ବ୍ୟବହାର ପାଇଁ ୨୫,୦୦୦ ଟଙ୍କା ଖର୍ଚ୍ଚ ହେଉଥିଲା ଏବଂ ଯାହାର ଗତି ମାତ୍ର ୨୮.୮ କେବିପିଏସ ଥିଲା। ଯେଉଁଥିରେ ୧୦୦ ଏମବି ଡାଟା ଡାଉନଲୋଡ୍ ପାଇଁ ୮ ଘଣ୍ଟା ୨୦ ମିନିଟ ଲାଗିଥାଏ। ୧ ଘଣ୍ଟାର ଏକ ଭିଡିଓ ପ୍ରାୟ ୧ ଜିବିର ହୋଇଥାଏ, ଏବଂ ଏହା ଡାଉନଲୋଡ ପାଇଁ ପ୍ରାୟ ତିନି ଦିନ ୧୧ ଘଣ୍ଟା ୧୫ ମିନିଟ ଲାଗିଥାଏ। ଅର୍ଥାତ୍ ଆମେ ଇଣ୍ଟରନେଟର ପାଷାଣ ଯୁଗକୁ ଫେରିଯିବା। /-ଦେବଦତ୍ତ ରଥ